ମାଁ ଶ୍ୟାମାକାଳୀଙ୍କ ଦଣ୍ଡଯାତ୍ରା ଉଦ୍ୟାପିତ

ପାରଳାଖେମୁଣ୍ଡି,୧୬ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମାଁ ଶ୍ୟମାକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ପାରମ୍ପରିକ ଦଣ୍ଡଯାତ୍ରା ଉଦ୍ୟାପିତ ହୋଇଯାଇଛି । ପରମ୍ପରା ଓ ସଂସ୍କୃତି ମାଧ୍ୟମରେ ସରଳ ଜିବନଯାପନ ଶୈଳୀକୁ ଉପସ୍ଥାପନ କରି ଦଣ୍ଡୁଆମାନେ ଏହି ମାର୍ଗ ଅବଲମ୍ବନ କରିଥିଲେ । ଦିର୍ଘ ୧୫ଦିନ ଧରି ଦଣ୍ଡୁଆମାନେ ଦିନ ରାତି ନିଜ ଶରୀରକୁ ଅତ୍ୟନ୍ତ କଷ୍ଠ ଦେଇ ପୁଣ୍ଣ୍ୟ ପ୍ରାପ୍ତି ପାଇଁ ଆରଧାନା କରିଥାନ୍ତି । ଗତ ୧ତାରିଖ ଦିନ ଠାରୁ ସମଗ୍ର ପାରଳାଖେମୁଣ୍ଡି ସହର ଏହି ଦଣ୍ଡଯାତ୍ରା ଅବସରରେ ଢୋଲ,ବାଦ୍ୟ, ତୁରୀ, ଘଣ୍ଟ ସହିତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ହୁଳହୁଳିର ଏକ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି କରି ପ୍ରତ୍ୟେକ ସାହି କମ୍ପି ଉଠିଥିଲା । ପ୍ରତି ସକାଳୁ ଦଣ୍ଡୁଆମାନେ ମାଁ କାଳୀଙ୍କ ମନ୍ଦିରରୁ ବାହାରି ମାଁଙ୍କୁ ଧରି ନଗର ପରିକ୍ରମା କରି ମାନସିକଧାରୀଙ୍କ ଘର ସମୁଖରେ ପହଞ୍ଚି ସଂକଳ୍ପ ପୁଜାର୍ଚ୍ଚନାର ଶୁଭାରମ୍ଭ କରି ମନ୍ଦିରକୁ ଫେରିଥାନ୍ତି । ପରେ ମଧ୍ୟାହ୍ନରେ ମାଁକାଳୀଙ୍କ ସହ ଦଣ୍ଡୁଆମାନେ ମାନସିକମାନଙ୍କ ଘର ସମୁଖରେ ଦଣ୍ଡନାଚ କାର୍ଯ୍ୟକ୍ରମ କରିଥାନ୍ତି । ମଧ୍ୟାହ୍ନରେ ମାଁଙ୍କ ବାଳଭୋଗ ଲାଗି ହେବା ପରେ ଖରାତାତିରେ ଗରମ ବାଲି ଉପରେ ଆରମ୍ଭ ହୋଇଥାଏ ଦଣ୍ଡୁଆମାନଙ୍କ ଧୁଳି ଦଣ୍ଡ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ । ଦଣ୍ଡୁଆମାନେ ଗରମବାଲିରେ ଶଇବା ଓ ଗଡିବା ସହିତ ମାଁଙ୍କ ମନ୍ଦିର ନିର୍ମାଣ, ଘଣାରେ ତେଲ ପେଡିବା ଏବଂ ଲୁଗା ବୁଣିବା ପ୍ରଭୃତି ଅଭିନୟ ଦଣ୍ଡ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ଧୁଳିଦଣ୍ଡ, ପଟାଦଣ୍ଡ, ପାଣିଦଣ୍ଡ, କଣ୍ଟାଦଣ୍ଡ, ଅଗ୍ନିହୁଳା ଖେଳ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ରାତିରେ ପୁଣି ମାଁଙ୍କ ସହିତ ଦଣ୍ଡୁଆମାନେ ମାନସିକଧାରୀଙ୍କ ଘର ସମୁଖରେ ରାତି ଉପବାସ ପାଇଁ ନିୟମ ଅନୁସାରେ ପାହାନ୍ତିଆ ସକାଳ ପର୍ଯ୍ୟନ୍ତ ଦଣ୍ଡନାଚ ପ୍ରଦର୍ଶନ କରିଥାନ୍ତି । ଦଣ୍ଡନାଚର ଶେଷ ଦିନ ଅର୍ଥାତ ବିଷୁବ ସଂକ୍ରାନ୍ତି ଅପରାହ୍ନରେ ମାଁଶ୍ୟାମାକାଳୀ ମନ୍ଦିର ପରସରରେ ଭକ୍ତମାନଙ୍କ ଗ୍ରହଣରେ ଅଗ୍ନିଦଣ୍ଡ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ସବୁ କାର୍ଯ୍ୟକ୍ରମ ଦେଖିବାକୁ ପାରଳାଖେମୁଣ୍ଡି ସହର ତଥା ସହରରୁ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଏକତି୍ରତ ହୋଇଥିଲେ ।

Leave a Reply

Your email address will not be published. Required fields are marked *