ମାଗଣା ରୋଗ ନିଦାନ ସେବା ଆରମ୍ଭରୁ କେଁ: ରାଜ୍ୟରେ ଚାଲିଛି କେବଳ ଘୋଷଣା ସର୍ବସ୍ୱ ସରକାର : ବିଜେପି

– ବିଭିନ୍ନ ରୋଗ ପରୀକ୍ଷା ପାଇଁ ରୋଗୀଠୁ ଅର୍ଥ ଆଦାୟ କରିବା ନବୀନ ସରକାରଙ୍କ ନିଦାନ ଯୋଜନା ପ୍ରଥମରୁ ବିଫଳ
– ଯୋଜନା ଘୋଷଣା କରି ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ନକରିବାରେ ଧୁରନ୍ଦର ନବୀନ ସରକାର
– ଠିକା ନର୍ସମାନଙ୍କୁ ନିୟମିତ କରିବା ସହ ସମାନ କାମ ଓ ସମାନ ଦରମା କଥା କହିବା ପରେ ବି ସେମାନଙ୍କୁ କେବେ ନିୟମିତ କରାଯିବ

ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ରାଜ୍ୟରେ ଗରିବ ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍୍ୟସେବା ଯୋଗାଇବା ପାଇଁ ନିଦାନ ଯୋଜନାର ଘୋଷଣା କରିବା ଏବଂ କଟକ ବଡ ମେଡିକାଲରୁ କାର୍ଯ୍ୟକାରୀ କରି ଆରମ୍ଭରୁ ଫେଲ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିଦାନ ଯୋଜନା ମାଧ୍ୟମରେ ରୋଗୀଟିଏ ବିନା ଅର୍ଥରେ ସମସ୍ତ ପରୀକ୍ଷା କରିପାରିବ ବୋଲି ରାଜ୍ୟ ସରକାର ଘୋଷଣା କରି ବାଃ ବାଃ ସାଉଁଟିଥିଲେ। ମାତ୍ର ଆଜି ପ୍ରଥମ ଦିନରୁ ବିଭିନ୍ନ ପରୀକ୍ଷା ପାଇଁ ରୋଗୀମାନଙ୍କଠାରୁ ଅର୍ଥ ଆଦାୟ କରି ଏହି ଯୋଜନାର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମେ ଯୋଜନା ଘୋଷଣା କରିବା ଓ ପରେ ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ନକରିବାରେ ଧୁରନ୍ଦର ହେଉଛନ୍ତି ନବୀନ ସରକାର ବୋଲି ରାଜ୍ୟ ବିଜେପି ମୁଖ୍ୟ ପ୍ରବକ୍ତା ସଜ୍ଜନ ଶର୍ମା କହିଛନ୍ତି।

ଦୀର୍ଘ ୧୮ ବର୍ଷ ନବୀନ ସରକାରଙ୍କ ଶାସନ କାଳରେ ରାଜ୍ୟରେ ରାଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ମେଡିକାଲରେ ଡାକ୍ତର ଅଭାବ, ନିରାମୟ ଯୋଜନାରେ ନିମ୍ନମାନର ମେଡିସିନ ମିଳିବା, ଏକ୍ସପାରୀ ମେଡିସିନ ଖାଇ ରୋଗୀ ପ୍ରାଣ ହରାଇବା ସହ ବହୁ ପ୍ରଚାରିତ ନିଦାନ ଯୋଜନା କାର୍ଯ୍ୟକାରୀ ହେବା ଦିନରୁ ଫେଲ୍ ମାରିବା ଦର୍ଶାଉଛି କି ରାଜ୍ୟସରକାରଙ୍କ ଯୋଜନା କେବଳ ଘୋଷଣା ସର୍ବସ୍ୱ ଓ ଭୋଟବ୍ୟାଙ୍କ ରାଜନୀତି। ନବୀନ ସରକାର ସାଧାରଣ ଗରୀବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଚାର କରି ତାକୁ ଠିକ୍ ସମୟରେ ନତୁଳଆଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଗତ କିଛି ଦିନ ତଳେ ରାଜରାସ୍ତାରେ ବହୁ ଦିନ ଧରି ସ୍ୱାସ୍ଥ୍ୟ କର୍ମୀ ଓ ନର୍ସମାନେ ନିଜର ହକ୍ ଦାବି କରୁଥିବା ସମୟରେ ସରକାର ସେମାନଙ୍କୁ ଭାଗ ଭାଗ କରି ରାଜନୀତି କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ରାଜ୍ୟ ସରକାର ଠିକା ନର୍ସମାନଙ୍କୁ ନିୟମିତ କରିବା ସହ ସମାନ କାମ ଓ ସମାନ ଦରମା କଥା କହିବା ପରେ ବି ସେମାନଙ୍କୁ କେବେ ନିୟମିତ କରାଯିବ ସେନେଇ ସରକାର କୈାଣସି ପଦକ୍ଷେପ ନେଇନାହାଁନ୍ତି। ଅନ୍ୟପଟେ ଦିନକୁ ଦିନକୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଥିଲେ ମଧ୍ୟ ରାଜ୍ୟସରକାରଙ୍କ ଏଭଳି ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଶର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *