ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସଫଳତା ପାଇଁ ଅନୁଗୋଳ ଜିଲ୍ଲା ପୁରସ୍କୃତ

ଅନୁଗୋଳ,୯/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମନ୍ୱିତ ଶିଶୁ ବିକାଶ ଯୋଜନା,ମମତା ଓ ପୃଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୂଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି । ଗତବର୍ଷ ମଧ୍ୟ ଏହି ଜିଲ୍ଲା ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା । ଅନୁଗୋଳ ଜିଲ୍ଲା କ୍ରମାଗତଭାବେ ସମାଜମଙ୍ଗଳ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହେଉଥିବାରୁ ଜିଲ୍ଲାପାଳ ଅନିଲ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଦଳଗତ କାର୍ଯ୍ୟ ପାଇଁ ଏପରି ସଫଳତା ମିଳିଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବାସହ ଏହି ଧାରାକୁ ବଜାୟ ରଖିବାପାଇଁ ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଭୂବନେଶ୍ୱରରୁ ଫେରିବା   ପରେ ଗୁରୁବାର ଦିନ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଆଲମ ବରୁଆ ବିଭାଗୀୟ କର୍ମକର୍ତାଙ୍କ ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାସହ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ଜିଲ୍ଲାର ଉପାନ୍ତ ଅଂଚଳ ପାଲଲହଡ଼ାରେ ଦୀର୍ଘ ୩୨ବର୍ଷ ଧରି ଅଙ୍ଗନୱାଡ଼ି କର୍ମୀଭାବେ ନିଷ୍ଠାର ସହ ସେବା ମନୋବୃତି ନେଇ ଦାୟିତ୍ୱ ନିର୍ବାହ କରିଥିବା ଉଷାରାଣୀ ବାରିକଙ୍କୁ ମୂଖ୍ୟମନ୍ତ୍ରୀ ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀଭାବେ ପୁରସ୍କୃତ କରିଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଗତ ୨୦୦୦ମସିହାରେ ଏହି ପୁରସ୍କାର ପାଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *