କେନ୍ଦୁଝର, ୨୫ା୯(ଓଡିଆ ପୁଅ/ପ୍ରଦୀନପ କୁମାର ମହାନ୍ତି): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣିଆଯୋଡି ଗ୍ରାମର ୨ଜଣ ଯୁବକ ରବିବାର ଦିନ ନିକଟସ୍ଥ କେନାଲକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ରବିବାର ସନ୍ଧ୍ୟାରେ କେନାଲ ନିକଟରେ ଏକ ସ୍ଥାନରେ ଉଭୟଙ୍କ ଜୋତା ଏବଂ ଜାଲ ରଖାଯାଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହେବାରୁ ଲୋକେ କେନାଲରେ ପଶି ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ନମିଳିବାରୁ ହାଟଡିହି ଦମକଳବାହିନୀକୁ ଖବର ଦିଆଯାଇଥିଲା। ତେବେ ସେମାନେ ମଧ୍ୟ ନିଖୋଜଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସୋମବାର ଦିନ ଉଭୟଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିବା ଖବର ମିଳିଛି। ମୃତ ୨ଜଣ ଯୁବକ ହେଲେ ବଣିଆଯୋଡି ଗ୍ରାମର ସଞ୍ଜୟ କୁମାର ଜେନା ଏବଂ ନାଳୁ ଜେନା ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି।
