ମାଓବାଦୀଙ୍କର ଧମକ ପୂର୍ଣ୍ଣ ଚିଠି ସହ ୩ କୋଟି ଟଙ୍କା ଦାବି: ଚିଠିର ସତ୍ୟତା ଉପରେ ପ୍ରଶ୍ନ ଚିହ୍ନ – କେନ୍ଦୁଝରର ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟକୁ ଚିଠି 

କେନ୍ଦୁଝର ତା ୨୨/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତ କିଛି ବର୍ଷ ହେବ ମାଓବାଦୀଙ୍କ ଉପସ୍ଥିତି ହ୍ରାସ ପାଇଥିବା କାରଣରୁ ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କ ଉପସ୍ଥିତ ଥିବା ଜିଲ୍ଲା ତାଲିକାରୁ କେନ୍ଦୁଝର ଜିଲ୍ଲାକୁ ବାଦ୍ ଦିଆଯିବା ନିଷ୍ପତି ନେବା ପରେ ପରେ ଜିଲ୍ଲାରେ ଏବେ ପୁଣି ଶୁଭିଛି ମାଓବାଦୀଙ୍କର ପଦଧ୍ୱନୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝର ଗାଁ ନିକଟରେ ରହିଥିବା ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟ ରେ ମାଓବାଦୀଙ୍କର ନାଁରେ ଏକ ଧମକ ପୁର୍ଣ୍ଣ ଚିଠି ପହଞ୍ଚିବା ପରେ, ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀମାନେ ଜିଲ୍ଲାରେ ତାଙ୍କର ସ୍ଥିତି ଜାହିର କରିବାକୁ ପ୍ରୟାସ କରିଥିବା କୁହାଯାଇଥିଲେ ମଧ୍ୟ ଏହାର ସତ୍ୟତା ଉପରେ ଏବେ ବି ସନ୍ଦେହ ସ୍ପଷ୍ଟ ହୋଇନାହିଁ। ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ମାଓବାଦୀ ଆରଡେଣ୍ଟ ଷ୍ଟିଲ ପ୍ଲାଣ୍ଟରେ ପହଞ୍ଚି ପ୍ଲାଣ୍ଟର ସିକ୍ୟୁରିଟି ଗାର୍ଡକୁ ମାଓବାଦୀଙ୍କର ନାମରେ ଏକ ଚିଠି ଦେଇଛନ୍ତି। ଚିଠିଟି ହିନ୍ଦିରେ ଓ ନାଲି କାଳୀରେ ଲେଖାଯାଇଥିବା ବେଳେ ପଶ୍ଚିମ ସବ୍ ଜୋନାଲ କମିଟ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ନାମ ଲେଖାଥିବା ଏକ ପ୍ୟାଡରେ ଆସିଥିବା ବେଳେ ଏଥିରେ ୧୯.୪.୧୮ ତାରିଖ ଦିଆଯାଇଛି। ଏହି ଚିଠିରେ ଏହି ମାଓବାଦୀ ସଂଙ୍ଗଠନକୁ ୩ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ଏହି ପ୍ଲାଣ୍ଟର ଧୂଳି ଧୂଆଁ ଯୋଗୁଁ ଏ ଅଞ୍ଚଳର କ୍ରାନ୍ତିକାରୀ କିଷାନମାନଙ୍କର ବ୍ୟାପକ କ୍ଷତି ଘଟୁଛି ତେଣୁ କିଷାନ ମାନଙ୍କର ସୁବିଧା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ପ୍ଲାଣ୍ଟ ଯୋଗୁଁ ଅଞ୍ଚଳର ଜଳ, ଜମି, ଜଙ୍ଗଲ ପ୍ରଦୂଷିତ ହେଉଛି ବୋଲି ମଧ୍ୟ ଉଲ୍ଲେଖ ରହିଛି। ଶେଷରେ ଏ ସଂମ୍ପର୍କରେ ପୋଲିସକୁ କୌଣସି ସୂଚନା ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଓବାଦୀଙ୍କ ନାମରେ ଆସିଥିବା ଏହି ଚିଠି ପାଇବା ପରେ ପ୍ଲାଣ୍ଟ ପକ୍ଷରୁ ନୟାକୋଟ ଥାନାରେ ଅଭିଯୋଗ ଦିଆଯିବା ପରେ ପୋଲିସ ପକ୍ଷରୁ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *