ମା’ତାରିଣୀ ମନ୍ଦିରରେ ଅଷାଢୀ ପର୍ବ

ଘଟଗାଁ, ୧୨/୦୭(ଓଡିଆ ପୁଅ/ଭବାନୀ ପ୍ରସାଦ)- ଜଗତ ଜନନୀ ମା’ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଆଷାଢି ପର୍ବ ଏକ ଭିନ୍ନ ପର୍ବ। ଏହି ଦିନକୁ ମାଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଉଥିବା ବେଳେ ଏହି ଆଷାଢି ପର୍ବରେ ମା’ ଭକ୍ତ ମାନଙ୍କ ଶୁଭ କାମନା କରି ଦିନ ସାରା ଉପବାସ ରହିଥାନ୍ତି ଏବଂ ସଂନ୍ଧ୍ୟା ସମୟରେ ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥନ୍ତି। ଏହି ଆଷାଢି ପର୍ବ ମଧ୍ୟ ଚାଷୀ ପର୍ବ ନାମରେ ପରିଚିତ। ବର୍ଷାର ଆରମ୍ଭ କରଣରୁ ଏହି ଦିନ ଘଟଗାଁ ଅଂଚଳର ୨୨ଖଣ୍ଡ ମଉଜାର ଲୋକମାନେ ଭଲ ଚାଷ ପାଇଁ ମା’ଙ୍କ ନିକଟକୁ ବୋଦା ବଳି ପକାଇବା ଉଦେଶ୍ୟରେ ଆଣିଥାନ୍ତି। କେନ୍ଦୁଝର ଜିଲ୍ଲ୍ା ଘଟଗାଁ ମାତାରିଣୀଙ୍କ ଆଷାଢି ପର୍ବ ଏକ ନିଆରା ପର୍ବ। ପ୍ରତ୍ୟକ ବର୍ଷ ଆଷାଢ ମାସ ଶେଷ ଗୁରୁବାରରେ ଏହି ପର୍ବ ଘଟଗାଁ ମା ତାରିଣୀ ପିଠରେ ପାଳିତ ହେଇ ଆସୁଛି। ସାରା ସଂସାର ଶୁଭକାମନା କରି ମା ତାରିଣୀ ଆଜି ଦିନ ତମାମ ଉପବାସ ରହିଥାନ୍ତି। ଫଳରେ ଆଜି ଦିନରେ ମା’ ତାରିଣୀଙ୍କ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥିଲା। ସଂନ୍ଧ୍ୟା ୭ ଘଂଟିକାରେ ମା ସୁନା ବେଶରେ ସଜ୍ଜିତ ହେବା ପରେ ଦେହୁରୀ ମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଙ୍କ ମହାସ୍ନାନ ପରେ ମାଜଣା କରାଯାଇ ଷୋଢଶ ଉପଚାରରେ ପୂଜା ହୋଇଥାଏ। ଘଂଟ, ଢୋଲ ଓ ମହୁରୀ ଶଦ୍ଦରେ ମନ୍ଦିରରେ ଏକ ଅଲୌକିକ ପରିବେଶ ସୃଷ୍ଟି ହୋଇଥାଏ। ରାତ୍ର ୧୦.୩୦ ମିନିଟରେ ମା’ଙ୍କ ଆଳତୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ। ଏହାପରେ କେବଳ ମୁଖ୍ୟ ଦେହୁରୀଙ୍କ ବ୍ୟତିତ ଅନ୍ୟ ପୂଜକ ଓ ଭକ୍ତ ମାନେ ମନ୍ଦିରରୁ ବାହାରି ଯାଆନ୍ତି। ବିଳମ୍ବିତ ରାତିରେ ମୁଖ୍ୟ ଦେହୁରୀ ମା’ଙ୍କ ନିଶି ପୂଜା କରି ବୋଦା ବଳୀ ଦେଇଥାନ୍ତି ଏବଂ ମାଙ୍କ ପ୍ରତିକ ବ୍ୟାଘ୍ର ରୁପରେ ଆସି ଏହି ବଳି ଗ୍ରହଣ କରିଥାନ୍ତି। ମାଙ୍କ ଆଷାଢି ପର୍ବ ମଧ୍ୟ ଚାଷୀ ମାନଙ୍କର ଏକ ମୁଖ୍ୟ ପର୍ବ ଭାବେ ପରିଚିତ। ବର୍ଷା ଦିନର ପ୍ରାରମ୍ଭରେ ଏହି ପର୍ବ ପାଳିତ ହେଉଥିବା ବେଳେ ଏହି ଦିନ ଘଟଗାଁ ଅଂଚଳର ୨୨ ଖଣ୍ଡ ମଉଜାର ଚାଷୀ ମାନେ ନିଜ ଅଂଚଳରେ ଭଲ ଚାଷ ପାଇଁ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ବୋଦା ବଳୀ ଦେଇଥାନ୍ତି। ଏହି ଆଷାଢି ଅବସରରେ କେନ୍ଦୂଝର ରାଜକୁମାର ରାଜ୍ୟର ମଙ୍ଗଳ ମନାସି ପ୍ରଥମେ ମା’ଙ୍କ ପୂଜା କରିଥାନ୍ତି। ଏଥି ସହିତ ମାଙ୍କ ସୁନା ବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ ପାଇଁ ସ୍ଥାନିୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହେବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି।

Leave a Reply

Your email address will not be published. Required fields are marked *