ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଏ କେମିତି ଭକ୍ତି କରିବ ଓଡିଶାର ଶାସକ ଦଳର ବନ୍ଧୁ ମାନେ ତାହାର ଠିକାଦାର ନୁହନ୍ତି – ଧର୍ମେନ୍ଦ୍ର ପ୍ରଧାନ

ରଥରେ ଝାଡୁ ମରା ପ୍ରସଙ୍ଗକୁ ନେଇ ବିଜେଡିର କ୍ଷମା ମାଗିବା ବକ୍ତବ୍ୟର ଉତର ରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ସେ ସାଧାରଣ ଓଡିଆ ଓ ପିଲା ଦିନୁ ଶୁଣୁଥିବା ଓଡିଆ ଲୋକ କଥାକୁ ହିଁ କହିଛନ୍ତି
– କାଂଚିର ରାଜା ଆମର ଗଜପତି ରଥକୁ ସଫା କରିବା, ଓଳେଇବା, ଝାଡୁ ମାରୁଥିବା କାରଣରୁ ନିଜ ଝିଅ ଦେବେ ନାହିଁ ବୋଲି କହିବା ଓଡିଶାରେ ପ୍ରଚଳିତ ଲୋକ କଥା
– ଜଗାବଳିଆ ଗଜପତିଙ୍କ ସମ୍ମାନ ପାଇଁ କାଂଚି ଅଭିଯାନରେ ସାମିଲ ହେବା ଓଡିଶାର ଲୋକକଥା
– ଜଗନ୍ନାଥ ମନ୍ଦିର ସୁପରିଚାଳନାରେ ବିଫଳ ଆଇନମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ ଉତରଦାୟୀ
– ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥଙ୍କୁ ଦାନର ପରିଚାଳନା ପାଇଁ ଗଠିତ କମିଟି ବୈଠକକୁ ଜାଣି ଶୁଣି ଆୟୋଜନ କରା ଯାଉ ନାହିଁ
– ବିଦେଶୀ ଖବର କାଗଜରେ ରତ୍ନ ଭଣ୍ଡାର ଚାବି ଓ ସମ୍ପତି ସୁରକ୍ଷା ପ୍ରସଙ୍ଗ ଓଡିଆଙ୍କ କଷ୍ଟକୁ ଆହୁରି ବଢେଇଛି
– ରାଜ୍ୟ ସରକାର ଅପାରଗତାକୁ ଲୁଚାଇବା ପାଇଁ ମିଛ ଡ୍ରାମା କରୁଛି
ଭୁବନେଶ୍ୱର, ୧୬ ଜୁଲାଇ (ଓଡ଼ିଆ ପୁଅ) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଏ କେମିତି ଭକ୍ତି କରିବ ଓଡିଶାର ଶାସକ ଦଳର ବନ୍ଧୁ ମାନେ ତାହାର ଠିକାଦାର ନୁହନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ଆଇନ ମନ୍ତ୍ରୀ ଓ ଶାସକ ଦଳର ପ୍ରବକ୍ତା ରଥଯାତ୍ରା ଦିନ ଗଜପତି ମହାରାଜ ରଥରେ ଝାଡୁ ମାରନ୍ତି କହିଥିବାରୁ ଏହାକୁ ବିରୋଧ କରି ସେ କ୍ଷମା ମାଗନ୍ତୁବୋଲି ଦାବି କରିଥିଲେ। ଏ ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ସାଧାରଣ ଓଡିଆ ଲୋକ। କାଂଚିର ରାଜା ଆମର ଗଜପତି ରଥକୁ ସଫା କରିବା, ଓଳେଇବା, ଝାଡୁ ମାରୁଥିବା କାରଣରୁ ନିଜ ଝିଅ ଦେବେ ନାହିଁ ବୋଲି କହିବା ଓଡିଶାରେ ପ୍ରଚଳିତ ଲୋକ କଥା। ଏଥି ପାଇଁ କାଂଚି ଅଭିଯାନ ହୋଇଥିଲା। ଜଗାବଳିଆ ଗଜପତିଙ୍କ ତରଫରୁ ଲଢିବାକୁ ଯାଇଥିଲେ। ଛେରା ପହଁରା, ଓଳେଇବା ବା ଝାଡୁ ମାରିବା ଓଡିଶାରେ ପ୍ରଚଳିତ ଶବ୍ଦ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନାର ଉତରଦାୟୀ। ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ଦାନ ପାଇଁ ଏକ କମିଟି ଅଛି। ଆଇନମନ୍ତ୍ରୀ ଏହାର ସଦସ୍ୟ। ମାତ୍ର ଏହାର ମିଟିଂ ହେଉ ନାହିଁ, ଜାଣିଶୁଣି କରାଯାଉ ନାହିଁ। ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ଏହି ପ୍ରସଙ୍ଗ ଉଠଉଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ନେଇ ଅନ୍ତରାଷ୍ଟ୍ରୀୟ ଖବର କାଗଜରେ ଛପିଥିବା ଖବର ଓଡିଆ ଖବର କାଗଜରେ ଆଜି ଦେଖିବାକୁ ମିଳିଛି। ଓଡିଶା ଲୋକ ମାନେ କଷ୍ଟରେ ଅଛନ୍ତି ଓ ଏହି କଷ୍ଟ ବଢୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *