ମହାଶିବରାତ୍ରୀ ପାଳନ ନେଇ ଉପୁଜିଲା ଦ୍ୱନ୍ଦ : ଓଡ଼ିଆ ସମାଜରେ ବିଭ୍ରାନ୍ତି ସୃଷ୍ଟି

ଭୁବନେଶ୍ୱର, ୧୧ା୨ (ଓଡ଼ିଆ ପୁଅ) : ଆସନ୍ତା ୧୩ତାରିଖ ଦିନ ସମଗ୍ର ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ସ୍ଥଳେ ୧୪ ତାରିଖ ଦିନ ଓଡ଼ିଶାରେ ମହାଶିବରାତ୍ରୀ ପାଳନ ନିମିତ୍ତ ବିଭିନ୍ନ ପଞ୍ଜିକାରେ ଥିବା ସୂଚନା ଓଡ଼ିଆ ସମାଜରେ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ନିଖିଳଉତ୍କଳ ଶାକଦ୍ୱୀପି ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରକାଶ କରାଯାଇଛି।

ଶନିବାର ଭୁବନେଶ୍ୱରଠାର ଆୟୋଜିକ ଏକ ସାମ୍ବାଦିକ ସମ୍ମିଳନୀରେ ନିଖିଳଉତ୍କଳ ଶାକଦ୍ୱୀପି ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ ସଭାପତି ଶରତ କୁମାର ମହାପାତ୍ର, ଉପସଭାପତି ହରିହର ମହାପାତ୍ର, ସଂପାଦକ ପ୍ରେମାନନ୍ଦ ସେନାପତି, ସଂଗଠନ ସମ୍ପାଦକ ଜ୍ୟୋତିରଂଜନ ନାୟକ, ଜ୍ୟୋର୍ତିବିଦ୍ ପଣ୍ଡିତ ଦିବାକର ମିଶ୍ର, ଶାସ୍ତ୍ରବିତ୍ ସମୀକ୍ଷକ ପଣ୍ଡିତ ହରିଶଙ୍କର ମିଶ୍ର ପ୍ରମୁଖ କହିଛନ୍ତି ଯେ ଖଡ଼ିରତ୍ନ ପଞ୍ଜିକାରେ ୧୩ତାରିଖ ଦିନ ମହାଶିବରାତ୍ରୀ ପାଳନ ପାଇଁ ଉଲ୍ଲେଖ ରହିଛି। ଏହି ଗୋଟିଏ ପଞ୍ଜିକାକୁ ଛାଡ଼ିଦେଲେ ପ୍ରାୟ ୧୨ଟିରୁ ଊର୍ଦ୍ଧ୍ୱ ପଞ୍ଜିକା ରାଜ୍ୟରେ ପ୍ରଚଳନ ହେଉଥିଲେ ହେଁ ସମସ୍ତ ପଞ୍ଜିକାରେ ବିଭ୍ରାନ୍ତିକର ଭାବେ ୧୪ତାରିଖ ଦିନ ମହାଶିବରାତ୍ରୀ ପାଳନ ନିମିତ୍ତ ଉଲ୍ଲେଖ ରହିଛି। ବିଭିନ୍ନ ପ୍ରମାଣ ଦେଇ ସେମାନେ ଉପସ୍ଥାପନ କରିଛନ୍ତି ଯେ ତ୍ରୟୋଦଶୀଯୁକ୍ତ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଇଥାଏ। ଅନ୍ୟପକ୍ଷରେ ଚତୁର୍ଦ୍ଦଶୀଯୁକ୍ତ ଅମାବାସ୍ୟାରେ ମହାଶିବରାତ୍ରୀ ପାଳନ କରିବା ନିଷେଧ। କାରଣ ଚତୁର୍ଦ୍ଦଶୀ ତିଥିର ତୃତୀୟ ପ୍ରହର ଅମାବାସ୍ୟା ତିଥିକୁ ଯାଉଥିବାରୁ ଓ ଅମାବାସ୍ୟାରେ ପ୍ରେତକର୍ମ ହେଉଥିବାରୁ ମହାଶିବରାତ୍ରୀ ପାଳନ କରାଯିବା ସମ୍ପୂର୍ଣ୍ଣ ରୂପେ ଶାସ୍ତ୍ରବିରୋଧି। ତ୍ରୟୋଦଶୀଯୁକ୍ତ ଚତୁର୍ଦ୍ଦଶୀ ମହାନିଶା ଯୋଗରେ ଶିବଙ୍କର ଜ୍ୟୋର୍ତିଲିଙ୍ଗ ପ୍ରକଟ ହୋଇଥିଲା। ତେଣୁ ଚଳିତବର୍ଷ ତ୍ରୟୋଦଶୀଯୁକ୍ତ ଚତୁର୍ଦ୍ଦଶୀ ପଡୁଥିବାରୁ ୧୩ ତାରିଖ ଦିନ ମହାଶିବରାତ୍ରୀ ପାଳନ ପାଇଁ ଏହା ଏକ ଉତ୍ତମ ଯୋଗ। ପ୍ରାୟ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏପରି ଏକ ଯୋଗ ପଡୁଥିବାରୁ ଶ୍ରୀସୋମନାଥ, ଶ୍ରୀତ୍ରୟମ୍ବକେଶ୍ୱର, ଶ୍ରୀମଲ୍ଲିକାର୍ଜ୍ଜୁନ, ଶ୍ରୀକେଦାରନାଥ, ଶ୍ରୀଘୃଷ୍ମେଶ୍ୱର, ଶ୍ରୀମହାକାଳେଶ୍ୱର, ଶ୍ରୀକାଶୀବିଶ୍ୱନାଥ, ଶ୍ରୀରାମେଶ୍ୱର ତଥା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ୧୩ତାରିଖ ଦିନ ମହାଶିବରାତ୍ରୀ ପାଳନ କରାଯାଉଛି। ଅନ୍ୟପକ୍ଷରେ ଓଡ଼ିଶାରେ ଗଣକମାନେ ଶଙ୍କରାଚାର୍ଯ୍ୟଙ୍କ ଅନୁମୋଦନକ୍ରମେ ୧୪ତାରିଖ ଦିନ ଶିବରାତ୍ରୀ ପାଳନ ପାଇଁ ଲେଖିଛନ୍ତି। ଏହା ଶାସ୍ତ୍ରବିରୋଧି ଏବଂ ଏଭଳି ଅମାବାସ୍ୟା ତିଥିରେ ମହାଶିବରାତ୍ରୀ ପାଳନ କରାଯିବା ଦ୍ୱାରା ଏହା ଓଡ଼ିଶାବାସୀ ତଥା ଓଡ଼ିଶା ପ୍ରଶାସନ ପାଇଁ ଅନିଷ୍ଠକର ଓ ଗୁରୁତର ସମସ୍ୟା ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି। ଏଥିସହିତ ଶାକଦ୍ୱୀପି ବ୍ରାହ୍ମଣସମାଜ ଏ ସମ୍ପର୍କରେ ପୁରୀର ମୁକ୍ତିମଣ୍ଡପ ସମେତ ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ମୁକ୍ତମଞ୍ଚରେ ଆଲୋଚନା କରିବାପାଇଁ ଆହ୍ୱାନ କରିଛନ୍ତି। ଏହି ଦ୍ୱନ୍ଦ୍ୱ ଗତ ଚନ୍ଦ୍ରଗ୍ରହଣ ସମ୍ପର୍କିତ ପାକତ୍ୟାଗକୁ ନେଇ ଉପୁଜିଥିଲା। ଏହାପରେ ଧିରେ ଧିରେ ଅନେକ ତ୍ରୁଟି ସହିତ ଚତୁର୍ଦ୍ଦଶୀଯୁକ୍ତ ଅମାବାସ୍ୟା ତିଥିରେ ଓଡ଼ିଶାରେ ମହାଶିବରାତ୍ରୀ ପାଳିତ ହେଉଥିବା ଜଣାପଡ଼ିଥିଲା। ଆସନ୍ତା ୧୪ତାରିଖ ଦିନ ମହାଶିବରାତ୍ରୀ ପାଳନ କରାଯିବା ଦ୍ୱାରା ଓଡ଼ିଶାବାସୀ ଶିବଯୋଗରୁ ବଞ୍ଚିତ ହେବେବୋଲି ବ୍ରାହ୍ମଣ ସମାଜ କହିଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, ସର୍ବଭାରତୀୟସ୍ତରରେ ଆସନ୍ତା ୧୩ତାରିଖ ଦିନ ମହାଶିବରାତ୍ରୀ ପାଳନ କରାଯାଉଛି ଏବଂ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ସିଧାସଳଖ ପ୍ରସାରଣ କରୁଛନ୍ତି। କିନ୍ତୁ ଓଡ଼ିଶାରେ ର୧୪ତାରିଖ ଦିନ ମହାଶିବରାତ୍ରୀ ପାଳନର ପ୍ରସାରଣ ବୈଦ୍ୟୁତିକ ଗଣମାଧ୍ୟମ ମାନେ କରିବା ଦ୍ୱାରା ଏକ ଧର୍ମସଂକଟ ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିରେ ଜଣେ ସାର୍ବଭୌମ ଧର୍ମଗୁରୁଙ୍କର ଆବଶ୍ୟକତା ରହିଛି ବୋଲି ବ୍ରାହ୍ମଣସମାଜ ପକ୍ଷରୁ କୁହାଯାଇଛି। ଏତଦ୍ ବ୍ୟତୀତ ସ୍କନ୍ଦ ପୁରାଣ, ପଦ୍ମ ପୁରାଣ, ବାୟୁ ପୁରାଣ, ଭବିଷ୍ୟ ପୁରାଣ, ଅଗ୍ନି ମହାପୁରାଣ, ନିର୍ଣ୍ଣୟ ସିନ୍ଧୁ, ଧର୍ମ ସିନ୍ଧୁ, ତିଥି ନିର୍ଣ୍ଣୟ ଆଦି ପୁରାଣ ଶାସ୍ତ୍ର ତଥା ଧର୍ମଗ୍ରନ୍ଥରେ ମହାଶିବରାତ୍ରୀକୁ ନେଇ ଏକମତ ପ୍ରକାଶ ପାଇଛି। ଏଣୁ ଧାର୍ମିକ ଜନସାଧାରଣ ସମସ୍ତ ଧର୍ମଶାସ୍ତ୍ର ମତାନୁଯାୟୀ ଆସନ୍ତା ୧୩ତାରିଖରେ ଶିବଙ୍କ ପ୍ରିୟ ମହାଶିବରାତ୍ରୀ ମହାପୁଣ୍ୟପ୍ରଦ ପାଳନ କରାଯିବା ଉଚିତ୍। ୧୩ତାରିଖରେ ତ୍ରୟୋଦଶୀ ରାତ୍ରୀ ୧୦ଘଣ୍ଟା ୩୮ମିନିଟ୍ ପର୍ଯ୍ୟନ୍ତ ରହୁଅଛି। ତାହାପରେ ଚତୁର୍ଦ୍ଦଶୀ ତିଥି ମଧ୍ୟ ରାତ୍ରୀ ଏବଂ ମହାନିଶା ସମୟକୁ ବ୍ୟାପ୍ତ ହେଉଥିବାରୁ ମହାଶିବରାତ୍ରୀ ବ୍ରତ ୧୩ତାରିଖ କରଣୀୟ। ୧୪ତାରିଖ ରାତ୍ର ୧୨ଟା ୪୯ମିିନିଟ୍ ପରେ ଅମାବାସ୍ୟା ତିଥି ହେଉଥିବାରୁ ଏହି ତାରିଖରେ ମହାଶିବରାତ୍ରୀ ବ୍ରତ ପାଳନୀୟ ନୁହେଁ ବୋଲି ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *