ଓଡ଼ିଶା

ମହିଳା ସୁରକ୍ଷା ଯାତ୍ରା ଅବସରରେ : ମା’କୁ ସମ୍ମାନର ନାରା ଆଜି କେବଳ ଶାସକ ବିଜେଡିର ପୋଷ୍ଟର ଭିତରେ ସୀମିତ ରହିଛି: ବିଜେପି

– ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚାରଣ ଏବଂ ଆଚରଣରେ ଅନେକ ପ୍ରଭେଦ ଦେଖିବାକୁ ମିଳିଛି
– ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ଦୁଷ୍କର୍ମ ଏବଂ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି
– ନାରୀ ମାନଙ୍କୁ ବସ୍ତୁ ଭାବି ବ୍ୟବହାର କରୁଥିବା କାପୁରୁଷମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇବାକୁ ନାରୀମାନଙ୍କୁ ଆହ୍ୱାନ

ଭୁବନେଶ୍ୱର, ତା.୦୫/୦୬ (ଓଡ଼ିଆ ପୁଅ): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହାଁନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚାରଣ ଏବଂ ଆଚରଣରେ ଅନେକ ପ୍ରଭେଦ ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ମା’କୁ ସମ୍ମାନର ନାରା ଆଜି କେବଳ ଶାସକ ଦଳର ପୋଷ୍ଟର ଭିତରେ ସୀମିତ ରହିଛି। ନାରୀମାନେ ଆଜି ରାଜରାସ୍ତାରେ ଚାଲିବାକୁ ସୁରକ୍ଷିତ ମଣୁନାହାଁନ୍ତି। ଦିନ ଦ୍ୱିପ୍ରହରରେ ନାବାଳିକା, ଛାତ୍ରୀ, କର୍ମଜୀବି ମହିଳାମାନେ ନିର୍ଯ୍ୟାତିତ ହେଉଛନ୍ତି। ଅସଭ୍ୟ ଯୁବ ସମାଜ ନାରୀମାନଙ୍କୁ ଅପମାନିତ କରିଚାଲିଛି। ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ଦୁଷ୍କର୍ମ ଏବଂ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ଅନେକ ଘଟଣାରେ ଶାସକ ଦଳର ସଂପୃକ୍ତି ଥିବାରୁ ପୋଲିସ ପ୍ରଶାସନ ବି ନୀରବଦ୍ରଷ୍ଟା ସାଜୁଛି। ଏଭଳି ମାନସିକତାକୁ ଦୃଢ ବିରୋଧ କରିବା ସହ ମହିଳାମାନେ ନିଜର ସମ୍ମାନ ଓ ସ୍ୱାଭିମାନ ପାଇଁ ଲଢେଇ କରନ୍ତୁ ବୋଲି ମହିଳା ସୁରକ୍ଷା ଯାତ୍ରା ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଶ୍ରୀମତି ପରିଡା ଜଗତସିଂହପୁର ଜିଲ୍ଲା ନୂଆଗାଁ ହାଟଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ମହିଳାମାନଙ୍କୁ ମାନସିକ ସ୍ତରରେ ସଶକ୍ତ କରାଇଥିଲେ। ନାରୀ ମାନଙ୍କୁ ବସ୍ତୁ ଭାବି ବ୍ୟବହାର କରୁଥିବା କାପୁରୁଷମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇବାକୁ ଶ୍ରୀମତି ପରିଡା ଆହ୍ୱାନ ଦେଇଛନ୍ତି। ପରେ ଜଗତସିଂହପୁର ବଜାରରେ ପଦଯାତ୍ରା, ବିରିଡି ଏବଂ ରଘୁରାଜପୁରଠାରେ ସାଧାରଣ ସଭା କରି ନାରୀମାନଙ୍କୁ ସେମାନଙ୍କ ସୁରକ୍ଷା ସଂପର୍କରେ ସଚେତନ କରାଯାଇଥିଲା। ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ସଂଖ୍ୟାରେ ମହିଳା ଏହି ସଭାରେ ଯୋଗ ଦେଇ ମହିଳା ବିରୋଧୀ ସରକାରକୁ ଦୃଢ ସମାଲୋଚନା କରିଥିଲେ। ଏହି ସଭାରେ ବିଜେପି ନେତ୍ରୀ ଅପରାଜିତା ମହାନ୍ତି, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ସ୍ଥାନୀୟ ନେତ୍ରୀବୃନ୍ଦ ଉପସ୍ଥିତ ଥିଲେ।

ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ଆସନପାଟଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ପାଟଣାଠାରେ ହୋଇଥିବା ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇ ରାଜ୍ୟସରକାରଙ୍କ ଅପାରଗତା, ସ୍ଥାଣୁତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ କଟୁ ସମାଲୋଚନା କରିଥିଲେ। ଅପରାହ୍ନରେ କୋଟପାଡ ଓ ଆନ୍ଦପୁରରେ ପଦଯାତ୍ରା କରାଯାଇ ମହିଳାମାନଙ୍କୁ ସେମାନଙ୍କ ସୁରକ୍ଷା ସଂପର୍କୀତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ସଭାରେ ପିଙ୍କି ପ୍ରଧାନ, ପ୍ରତିଭା ଶତପଥୀ, ଗୀତାରାଣି ଦାସ, ପ୍ରତିମା ମିଶ୍ର, ସ୍ମୃତି ଜେନାଙ୍କ ସମେତ ସ୍ଥାନୀୟ ନେତ୍ରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନେତୃତ୍ୱରେ ନରଣଗଡ ପଂଚାୟତର ହାଡପଦା ଗ୍ରାମଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ପରେ ଖୋର୍ଦ୍ଧାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଶ୍ରୀମତୀ ପାଢୀ ଯୋଗ ଦେଇ ‘ନାରୀମାନେ ନିଜ ସୁରକ୍ଷା ନିଜେ କରନ୍ତୁ’ ବୋଲି ଆହ୍ୱାନ ଦେଇଥିଲେ। ନିଜ ସହ ହେଉଥିବା ଅନ୍ୟାୟକୁ ମୁଣ୍ଡ ପାତି ନସହି ତାହାର ପ୍ରତିବାଦ କରିବା ଦରକାର ବୋଲି ଶ୍ରୀମତୀ ପାଢୀ କହିଛନ୍ତି। ସେହିପରି ଛାତ୍ରୀମାନେ ବିଭିନ୍ନ ପ୍ରକାର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନେଇ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ବିଶିଷ୍ଟ ଅଭିନେତ୍ରୀ ଅନୁ ଚୈାଧୁରୀ ଏହି ଯାତ୍ରାରେ ସାମିଲ ହୋଇ କହିଛନ୍ତି। ଏହି ସଭାରେ ବିଜୟଲକ୍ଷୀ୍ମ ମହାପାତ୍ର, ଇରାନୀ ରାୟ, ମିନାକ୍ଷୀ ପ୍ରିୟଦର୍ଶିନୀ, ସମେତ ସ୍ଥାନୀୟ ନେତ୍ରୀବୃନ୍ଦ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top