ad
ଓଡ଼ିଶା

ମହାଶିବରାତ୍ରି ପାଇଁ ଅଷ୍ଟଶମ୍ଭୁଙ୍କ ସମେତ ପଶ୍ଚିମ ଓଡ଼ିଶାର ଶୈବପୀଠଗୁଡ଼ିକ ଚଳଚଞ୍ଚଳ

ସମ୍ବଲପୁର, ୩/୨ (ଓଡ଼ିଆ ପୁଅ) – ପବିତ୍ର ମହାଶିବରାତ୍ରି ପାଇଁ ପଶ୍ଚିମ ଓଡ଼ିଶାର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। କେଉଁ କାଳରୁ ଶୈବ, ଶାକ୍ତ ଓ ବୈଷ୍ଣବ ପନ୍ଥର ସମନ୍ୱୟ ଏ ଇଲାକାରେ ଦୃଷ୍ଟିଗୋଚର ହୋଇଆସିଛି। ବିଭିନ୍ନ ଗ୍ରାମରେ ଏହି ତିନି ସମ୍ପ୍ରଦାୟର ଆରାଧନା ପୀଠରେ ବର୍ଷତମାମ ଜାନିଯାତ୍ରା ଲାଗି ରହିଥାଏ। ତନ୍ମଧ୍ୟରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷ ଆଗରୁ ରାଜାରାଜୁଡ଼ା ସମୟରେ ଅଷ୍ଟଶମ୍ଭୁ ପୀଠ ବିକଶିତ ହୋଇଥିଲେ। ଏଗୁଡ଼ିକ ସମ୍ବଲପୁର ଜିଲ୍ଲାର ହୁମା, ମାନେଶ୍ୱର, ବରଗଡ଼ ଜିଲ୍ଲାର ଗାଇସମା, ଅମ୍ବାଭୋନା, ସରଣ୍ଡା, ସୋର୍ଣ୍ଣା, ଦେଓଗାଁ ଏବଂ ନିଲଜୀଠାରେ ରହିଛି। ଅମ୍ବାଭୋନାର ଶମ୍ଭୁ କେଦାରନାଥ ନାମରେ ପୂଜା ପାଆନ୍ତି। ନିଲ୍ଜୀରେ ନୀଳକଣ୍ଠେଶ୍ୱର, ଦେଓଗାଁରେ ବୈଦ୍ୟନାଥ, ସରଣ୍ଡାରେ ବିଶ୍ୱେଶ୍ୱର, ଗାଈସମାରେ ବାଲୁଙ୍କେଶ୍ୱର, ସୋର୍ଣ୍ଣାରେ ସ୍ୱପ୍ନେଶ୍ୱର, ମାନେଶ୍ୱରରେ ମାନ୍ଧାତା ଏବଂ ହୁମାରେ ବିମଳେଶ୍ୱର ବାବା ପୂଜିତ ହୁଅନ୍ତି। ପ୍ରାୟ ୧୫୪୯ ମସିହାରୁ ଚୌହାନମାନଙ୍କ ଶାସନ କାଳରେ ଏହି ମନ୍ଦିରଗୁଡ଼ିକ ନିର୍ମିତ ହୋଇଥିଲା। ପିତୃପକ୍ଷ ପାଳନ ସକାଶେ ଆବଶ୍ୟକ ହେଉଥିବା ଗଙ୍ଗାଜଳ ପାଇଁ ରାମଚନ୍ଦ୍ର ଶିବଙ୍କୁ ସ୍ମରଣ କରିବା ପରେ ଅମ୍ବାଭୋନାଠାରେ ଶିବ ଲିଙ୍ଗ ଭାବରେ ଆବିର୍ଭାବ ହୋଇଥିବାର ଜନଶ୍ରୁତି ରହିଛି। ସେହିଦିନଠାରୁ ଅମ୍ବାଭୋନାଠାରେ ଶିବ କେଦାରନାଥ ଭାବରେ ପୂଜିତ ହୋଇଆସୁଛନ୍ତି।

ନିଲଜୀରେ ଥିବା ନୀଳକଣ୍ଠେଶ୍ୱର ବାବାଙ୍କ ମନ୍ଦିର ଅଷ୍ଟଶମ୍ଭୁ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମନ୍ଦିର। ଏଠାକୁ ଆସୁଥିବା ମାନସିକଧାରୀଙ୍କ ମାନସିକ ଅଚୀରେ ପୂରଣ ହୋଇଥାଏ ବୋଲି କୁହାଯାଏ। ନିର୍ମାଣ ଶୈଳୀ ଦୃଷ୍ଟିରୁ ସରଣ୍ଡାରେ ଥିବା ବିଶ୍ୱେଶ୍ୱର ବାବାଙ୍କ ମନ୍ଦିର ଅନ୍ୟ ମନ୍ଦିର ତୁଳନାରେ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ। କୁହାଯାଏ ଯେ ରାଜା ଅଶ୍ୱାରୋହ କଲା ସମୟରେ ଅଶ୍ୱଟି ଝୁଣ୍ଟି ପଡ଼ିବା ଯୋଗୁଁ ରାଜା ତଳେ ପଡ଼ି ଯାଇଥିଲେ। ସେହି ସ୍ଥାନ ଖୋଳାଯିବା ପରେ ବିଶ୍ୱେଶ୍ୱର ବାବାଙ୍କର ଆବିର୍ଭାବ ଘଟିଥିଲା। ଗାଈସମାରେ ଥିବା ବାଲୁଙ୍କେଶ୍ୱର ବାବାଙ୍କ ଉତ୍ପତ୍ତି ବାବାଦରେ ସୁନ୍ଦର କାହାଣୀ ରହିଛି। କୁହାଯାଏ ଥରେ ରାଜା ଜୀରାନଦୀରେ ସ୍ନାନାନ୍ତେ ନିକଟରେ ଥିବା ଶମ୍ଭୁଙ୍କୁ ଦର୍ଶନ ପାଇଁ ଯାଇଥିଲେ। ପୂଜାରୀ ରାଜାଙ୍କୁ ଦେଇଥିବା ‘ୁଲ ଓ ବେଲପତ୍ରରେ ଏକ କେଶ ପଡ଼ିଥିବା ଦେଖି ରାଜା କୁଆଡ଼େ କେଶଥିବା ଶିବଲିଙ୍ଗ ଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପୂଜାରୀ ଶିବଙ୍କ ନିକଟରେ ଅଧିଆ ପଡ଼ିବା ପରେ ଲିଙ୍ଗଙ୍କ ଉପର ଭାଗରେ ଲମ୍ବା କେଶ ଆଚ୍ଛାଦିତ ଦୃଶ୍ୟମାନ ହୋଇଥିଲା।

ଅଷ୍ଟଶମ୍ଭୁ ମନ୍ଦିର ମଧ୍ୟରୁ ଏକ ପ୍ରମୁଖ ମନ୍ଦିର ହେଉଛି ମାଳତୀ ଜୋର କୂଳରେ ଥିବା ମାନେଶ୍ୱରର ମାନ୍ଧାତା ବାବା ପୀଠ। ଏଠାକୁ ମନସିଦ୍ଧି ପାଇଁ ଆସୁଥିବା ଭକ୍ତମାନଙ୍କର ଶୀଘ୍ର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ମନ୍ଦିର ପୁଷ୍କରିଣୀରେ ଥିବା କଇଁଛମାନଙ୍କୁ ଖାଦ୍ୟଦେଲେ ଆତ୍ମସନ୍ତୋଷ ମିଳିଥାଏ। ସେହିଭଳି ମହାନଦୀ ଓ ଧୁଲିଜୋରର ସଂଗମ ସ୍ଥଳ ହୁମା ଠାରେ ବିମଳେଶ୍ୱର ମହାଦେବଙ୍କ ବହୁ ଚର୍ଚ୍ଚିତ ବକ୍ର ମନ୍ଦିର ରହିଛି। ଏହି ମନ୍ଦିର ଓ ବେଢ଼ାରେ ଥିବା ଅନ୍ୟମନ୍ଦିରର ନିର୍ମାଣ ଶୈଳୀ ଆକର୍ଷଣୀୟ ହୋଇଥିଲେ ମଧ୍ୟ ସବୁ ମନ୍ଦିର ଦକ୍ଷିଣକୁ ବକ୍ର ହୋଇ ରହିଛନ୍ତି। ମନ୍ଦିରର ମହାନଦୀ ପାର୍ଶ୍ୱ ଘାଟ ମଛିନ୍ଦ୍ର ଘାଟ ନାମରେ ପରିଚିତ। ଏଠାରେ ଥିବା କୁଡ଼ୋ ମାଛମାନଙ୍କୁ ଲଡ଼ୁ ଦିଆଯାଇଥାଏ। ଏପରିକି ସ୍ଥାନୀୟ ଲୋକେ ଏହି ମାଛମାନଙ୍କର ନାମକରଣ ମଧ୍ୟ କରିଛନ୍ତି। ମହାନଦୀର ଅପର ପାଶ୍ୱର୍ରୁ ଆସୁଥିବା ଏକ ଗାଈ ଦ୍ୱାରା ଚିହ୍ନିତ ସ୍ଥାନରେ ଏହି ମନ୍ଦିର ତୋଳା ଯାଇଥିଲା।

ସେହିଭଳି ସମ୍ବଲପୁରର ବାଲିବନ୍ଧାର ସୋମନାଥ, ବୁଢ଼ାରଜାର କୋଶଳେଶ୍ୱର, ଯୁଯୁମୁରାର କଳ୍ପେଶ୍ୱର, ବଡ଼ରମାର ମୁକ୍ତେଶ୍ୱର, ବୁର୍ଲାର ଈଶାନେଶ୍ୱର, ମନ୍ଦଲିଆର ଗୁଡ଼େଶ୍ୱର, ମୁଦିପଡ଼ାର ଜାଗେଶ୍ୱର, ‘ାଟକର ମହାକାଳେଶ୍ୱର, ଭତ୍ରାର ସ୍ୱପ୍ନେଶ୍ୱର, ଧନକଉଡ଼ାର ଚନ୍ଦ୍ରଶେଖର, ପଡ଼ିଆବାହାଲର ନୀଳକଣ୍ଠେଶ୍ୱର, ଝାଡ଼ୁଆପଡ଼ାର ଲୋକନାଥ, ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର, ଗେଇଟୀରୋଡ଼ ଗୁଡ଼ିଆଲି ବନ୍ଧର ଭୁବନେଶ୍ୱର, ବଡ଼ବଜାରର ଶୀତଳେଶ୍ୱର, ମ୍ୟୁନିସିପାଲଟୀ ଛକର ଗୁପ୍ତେଶ୍ୱର, ଜିଲ୍ଲାସ୍କୁଲ ଛକର ବିଶ୍ୱନାଥ, ପୋଲିସ ଲାଇନର ବିଶ୍ୱେଶ୍ୱର ପ୍ରଭୃତି ଶୈବପୀଠଗୁଡ଼ିକ ମଧ୍ୟ ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି। ହୁମାର ବିମଳେଶ୍ୱର ବାବାଙ୍କ ଶିବରାତ୍ରି ଅବସରରେ ଶହ ଶହ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ସପ୍ତାହବ୍ୟାପୀ ଶିବରାତ୍ରି ମେଳା ସକାଶେ ଭକ୍ତ, ଯାତ୍ରୀ ଏବଂ ବ୍ୟବସାୟୀମାନଙ୍କ ଆଗମନ ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top