ମାତୃଦେବ ଭବ

ମେ ୧୩ ବିଶ୍ୱ ମାତୃ ପୂଜନ ଦିବସ ଉପଲକ୍ଷେ ………

– ପବିତ୍ର କୁମାର ବେହେରା
ଯେତେବେଳେ ଧରାପୃଷ୍ଟରେ ଗୋଟେ ଶିଶୁ ଜନ୍ମନିଏ ତା ପରିବେଶରୁ ସେ ବହୁତ କିଛି ଶିକ୍ଷାଲାଭ କରିଥାଏ। ପ୍ରଥମେ ସେ ତାର ଜନ୍ମିତ ମା’କୁ ଚିହ୍ନେ ସେତେବେଳେ ସେହି ମାତାର ପରିଚୟ ସମସ୍ତଙ୍କୁ ଦିଏ କୁହେ ଏ ତୋ ବାପା ଏତୋ ଦାଦା ଏତୋ ଭାଇ କିନ୍ତୁ କେବେବି କୁହେନି ମୁଁ ତୋ ମା’ ଭଗବାନଙ୍କ ସୃଷ୍ଟିରେ ସେତାର ମା’କୁ ଚିହ୍ନେ ଯଦି ଆମେ ଆଜିର ଦିନକୁ ମାତୃ ଦିବସ ଭାବେ ପାଳନକରୁ ଖାଲି ମନୁଷ୍ୟକୁ ବୁଝାଏନା ବୁଝାଏ ସମଗ୍ର ଜିବଜଗତର ମା’କୁ। ମା’ ମାଟି ଭଳି, ଧରିତ୍ରୀ ଭଳି ସର୍ବଂସହା, କଲ୍ୟାଣ ମୟୀ, ମଙ୍ଗଳ ମୟୀ ଯାହାର ପ୍ରତିଟି ନିଃଶ୍ୱାସରୁ ଝରୁଥାଏ ସନ୍ତାନର ମଙ୍ଗଳ ପାଇଁ ଶୁଭ କାମନା ଧରା ପୃଷ୍ଟରେ ଯେପରି ମଣିଷଟି ମା’ର ଶଦ୍ଦ ଶୁଣି ଆନନ୍ଧିତ ହୋଇଯାଏ ସେହିପରି ଭାବ ବିହୋର ହୋଇଯାଏ। ମାତା ହିଁ ମାନବର ଆଦ୍ୟଗୁରୁ, କେବଳ ଗର୍ଭ ଧାରଣୀ ନୁହେଁ, ସେ ଶୁଭକାଂକ୍ଷୀ, ଲାଳନ ପାଳନ କର୍ତ୍ତୀ, ଶିଶୁକୁ ଶାରୀରିକ ତଥା ମାନସିକ ସୁରକ୍ଷା ଓ ଶକ୍ତି ଦିଏ ମା’, କଲ୍ୟାଣ କାମୀ, ଦୟାଳୁ ହେବାକୁ ଶିଖାଏ ପ୍ରକୃତି ଜଗତ ସହିତ ଅନ୍ତରଙ୍ଗ ବନ୍ଧନରେ ବାନ୍ଧିଦିଏ ମା’। କଥାରେ ଅଛି “ବାପାଥିଲା ପୁଅ ସଭାରେ ହାରେନା, ମା’ଥିଲା ପୁଅ ଦୁନିଆ ଡରେନା” ମା’ ପୃଥିବୀର ଆଦ୍ୟ ଉଚ୍ଚାରଣ ମା’ ଡାକରୁ ଏକ ଦିବ୍ୟ ବ୍ୟୁତିର ସ୍ପୁରଣ ହୋଇଥାଏ। ମାଆମାନଙ୍କ ସମ୍ମାନାର୍ଥେ ପ୍ରଥମେ ଗ୍ରୀସ ଦେଶରେ ଦେବାତା ମା ରିଆଙ୍କ ସମ୍ମାନାର୍ଥେ ପାଳନ କରାଯାଉଥିଲା। ୧୬୦୦ ଖ୍ରୀଷ୍ଟାଦ୍ଧରେ ଇଂରେଜମାନେ ମାଆନକୁ ସମ୍ମାନ ଦେବାକୁ ମଦର ସଣ୍ଡେ ବା ମାତୃଦିବସ ମେ ମାସର ୪ର୍ଥ ରବିବାରକୁ ପାଳନ କରୁଥିଲେ ସେତେବେଳେ ଇଂଲଣ୍ଡ ଦେଶରେ ବହୁ ବିତଶାଳୀ ବ୍ୟକ୍ତିଙ୍କ ପାଖରେ ଅନେକ ଲୋକ ଚାକର ଭାବେ କାର୍ଯ୍ୟ କରୁଥିଲେ। ମଦରର୍ସ ଡେ ଦିନ ସେମାନେ ଘରକୁ ଯିବା ପାଇଁ ଛୁଟି ମିଳୁଥିଲା। ସେ ଦିନ ପାଇଁ ସ୍ୱତନ୍ତ୍ର ଏକ ପ୍ରକାର କେକ ତିଆରି କରାଯାଉ ଥିଲା। ତାହା ମଦର କେକ୍ ନାମରେ ପରିଚିତ। ଏହି କେକ୍ ନେଇ ମା’ଙ୍କୁ ସେମାନେ ଭେଟୁଥିଲେ ଏବଂ ମାଆଙ୍କର ଶ୍ରଦ୍ଧାଶ୍ରୀବାଦ ପ୍ରାପ୍ତ ହୋଇ ଫେରୁଥିଲେ। କ୍ରମଶଃ ସମଗ୍ର ୟୁରୋପରେ ଏହି ଦିବସ ଉତ୍ସବ ରୂପରେ ପାଳିତ ହେଲା। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମେ ୧୮୭୨ ମସିହାରେ ବୋଷ୍ଟନ ଠାରେ ମଦର୍ସ ଡେ ପାଳିତ ହେଲା। ୧୯୦୭ରେ ଏହାକୁ ଜାତୀୟ ସ୍ତରରେ ପାଳନ କରାଗଲା ପରେ ପରେ ବିଭିନ୍ନ ଦେଶ ଏହାକୁ ବର୍ଷର ବିଭିନ୍ନ ସମୟରେ ପାଳନ କଲେ। ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ପାଳନ ହେଉଥିଲେ ମଧ୍ୟ ସଭ୍ୟତାର ପରିପନ୍ଥୀ ନ ହେଲେ ମଧ୍ୟ ମାତୃ ପୂଜାକୁ ଏଡାଇ ଦେଇହେବ ନାହିଁ। ମାତୃତ୍ୱର ପ୍ରତିବେଦନ ସର୍ବତ୍ର ଗ୍ରହଣୀୟ, ସ୍ପୃହଣୀୟ ମଧ୍ୟ। ମା’ ଏକ ନାରୀ ନୁହେଁ, ଏହା ସମଗ୍ର ମାନବ ଜାତିର ନମସ୍ୟା, ତାର ମାତୃତ୍ୱ ଏକ ବ୍ୟକ୍ତି ସୃଷ୍ଟିକାରୀ ନୁହେଁ, ଏହା ବିଶ୍ୱ ସୃଷ୍ଟିର ପରାକାଷ୍ଠା ଦୟା, କ୍ଷମା, ସହନଶୀଳତା, ସେବା ତ୍ୟାଗର ଜୀବନ୍ତ ପ୍ରତିମୂର୍ତି ଏଇ ମା’, ସନ୍ତାନ ପାଇଁ ତାର ସକଳ କର୍ମ ସ୍ୱାର୍ଥହୀନ, ନିସ୍କାମ ଦେଶ, ଜାତି, ଧର୍ମ ବର୍ଣ୍ଣର ବିଭେଦ ନଥାଏ। ଶତ ପୁତ୍ରର ଜନନୀ ଗାନ୍ଦାରୀ ବିଶ୍ୱ ସନ୍ତାନର ମଙ୍ଗଳ କାମନା କରି ବିଶ୍ୱମାତା ବୋଲାଇଛନ୍ତି, କେଉଁ ପୁରାତନ କାଳରୁ ମାତୃପୂଜାକୁ ଆମ ସଂସ୍କୃତିରେ ପ୍ରାଧାନ୍ୟ ଦିଆଯାଇଛି। ସନ୍ତାନ ପାଇଁ ତା ମୁଖରେ କଥାରେ ସେମିତି ମଧୁ ବରଷେ। ତା ଆଖିର ଚାହାଣୀରେ ପାପୀବି ମୁଗ୍ଧହୁଏ। ତା ସ୍ନେହର ଡୋରୀରେ ବନ୍ଧା ପଡିଯାଏ ଦୁନିଆ। ସେ ମାଆ ପାପୀର ହେଉ ବା ପୁଣ୍ୟାଣ୍ମାର ହେଉ ତା ପାଖରେ କୌଣସି ପାତର ଅନ୍ତର ନଥାଏ। ସେଥିପାଇଁ ବେଦ କହିଛି “ମାତୃଦେବ ଭବ”। ଜୀବ ଜଗତ ସୃଷ୍ଟି ହେବା ପରଠାରୁ ଆଜି ପର୍ଯ୍ୟନ୍ତ ମାଆ ସବୁ ସମୟରେ ସୃଷ୍ଟିର ସନ୍ତୁଳନ ରକ୍ଷା କରିଆସିଛି। ପୁରାଣରେ ମା’ ଦୁର୍ଗା, ମା’ କାଳୀ ହୁଅନ୍ତୁ କିମ୍ବା ଇତିହାସରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଏହାର ଜ୍ୱଳନ୍ତ ଉଦାହରଣ। ସେଦିନ ଯଦି ମା’ ମହିଷା ମର୍ଦ୍ଦିନୀ ଦଶଭୂଜା ଦୁର୍ଗା ଧରାପୃଷ୍ଟରେ ଅବତରଣ କରିନଥାନ୍ତେ, ତେବେ ଦୁଷ୍ଟ ରାକ୍ଷସ ମହିଷାସୁରର ବିନାଶ ହୋଇପାରିନଥାନ୍ତା। ମା’ ସୀତା ଯଦି ରାବଣ ଦ୍ୱାରା ଅପହୃତ ହୋଇନଥାନ୍ତେ, ତେବେ ରାବଣ ନିହତ ହୋଇନଥାନ୍ତା। ଅନନ୍ତ ଶକ୍ତି ପ୍ରଦାୟିନୀ ମାଆ ଆମକୁ ସର୍ବଦା ସକଳ ବିପଦରୁ ରକ୍ଷା କରିଥାଏ। ଆମର ଲୁହକୁ ନିଜର କାନି ପଣତରେ ପୋଛି ଦେଇଥାଏ। ନିଜ ହାତରେ ଆମକୁ ଖୁଆଇ ଦେଇ ନିଜର ସୁନ୍ଦର ସ୍ୱରରେ ଆମକୁ ଗୀତ ଗାଇ ଶୁଆଇ ଦେଇଥାଏ। ସୃଷ୍ଟିକୁ ଯଦି ଏକ ମୁଦ୍ରା ବୋଲି ବିବେଚନା କରାଯାଏ ତେବେ ମାଆ ଏବଂ ବାପା ଏହାର ଦୁଇଟି ପାର୍ଶ୍ୱ। ସୃଷ୍ଟିର ସମସ୍ତ ଭାର ସହ୍ୟ କରି ପିତାମାତା ନିଜର ପିଲା ମାନଙ୍କୁ ଭଲ ମଣିଷ କରିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାନ୍ତି। ପିତା ମାତାଙ୍କ ସ୍ନେହ ସେମାନଙ୍କ ପିଲାଙ୍କ ପ୍ରତି ଅମୂଲ୍ୟ ହୋଇଥାଏ। ପିଲାମାନଙ୍କୁ ସମାଜରେ ଆଗକୁ ବଢାଇବା ପାଇଁ ପିତାମାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସେବାକରି ଆମେ ନିଜର ପ୍ରାଣ ବଳି ଦେଲେ ମଧ୍ୟ ତାଙ୍କର ଋଣ ସୁଝି ପାରିବା ନାହିଁ। ସେଇ ବିଶ୍ୱ ବନ୍ଦିତ ମା’ ଆଜି ନିର୍ଯାତିତା, ଅସହାୟା ଆଧୁନିକ ସଭ୍ୟତାରେ ଚଳାଚଳ ହେଉଥିବା ପୁଅ, ବୋହୂ ମାନଙ୍କ ପାଇଁ ପୂଜାର ଯୋଗ୍ୟା ମା’ ଆଜି ଅପୂଜ୍ୟା, ଅଦରକାରୀ ସନ୍ତାନର ସୌଭାଗ୍ୟକୁ ଗଢି ଦେଇଥିବା ମା’ ଆଜି ପରିତ୍ୟକ୍ତା ସେଇ ସନ୍ତାନ ମାନଙ୍କ ଦ୍ୱାରା ଯାହାର ନିର୍ଭୟ କୋଳରେ ଦିନେ ତା ସନ୍ତାନ ଅଚିନ୍ତାରେ ଶୋଇ ପଡିଥିଲା ସେ ସନ୍ତାନ ଆଜି ଗୃହରେ ବି ସ୍ଥାନ ଟିକେ ଦେଇ ପାରୁନି ମା’କୁ। ତା ପାଇଁ ନୀଳାଚଳ ଧାମରେ ନିରାଶ୍ରୟ ଭାବେ ଜଗନ୍ନାଥଙ୍କୁ ଭରଷା କରି କାଳ କାଟୁଛି। ଦିନେ ସେଇ ମା’ ସନ୍ତାନର ଲାଳନ ପାଳନରେ ବ୍ୟସ୍ତ ରହି ଠାକୁରଙ୍କୁ ଭୁଲି ଯାଇଥିଲା। ଆଜି କିନ୍ତୁ ତାଙ୍କରି ଧାମରେ ନିରାଶ୍ରୟ ଭାବେ କାଳିଆକୁ ଯାଇ ଭରଷା କରି ପୁଣି ତାଙ୍କରି ଉନ୍ନତି ତାଙ୍କରି ସୁସ୍ଥ ଶରୀର, ସୁଖ ସଂସାରର କାମନା କରେ ଦୀପ ଜାଳେ। ଯଦି ଆମେ ଆମ ପିତାମାତାଙ୍କୁ ସଠିକ୍ ସମ୍ମାନ ନ ଦେବା ତେବେ ଆମେ ମଧ୍ୟ ତାଙ୍କ ଠାରୁ ଆହୁରି ଅଧିକ ଦୁଃଖ ପାଇବା। ଆଜି ଆମ ବାପାମାଆଙ୍କର ଯେଉଁ ଅବସ୍ଥା ଅଛି ଦିନେ ନା ଦିନେ ଆମର ମଧ୍ୟ ଠିକ୍ ସେହି ଅବସ୍ଥା ଆସିବ। ସେହି ଅବସ୍ଥାରେ ଆମର ସନ୍ତାନ ସନ୍ତତି ମାନେ ଯଦି ଆମକୁ ଠିକ୍ ସେହିପରି ଦୁଃଖ ଦିଅନ୍ତି ଓ ସେହିପରି ଅତ୍ୟାଚାର କରନ୍ତି, ତେବେ ଆମକୁ ସେତେବେଳେ କେତେ କଷ୍ଟ ଲାଗିବ ତାହା ଆଜି ଚିନ୍ତା କରିବା ଦରକାର। ଆମେ ବର୍ତମାନ ଯେପରି କର୍ମ କରିବା ଭବିଷ୍ୟତରେ ଠିକ୍ ସେହିପରି ଫଳ ପାଇବା। ଏହି ଧରାପୃଷ୍ଠର ଜଣେ ସନ୍ତାନ ମନରେ ଯଦି ଏହି ଭାବନା ଜାଗ୍ରତ ହୁଏ ତେବେ ଆପେ ଆପେ ପୃଥିବୀରେ ଥିବା ସବୁ ସନ୍ତାନ ମାନଙ୍କ ମଧ୍ୟରେ ଏହି ଭାବନା ଜାଗ୍ରତ ହେବ ଏବଂ ଏହି ସୁନ୍ଦର ପୃଥିବୀର ସମସ୍ତଙ୍କ ମନରେ ଶାନ୍ତି ଜାଗ୍ରତ ହୋଇପାରିବ। ଶାନ୍ତି ଯେଉଁଠାରେ ଥାଏ ସେଠାରେ ସବୁ ଦେବତା ରମଣ କରିଥାନ୍ତି। ତେଣୁ ସମସ୍ତେ ନିଜର ପିତାମାତାଙ୍କ ପ୍ରତି ସହାନୁଭୂତି ରଖିବା ସହିତ ସେମାନଙ୍କୁ ସ୍ନେହ କରନ୍ତୁ, ଭକ୍ତି କରନ୍ତୁ ତଥା ସେମାନଙ୍କର ସେବା କରନ୍ତୁ। ମାକୁ ମଧ୍ୟ ତାର ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଏ ସମାଜ ଦେଉ। ଆଜି ବିଶ୍ୱ ମାତୃ ଦିବସ ଅବସରରେ ମାର ତ୍ୟାଗ, ସେବା ସାଧନା ଓ ସଂଘର୍ଷକୁ ବିଶ୍ୱବାସୀ ମନେ ପକାଇ ତାଙ୍କୁ ସମ୍ମାନ ଦେବାକୁ ଆଗେଇ ଆସନ୍ତୁ ବିଶ୍ୱର ସବୁ ସନ୍ତାନ ମା ମାନଙ୍କୁ ଅବହେଳା ନକରି ନିଜ ନିଜ ମା ଏବଂ ମାତୃ ସ୍ଥାନୀୟ ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ ଆମେ ସମସ୍ତେ ସ୍ୱୀକାର କରିବା ଜାତି, ଧର୍ମ, ବର୍ଣ୍ଣ ନିର୍ବି ଶେଷରେ ମା’ର ସ୍ଥାନ ସର୍ବୋତମ। (photo credit – kairalinewsonline.com)

ଗ୍ରାମ-ଭଜାଗଡ, ମଙ୍ଗଳାଯୋଡି, ଟାଙ୍ଗୀ, ଖୋର୍ଦ୍ଧା-୭୫୨୦୨୩
ଚଳଭାସ -୮୯୦୮୪୦୨୦୧୦

Leave a Reply

Your email address will not be published. Required fields are marked *