ଆମ ସଂସ୍କୃତି, କଳା ଓ ଐତିହ୍ୟ

ମହାପ୍ରଭୁଙ୍କର ରଥ ନିର୍ମାଣରେ ଭୋଇ ସେବା ଏକ ପ୍ରମୁଖ ସେବା

ପୁରୀ:୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥଖଳାରେ ଏବେ ୩ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତତିରେ ଆଗେଇ ଚାଲିଛି। ରଥ ନିର୍ମାଣରେ ମହାରଣାମାନଙ୍କ ସହିତ ମୁଖ୍ୟ ଭୂମିକା ରହିଛି ଭୋଇ ସେବକମାନଙ୍କର। ରଥ ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଭୂମିକା ଅଗ୍ରଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବଡଦାଣ୍ଡରେ ଗଦା ହୋଇଥିବା ରଥକାଠକୁ ରଥଖଳାକୁ ବୋହି ନେବା ଠାରୁ ଆରମ୍ଭ କରି ରଥ ଉପରେ ସାରଥୀକୁ ବସାଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭୋଇମାନଙ୍କ କାର୍ଯ୍ୟ ରହିଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କର ଅଂଶୀଦାର ଥାଏ। ପ୍ରଥମେ ଅକ୍ଷୟ ତୃତୀୟାରେ ଭୋଇ ସର୍ଦ୍ଦାରଙ୍କୁ ଶାଢ଼ି ଦେଇ ବରଣ ଦ୍ୱାରା ପ୍ରଦତ୍ତ ହେବା ପରେ ସର୍ଦ୍ଦାର ୩ ରଥର ଦୁଇଜଣ ଲେଖାଏଁ ମୁଖ୍ୟ ଭୂଇଁକୁ ଶାଢ଼ି ଦେଇଥାନ୍ତି। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଭୋଇ ମାନଙ୍କ ଦ୍ୱାରା ଯନ୍ତାଗାଡ କଳା ଅନୁକୂଳ ହୋଇଥାଏ। ତୁମ୍ଭରେ ଅର ଯୋଡା ଯିବା ପେଳେ ଭୋଇମାନେ କୋରା ମୁଣ୍ଡରେ ବାଡେଇ ବାଡେଇ ଅର ଗୁଡିକ ତୁମ୍ଭ ମଧ୍ୟରେ ଭର୍ତ୍ତି କରିଥାନ୍ତି। ଯାହା ଶିଙ୍ଗଡା ଅନୁକୂଳ ବୋଲି କୁହାଯାଏ। ଭୋଇ ମାନେ ମୁଖ୍ୟତଃ ୧୨ଫୁଟିଆ, ୨୦ ଓ ୪୦ଫୁଟିଆ କାଠକୁ ମିଳିତ ଭାବେ ରଥଖଳାକୁ ବୋହି ଆଣିଥାନ୍ତି। ତିନି ରଥର ଚକ ହେଣା ସମୟରେ ମଧ୍ୟ ସେମାନେ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି। ରଥ ନିର୍ମାଣ ସହିତ ରଥକୁ ସାରଥି, ହଂସପଟ୍ଟା, ଘୋଡା ଯୋଚିବା, ପାର୍ଶ୍ୱ ଦେବତା, ଅଅଁଳା ଓ ଗୁଆ ଆଦିକୁ ରଥକୁ ବୋହି ଆଣିଥାନ୍ତି। ଏତଦ୍ବ୍ୟତୀତ ରଥରେ ଚାରମାଳ ବାନ୍ଧିବା ଓ ଖୋଲିବା ଭୋଇମାନଙ୍କର କାର୍ଯ୍ୟ। ତାଳଧ୍ୱଜ ରଥରେ ନକୁଳ ଓ ଧୋବା, ଭୋଇ। ଦର୍ପଦଳନ ରଥରେ ରବି ଓ ବସନ୍ତ ଭୋଇ। ନନ୍ଦିଘୋଷ ରଥରେ କାର୍ତ୍ତିକ ଓ ବିଷ୍ଣୁ ଭୋଇ ମୁଖ୍ୟ ଭୋଇ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ରବିଙ୍କ ତତ୍ତ୍ୱାବଦାନରେ ତାଳଧ୍ୱଜରେ ୨୪, ଦର୍ପଦଳନରେ ୨୫ ଓ ନନ୍ଦିଘୋଷ ରଥ ନିର୍ମାଣରେ ୨୬ଜଣ ଭୋଇ ସେବକ ନିୟୋଯିତ ହୋଇଛନ୍ତି। ସର୍ଦ୍ଦାରଙ୍କ ରଥ ନିର୍ମାଣରେ ଗୁରୁ ଦାୟିତ୍ୱ ରହିଛି। ରବି ଭୋଇ ଏଥିପାଇଁ ଅକ୍ଷୟ ତୃତୀୟା ଠାରୁ ଶୟନ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିସାନ୍ନ ସେବନ କରିଥାନ୍ତି। ସର୍ଦ୍ଦାରଙ୍କୁ ପ୍ରାପ୍ୟ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ଅଡାକାଠି ଏକାଦଶୀକୁ ଅବଢ଼ା ଆଦି ପ୍ରଦାନ କରାଯାଇଥାଏ। ପୁରୁଷାନୁକ୍ରମେ ଭାବେ ରବିଙ୍କ ପରିବାର ପରମ୍ପରାକୁ ରକ୍ଷା କରି ରଥ ନିର୍ମାଣରେ ସର୍ଦ୍ଦାର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଭୋଇମାନଙ୍କୁ ଯାହା ପ୍ରାପ୍ୟ ପ୍ରଦାନ କରାଯାଉଛି ସମସ୍ତ ଏହାକୁ ନେଇ ସନ୍ତୁଷ୍ଟ ଥିବା ସର୍ଦ୍ଦାର ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top