ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରୀ ତେଲ

ପୁରୀ:୦୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜ୍ୱର ପିଡା ଲାଘବ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ। ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନେ ୧୦୮ଗରା ଜଳରେ ସ୍ନାନ କରିବା ପରେ ଜ୍ୱର ରୋଗରେ ପୀଡିତ ହୋଇ ଅନବସର ଘରେ ରହିଛନ୍ତି। ସପ୍ତବରଣ ଏବଂ ଶ୍ରୀଅଙ୍ଗ ପିଠା ପରେ ଗତକାଲି ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପ ଦିଆଯାଇଛି। ମଧ୍ୟାହ୍ନ ଧୂପ ପରେ ଓଡିଆ ମଠରୁ ଫୁଲୁରୀ ତେଲ ଅଣାଯାଇଥିଲା। ୩ଟି ମାଟି ପାତ୍ରରେ ୬ସେର ତେଲ ମଠର ମଠାଧିଶ ବଂଶୀଧର ଦାସ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ। ବଟଗଣେଶ ମନ୍ଦିର ସମ୍ମୁଖ ସରଗରେ ତାହାକୁ ରଖାଯାଇଥିଲା। ଅଣସର ତାଟି ଖୋଲିବା ପରେ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳିକରଣ ଫୁଲୁରୀ ତେଲ ଅଣସର ଘରକୁ ପଠାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ୪ବାଡଗ୍ରାହୀ ଦଇତାପତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପ ଦେଇଛନ୍ତି। ଘଣାପେଡା ରାଶି ତେଲରେ ବାସ୍ନା ଧାନ, ବାସ୍କା ଚାଉଳ, ମେଥି, ବେଣାଚର ୭ପ୍ରକାର ଔଷଧୀୟ ମୂଳ, ମଲ୍ଲୀ, ଚମ୍ପା, କିୟାଫୁଲ, ବଉଳ ଫୁଲ, କସ୍ତୁରୀ, କର୍ପୂର, ଚୁଆ ଓ କେଶର ପକାଯାଇ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥିଲା। ଜ୍ୱର ସମୟରେ ସୁବାଷିତ ତେଲ ମାଲିସ କରାଗଲେ ଶରୀରର ବ୍ୟଥା ଦୂର ହୋଇଥାଏ। ପରମ୍ପରା ଅନୁଯାୟୀ ବର୍ଷକ ପୂର୍ବରୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଫୁଲୁରି ତେଲ ପ୍ରସ୍ତୁତ ଆରମ୍ଭ ହୋଇଥାଏ। ଗତବର୍ଷ ହେରାପଞ୍ଚମୀ ତିଥିରେ ମଠମହନ୍ତ ଦୁଇଟି ମାଠିଆରେ ଘଣାପେଡା ରାଶି ତେଲ ରଖି ମାଟି ତଳେ ପୋତି ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସହସ୍ର କୁମ୍ଭବରଣ ସମୟରେ ମାଟିରୁ ତେଲ ମାଠିଆ ବାହାର କରାଯାଇ ଛଣାଯିବା ସହ ପ୍ରଭୁଙ୍କୁ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହି ତେଲ ମାଲିସ ପରେ ଶ୍ରୀଜିଉଙ୍କର ତାତି ହ୍ରାସ ପାଇଛି। ଆଜିଠାରୁ ଶ୍ରୀଜିଉଙ୍କୁ ଓସୁଅ ଲାଗି କରାଯିବ।

Leave a Reply

Your email address will not be published. Required fields are marked *