ମାତୃଭକ୍ତ ଶିବାଜୀ

-ଦେବଦତ୍ତ ରଥ
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ।ମହାରାଷ୍ଟ୍ର ରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ ଶିବାଜୀ ଜନ୍ମଗ୍ରହଣ କରିଥିଲେ। ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ ଥିଲା।ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ। ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ। ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟା ଶିକ୍ଷା ଲାଭ କରିଥିଲେ। ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ।ଶିବାଜୀ ବାଲ୍ୟ କାଳରେ ବେଶି ଲେଖାପଢ଼ା ଶିଖି ନ ଥିଲେ, କିନ୍ତୁ ସମର ବିଦ୍ୟା, ଅସ୍ତ୍ରଚାଳନ, ଅଶ୍ୱଚାଳନାଦିରେ ଖୁବ୍ ପାରଙ୍ଗମ ଥିଲେ।ମା’ଙ୍କଠାରୁ ଶିକ୍ଷା, ସଂସ୍କାର ତଥା ରାମାୟଣ ଓ ମହାଭାରତ ଶୁଣିଶୁଣି ତାଙ୍କ ଭିତରେ ସେହିପରି ସଂସ୍କାର ଜାଗ୍ରତ ହେଲା।ଶିବାଜୀଙ୍କର ବିରତ୍ୱ ପଛରେ ମା’ ଜିଜାବାଈଙ୍କର ବହୁତ ବଡ଼ ଅବଦାନ ରହିଥିଲା।ଶିବାଜୀ ଜଣେ ପରମ ମାତୃଭକ୍ତ ଭାବରେ ଜଣାଶୁଣା।ନିଜ ମା’ଙ୍କୁ ସେ ଖୁବ୍ ଭକ୍ତି କରୁଥିଲେ।ତେବେ ଶିବାଜୀ ଯେ କେବଳ ନିଜ ମା’ଙ୍କର ଭକ୍ତ ଥିଲେ ତା’ ନୁହେଁ।ସେ ସଂପୂର୍ଣ୍ଣ ମାତୃଜାତିକୁ ଭକ୍ତି କରୁଥିଲେ।ଶିବାଜୀଙ୍କ ଜୀବନୀରୁ ଏପରି ଉଦାହରଣ ଦେଖିବାକୁ ମିଳେ।

ଛତ୍ରପତି ଶିବାଜୀ ରାଜା ହୋଇ ଶାସନ ଭାର ସମ୍ଭାଳିଥାନ୍ତି। ରାଜ୍ୟ ପରେ ରାଜ୍ୟ ଜୟ କରୁଥାନ୍ତି। ଥରେ ଏକ ରାଜ୍ୟ ଜୟ କରିବା ପାଇଁ ସେନାପତିଙ୍କୁ ଶିବାଜୀ ନିର୍ଦ୍ଧେଶ ଦେଲେ। ଶିବାଜୀଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ ହେଲା। ସେନାପତି ତାଙ୍କ ସେନା ଧରି ରାଜ୍ୟ ଜୟ କରିବାକୁ ବାହାରିଗଲେ।

ଏ ଭିତରେ ଅନେକ ଦିନ ବିତିଗଲା।ଦିନେ ସିଂହାସନରେ ଶିବାଜୀ ବସିଥାଆନ୍ତି।ପାଖରେ ତାଙ୍କ ମନ୍ତ୍ରୀ ଓ ରାଜ ଦରବାରର ଅନ୍ୟାନ୍ୟ ସଦସ୍ୟମାନେ ବି ବସିଥାନ୍ତି।ସଭା ଚାଲିଥାଏ।ଠିକ୍ ସେତିକିବେଳେ ରାଜ୍ୟ ଜୟ କରି ସେନାପତି ଫେରିଥାଆନ୍ତି।ନତମସ୍ତକ ହୋଇ ବିଜୟର ବାର୍ତ୍ତା ସେନାପତି ଜଣକ ଶିବାଜୀଙ୍କୁ ପ୍ରଦାନ କଲେ।କହିଲେ ମହାରାଜ ପଡୋଶୀ ରାଜ୍ୟରୁ ବହୁ ଧନସମ୍ପତ୍ତି ସହିତ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ବି ଆମେ ଆଣିଛୁ।

ଏକଥା ଶୁଣି ହଠାତ୍ ଚକିତ ହେଲେ ମହାରାଜ ଶିବାଜୀ।ତା’ପରେ ରାଜା ଆଦେଶ ଦେଲେ ଉପହାର ବସ୍ତୁକୁ ରାଜ ଦରବାରରେ ଉପସ୍ଥାପିତ କରିବା ପାଇଁ।ସେନାପତିଙ୍କ ନିର୍ଦ୍ଧେଶରେ କିଛି ସୈନିକ ତୁରନ୍ତ ସେ ଉପହାର ବସ୍ତୁକୁ ଆଣିବାକୁ ଗଲେ।କିଛି ସମୟ ପରେ ଏକ ସୁନ୍ଦର ଚାଦରରେ ଗୁଡେଇ ହୋଇଥିବା ଉପହାର ବସ୍ତୁ, ରାଜ ଦରବାରରେ ପହଁଚିଲା।ବସ୍ତୁଟି ଉପରୁ ଚାଦର କାଢିବାକୁ ଶିବାଜୀ ନିର୍ଦ୍ଧେଶ ଦେଲେ।ସଙ୍ଗେସଙ୍ଗେ କାର୍ଯ୍ୟକାରୀ ହେଲା ନିର୍ଦ୍ଧେଶ।ଚାଦର କଢା ହେଲା।ଏକ ସୁନ୍ଦର ତରୁଣୀ ଥରି ଥରି କାନ୍ଦି କାନ୍ଦି ଠିଆ ହେଲେ।ସଗର୍ବରେ ସେନାପତି କହିଲେ, ମହାରାଜ ଏ ଝିଅଟି ହେଉଛି ସେହି ରାଜ୍ୟର ରାଜାଙ୍କ ଝିଅ।

ଏସବୁ ଦେଖି ମହାରାଜ ଶିବାଜୀ ତାଙ୍କ ସିଂହାସନରୁ ଉଠି ଠିଆ ହେଲେ।ସେହି ସମୟରେ ରାଜ ଦରବାରରେ ଖେଳି ଯାଇଥିଲା ଏକପ୍ରକାର ନୀରବତା।ସିଂହାସନରୁ ଧୀରେ ଧୀରେ ତଳକୁ ଓହ୍ଲାଇଲେ ମହାରାଜ ଶିବାଜୀ।ରାଜା ଆସି ଠିଆ ହେଲେ ଝିଅଟିର ପାଖରେ।ସେତେବେଳେ ସମସ୍ତଙ୍କ ଦୃଷ୍ଟି ଶିବାଜୀଙ୍କ ଉପରେ ହିଁ ଥାଏ।ଶିବାଜୀ ଧୀରସ୍ଥିର ଭାବରେ ସେ ଝିଅଟିର ହାତ ଧରିଲେ।ହଠାତ୍ ଚମକି ଉଠିଲା ଝିଅଟି।ଧୀରେ ଧୀରେ ସେ ଝିଅଟିର ହାତକୁ ଧରି ଶିବାଜୀ ତାଙ୍କ ସିଂହାସନ ଆଡକୁ ବଢିଲେ।ସିଂହାସନରେ ବସାଇ ଦେଲେ ସେ ଝିଅଟିକୁ।ଏହି ଘଟଣାକୁ ନେଇ ହଠାତ୍ ଚାପା ଗୁଞ୍ଜରଣ ଖେଳିଗଲା ଶିବାଜୀଙ୍କ ରାଜ ଦରବାରରେ।

ସିଂହାସନ ତଳେ ଆଣ୍ଠୁମାଡି, ହାତ ଯୋଡି ଶିବାଜୀ ବସିଥିଲେ।ଅତି ନମ୍ରତାର ସହିତ ଶିବାଜୀ ସେ ଝିଅଟିକୁ କହିଲେ – “ମୋ ମା ଯଦି ତୁମ ଭଳି ସୁନ୍ଦରୀ ହୋଇଥାନ୍ତେ, ତେବେ ମୁଁ କେତେ ସୁନ୍ଦର ନହୋଇଥାନ୍ତି।” ଏହା ପରେ ଝିଅଟିର ପାଦ ଛୁଇଁ ତାକୁ ପ୍ରଣାମ କରି ଶିବାଜୀ ବଜ୍ର କଣ୍ଠରେ ଘୋଷଣା କଲେ “କୌଣସି ରାଜ୍ୟ ଦଖଲ କଲାବେଳେ ସାଧାରଣ ଜନତା, ତଥା ଝିଅ ବୋହୂଙ୍କ କୌଣସି କ୍ଷତି ଯେପରି ନ ହୁଏ ସେଥି ପ୍ରତି ଟିକେ ଧ୍ୟାନ ଦିଅ।”

ସସମ୍ମାନରେ ସେ ଝିଅଟିକୁ ତାର ରାଜ୍ୟକୁ ତୁରନ୍ତ ପଠାଇବାର ବ୍ୟବସ୍ଥା କରି, ତାର ପିତାଙ୍କ ରାଜ୍ୟ, ତାର ପିତାଙ୍କ ହାତରେ ସମର୍ପି ଦେଇଥିଲେ।

ଧନ୍ୟ ଶିବାଜୀ।ଧନ୍ୟ ତୁମ ମାତୃଜାତି ପ୍ରତି ସମ୍ନାନ।ସେହିଥିପାଇଁ ତୁମେ ମହାନ୍।ଭାରତ ମାତାର ସୁଯୋଗ୍ୟ ସନ୍ତାନ।

Leave a Reply

Your email address will not be published. Required fields are marked *