ମହିଳା ବିରୋଧୀ ସରକାର ବିରୁଦ୍ଧରେ ନାରୀ ଶକ୍ତି ଏକ ହୋଇ ଆଗକୁ ଆସିବା ଦରକାର: ମହିଳାମୋର୍ଚ୍ଚା

ଚତୁର୍ଥ ଦିନରେ ୪ଟି ରୁଟ୍ ରେ ବିଜେପି ମହିଳା ସୁରକ୍ଷା ଯାତ୍ରା

– ପଦଯାତ୍ରା, ପଥପ୍ରାନ୍ତ ଏବଂ ସାଧରଣସଭା ମାଧ୍ୟମରେ ମହିଳାଙ୍କୁ ସଚେତନ କରାଯାଉଛି
– ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇଥିବା ମହିଳାମାନେ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି
– ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସୁରକ୍ଷା ଯୋଗାଇବା ପାଇଁ ବିଜେପି ଦୃଢ ପରିକର

ଭୁବନେଶ୍ୱର, ତା ୨୨/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ଚତୁର୍ଥ ଦିନରେ ପଂହଚିଛି। ରାଜ୍ୟରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରାଇବା ଏବଂ ନାରୀମାନଙ୍କ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ବିଫଳତା ପ୍ରସଙ୍ଗରେ ବିଜେପି ମହିଳାମୋର୍ଚ୍ଚା ଏହି ମହିଳା ସୁରକ୍ଷାଯାତ୍ରା ଆରମ୍ଭ କରିଛି। ମହିଳା ସୁରକ୍ଷାଯାତ୍ରାର ଚତୁର୍ଥ ଦିନରେ ରାଜ୍ୟର ମହିଳାମାନେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ରାଜ୍ୟସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟର ସମସ୍ତ ବର୍ଗର ମହିଳାମାନେ ଏହି ସୁରକ୍ଷାଯାତ୍ରାକୁ ବିପୁଳ ସମର୍ଥନ ଦେଇଛନ୍ତି। ଏହି ସୁରକ୍ଷା ଯାତ୍ରା ମାଧ୍ୟମରେ ମହିଳାମାନେ ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି।

ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି। କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି। ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନାରୁ ହିତାଧିକାରୀ ମହିଳାମାନଙ୍କୁ ବଂଚିତ କରାଯାଉଛି। ରାଜ୍ୟସରକାର କେବଳ ଶାସକ ବିଜେଡିକୁ ସମର୍ଥନ କରୁଥିବା ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇବା ଏବଂ ଅନ୍ୟ ଦଳକୁ ସମର୍ଥିତ କରୁଥିବା ମହିଳାଙ୍କୁ ଧମକ ଦେବା ସହ ପ୍ରାପ୍ୟ ଯୋଜନାରୁ ବଂଚିତ କରିବା ଭଳି କାର୍ଯ୍ୟ କରୁଛନ୍ତି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ ପ୍ରତିବାଦ କରିବା ସହ ମହିଳାଙ୍କ ଅଧିକାର ପାଇଁ ସୁରକ୍ଷା ଯାତ୍ରାକୁ ଆଗକୁ ନେଇ ଚାଲିଛି।

ଚତୁର୍ଥ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ସୋର ରାଧାନାଥ ପଡିଆଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସୋରର ଅନ୍ତାଠାରେ, ଗୋପାଳପୁରରେ, ନୀଳଗିରିର ସନ୍ତରଗାଡିଆ ପଥପ୍ରାନ୍ତ ସଭା ଏବଂ ସଂଧ୍ୟାରେ ନୀଳଗିରି ଏନଏସି ଠାରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ। ଶାସକ ବିଜେଡିର ମା’କୁ ସମ୍ମାନର ନାରା ପ୍ରହସନରେ ପରିଣତ ହୋଇଛି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି।

ଚତୁର୍ଥ ଦିନରେ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଏବଂ ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ସାଧାରଣ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।

ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ। ଚାରିଆଡେ ରାବଣ, ଦୁଃଶାସନ ଭଳି ରାକ୍ଷସ ବୁଲି ନାରୀମାନଙ୍କର ଇଜ୍ଜତ ଲୁଟିବାରେ ସକ୍ରିୟ ଅଛନ୍ତି। ଗଳି ଗଳି ନିଶା ବଟିକା, କୋରେକ୍ସ, ମଦ ବିକ୍ରି ହେଉଛି। ନିଶାମୁକ୍ତ ସମାଜ ଗଠନ ହେଲେ ଏସବୁ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହା ବ୍ୟତୀତ ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ଗୃହବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ରାଜ୍ୟରେ ଦିନକୁ ଦିନ ଧର୍ଷଣ, ଗଣଦୁଷ୍କର୍ମ, ନାବାଳିକା ବଳାକ୍ରାର ଏବଂ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି। ରାଜ୍ୟର ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିବା ସହ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।

ଚତୁର୍ଥ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ସକାଳୁ ମାଲଗାଁରେ ଆରମ୍ଭ ହୋଇ ନବରଂଗପୁର ଜିଲ୍ଲା କୁସୁମୀ, ଭେଡା, ରାଇଘର ଏବଂ ଉମରକୋଟଠାରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରିଥିଲେ। ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ। ଯଦି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ ଗାଦି ଛାଡନ୍ତୁ ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି। ରାଜ୍ୟରେ ନାରୀମାନେ ସୁରକ୍ଷିତ ନାହାଁନ୍ତି। ନବୀନ ସରକାର ଦୁଷ୍କର୍ମରେ ଶିକାର ହୋଇଥିବା ନାରୀଙ୍କୁ ନ୍ୟାୟଦେବାରେ ବିଫଳ ହୋଇଛନ୍ତି। ନାରୀମାନଙ୍କୁ ସମ୍ମାନ ଦେବା ଏବଂ ସୁରକ୍ଷା ଯୋଗାଇବା ପାଇଁ ବିଜେପି ଦୃଢ ପରିକର ଥିବା ସତ୍ୱେ ରାଜ୍ୟସରକାର ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶାସକ ବିଜେଡିର ଛାମୁଆ ନେତାମାନେ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଶ୍ରୀମତି ସିଂହଦେଓ କହିଛନ୍ତି।

ଆଜି ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ବ୍ରହ୍ମପୁର ଲାଥୀଠାରେ, କୋନିସୀରେ, ସୋରଳା ରୋଡ୍ଠାରେ ପଥପ୍ରାନ୍ତସଭା ଅନୁଷ୍ଠିତ ହୋଇଥିଲା। ପରେ ଗଂଜାମ ଜିଲ୍ଲା ବମକେଇଠାରେ ଏବଂ ଗଜପତି ଜିଲ୍ଲା ମୋହନାଠାରେ ସାଧାରଣ ସଭା ଦ୍ୱାରା ମହିଳାମାନଙ୍କୁ ସଚେତନ କରାଇବା ସହ ମହିଳାଙ୍କ ପ୍ରତି ହେଉଥିବା ଆତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ସୁରକ୍ଷାଯାତ୍ରାରେ ଦାବି ହୋଇଛି। ରାଜ୍ୟର ମହିଳା ବିରୋଧୀ ସରକାର ବିରୁଦ୍ଧରେ ନାରୀ ଶକ୍ତିକୁ ଏକ ହୋଇ ଆଗକୁ ଆସିବାକୁ ଶ୍ରୀମତି ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

Leave a Reply

Your email address will not be published. Required fields are marked *