ତାଳଚେର, ୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକର ସମଲ ଥାନା ଅନ୍ତର୍ଗତ ସମଲ ବ୍ୟାରେଜ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗତକାଲି ବିଳମ୍ବିତ ରାତିରେ ମାଛ ମାରୁଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ରାଜୁ ଗାଗରେଇ। ନିଖୋଜଙ୍କ ସ୍ତ୍ରୀ ପଦ୍ମିନି ଗାଗରେଇଙ୍କ କହିବାନୁଯାୟୀ ଗତକାଲି ରାତିରେ ଖାଇସାରି ତାଙ୍କ ସ୍ୱାମୀ ରାଜୁ ଗାଗରେଇ ମାଛ ମାରିବାକୁ ନଦୀର ଜଳସ୍ରୋତକୁ ଯାଇଥିଲେ। ପ୍ରତ୍ୟେକ ଦିନ ପରି ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ ୩ଜଣ ଏକାଠି ହୋଇ ମାଛ ମାରିବାକୁ ଯାଇଥିଲେ। ତେବେ ଜାଲ ସଜାଡିବା ସମୟରେ ସିମେଂଟ୍ ପକ୍କା ଶିଉଳିରେ ଗୋଡ ଖସିଯିବାରୁ ରାଜୁ ପ୍ରଖର ଜଳସ୍ରୋତକୁ ଚାଲି ଯାଇଥିଲେ। ତେବେ ସ୍ରୋତରୁ ତାଙ୍କୁ ଉଦ୍ଧାର ପାଇଁ ଉପସ୍ଥିତ ଅନ୍ୟ ୩ଜଣ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏ ସମ୍ପର୍କରେ ନିଖୋଜଙ୍କ ସ୍ତ୍ରୀ ସମଲ ଥାନାରେ ଲିଖିତ ଅଭିଯୋଗ କରିବାପରେ ସମଲ ଥାନାଧିକାରୀ ସୁନିଲ କୁମାର କର ଦମକଳ ବାହିନୀ, ଓଡ୍ରାଫ ଟିମ୍ ନିଖୋଜଙ୍କୁ ଠାବ କରିବାକୁ ଆରମ୍ଭ କରିଥିଲେ। ତେବେ ଅଦ୍ୟାବଧି ଉକ୍ତ ଯୁବକଙ୍କ ପତା ମିଳି ପାରିନଥିବା ପ୍ରକାଶ।
