ମାଆର ମିଛ

– ବିନୟ ମହାପାତ୍ର
ମୁଁ ଯେତେ ବେଳ ଛୋଟ ପିଲାଟିଏ ଥିଲି
ନ ଖାଇବାର ବାହାନା କରିଲେ,
ବଡ ଗେହ୍ଲା କରି ମାଆ କୋଳେଇ ନିଏ,
ଜହ୍ନକୁ ଦେଖାଇ ଖୁଆଇ ଦିଏ ।
ଗୀତ ଟେ ଗାଏ,
ଆ ଜହ୍ନ ମାମୁଁ ସରଗ ଶଶି
ମୋ କାହ୍ନୁ ହାତରେ ପଡ ରେ ଖସି ।
ଆଖି ଖୋଲି ମୁଁ ଆକାଶେ ଚାହେଁ
ଜହ୍ନ ମାମୁଁ ପାଇଁ, ହାତ ବଢାଏ
ସତେ ବା ମୋ ହାତେ ଯିବ ରେ ବସି ।
ହେଲେ ତା ଜାଗାରୁ ହଲେନି ଜହ୍ନ,
ଜହ୍ନ ପାଇବାର ଆଶାରେ ଆଶାରେ
ପେଟ ଭରି ମୁଁ ଖାଇ ତ ଯାଏ।
ହେଲେ ଆଜି ମୁଁ ଭାବୁଛି ବସି,
କୁଆଡେ ଯାଏ ସେ ଶରଗ ଶଶି,
କେତେ ଅସମ୍ଭବ କଥା ସେ ଥିଲା,
ଖାଲି, ମାଆ କଥା ବୋଲି
ସତ ମଣୁ ଥିଲି, ମିଛ ବୋଲି
କେବେ ଜଣା ନଥିଲା ।

ଯଦି କେବେ ରାତି ନୀରବ ପ୍ରହରେ
ରାହା ଧରି ମୁଁ ଉଠିଲେ କାନ୍ଦି,
ନ ଶୋଇବାକୁ ଅଝଟ କଲେ,
ମାଆ ମୋତେ ତାର କୋଳକୁ ନିଏ,
ଗୀତ ଟେ ଗାଏ,
ଧୋ-ରେ ବାଇଆ ଧୋ-ଅ
ଯେଉଁ କିଆରୀ ରେ ଗହଳ ମାଣ୍ଡିଆ
ସେଇ କିଆରୀ ରେ ଶୋ-ଅ ।
ଗୀତ ଗାଏ ସିଏ ସ୍ନେହ ଭରା ସୁରେ,
ନିଇତି ଡରାଏ, ବାଇଆ ଆସିବ ବୋଲି,
ଶୋଇ ଯାରେ ମୋର ଧନ ମଣି,
ନ ଶୋଇବୁ ଯଦି ଧରି ନେଇଯିବ
ବାଇଆ ଆଣିଛି ସାଙ୍ଗରେ ମୁଣି ।
ଡରି ଯାଏ ମୋର ସୁକୋମଳ ମନ
କାନ୍ଦ ବନ୍ଦ କରି ବିକଳ ନୟନେ
ଥରେ ମାଆକୁ ମୁଁ ଦେଖେ,
ତା ଲୁଗା କାନିକୁ ଜାବୁଡି ଧରି ମୁଁ,
ଆଖି ବନ୍ଦ କରି ବହଳ ନିଦରେ ପଡଇ ଶୋଇ ।
ହେଲେ ଆଜି ମୁଁ ଭାବେ, ସତରେ ବାଇଆ
ଥିଲା କି ନଥିଲା ଜାଣେନା କେବେ,
ମାଆ, କହୁ ଥିଲା ବୋଲି ସତ ମଣୁଥିଲି
ନିଜେ ତ ବାଇଆ ହୋଇ ।

କେବେ ଯଦି ମୁଁ ବଦମାସୀ କରେ,
ନିତି ଡରାଏ ସେ କଅଁଣ କହି,
ଉ-ଉ-ଉ ଥାଏ, ଧନ ରେ ସେଠି,
ଜମା ଛୁଇଁବୁନି,ହାତ ଧରି ନେବ,
ସେ ଚଗଲା ଭାରି ।
ଉ-ଉ-ଉ ରହେ ସେଇ ଜାଗାରେ,
ଧରି ନେଇ ଯିବ,ଗଲେ ତୁ ଥରେ,
ହେଲେ ଆଜି ଯାଏ ସତେ ପାରିନି ବୁଝି
ଉ-ଉ-ଉ ମାନେ ଥିଲା ବା କ’ଣ?
କେମିତି ଦିଶେ ସେ ସବୁଠି ଥାଏ
ବଦମାସୀ କଲେ ହାତ ଧରି ନେବ
ଖାଲି, ମାଆ କହେ ବୋଲି ଡରି ମୁଁ ଯାଏ ।

ଖେଳୁ ଖେଳୁ ଯଦି ଖସି ପଡେ କେବେ
ଛିଣ୍ଡି ଯାଏ ଆଣ୍ଠୁ ଗଣ୍ଠି,
କାନ୍ଦି କାନ୍ଦି ଯାଏ ମା ପାଖେ ଧାଇଁ,
ବଡ ଶରଧାରେ କୋଳେଇ ନିଏ ସେ,
ଲୁହ ପୋଛି ଦିଏ ପଣତ କାନିରେ
ଘାଆକୁ ମୋର ସେ ଫୁଙ୍କି ଦିଅଇ ।
ବଡ ବିଶ୍ଵାସେ କହେ,
କିଛି ତ ହେଇନି, ଧନର ମୋର,
ମୁଁ ଫୁଙ୍କି ଦେଲି ଠିକ୍ ହେଇ ଯିବ
ଦୁଇ ମିନିଟ୍ ତୁ ଅପେକ୍ଷା କର ।
ଦୁଇ ମିନିଟ୍ ପୁରିବା ଆଗୁ
ସବୁ କିଛି ଆହା ଠିକ୍ ହୋଇ ଯାଏ,
ସତ ରେ ଅବା, ମାଆ ର ଫୁଙ୍କା ରେ,
ଯାଦୁ ମନ୍ତର ଥାଏ ।

ମାଆର ସେ ମିଠା ମଧୁର ମିଛ,
ସତେ କେତେ ଆହା ସତ ଲାଗଇ,
ଦୁନିଆ ର ଯେତେ,
ସତ ତା ଆଗରେ ଫିକା ପଡଇ ।
ମାଆର ମମତା କେତେ ନିର୍ମଳ
ପେଟ ଦେଖି ସିଏ ପାରଇ ଜାଣି,
ସତ ମିଛ କହି
ପେଟ ଭରି ସିଏ ଦିଏ ଖୁଆଇ ।
ମୋର ନିଦୁଆ ଆଖି ରେ
ନା ନା ବାୟା ଗୀତ ଗାଇ,
ସୁଖ ସପନରେ ଭରି ଦିଏ ଆହା,
ବହଳ ନିଦରେ ଦିଏ ଶୁଆଇ।
ମିଥ୍ୟା ପ୍ରତାରଣା ଭରା ସଂସାରେ
ମାଆ ମିଛ କେତେ ଶାନ୍ତି ଦିଅଇ,
ସୁଖ ସନ୍ତୋଷରେ ଭରି ଦିଏ ପ୍ରାଣ,
ମାଆ ଠାରୁ ଆଉ ନିର୍ମଳ କିଏ ?
କଲ୍ୟାଣମୟୀ ପ୍ରେମମୟୀ ସିଏ,
ମାଆର ସେ ମିଛ, ତା ଶରଧା ପାଇଁ ।
ମାଆର ମିଛ ସବୁ ଠାରୁ ସତ
ଦୁନିଆର ସବୁ ବଡ ସତ ରୁ ବଳି,
ଶତ ଶତ ଗୁଣା ଅଧିକ ଯେ ସତ
ସନ୍ତାନେ ତା ପ୍ରେମ, ତା ପ୍ରାଣଠୁ ବଳି ।

ପଟିଆ, ଭୁବନେଶ୍ୱର, ଓଡିଶା

Leave a Reply

Your email address will not be published. Required fields are marked *