ad
ଓଡ଼ିଶା

ମହାନଦୀ ସମସ୍ୟାକୁ ବିକ୍ରି କରି ବିଜେଡି ରାଜନୀତି କରିବାର ଅପଚେଷ୍ଟା ଚଲାଇଛି: ବିଜେପି

ମୁଖ୍ୟମନ୍ତ୍ରୀ ଜଳସଂପଦ ବିଭାଗ ପାଇଂ ୭୫ ହଜାର କୋଟି ଟଙ୍କା ଘୋଷଣା କରିବା ପ୍ରସଙ୍ଗରେ
– ମୁଖ୍ୟମନ୍ତ୍ରୀ ୧୮ ବର୍ଷ ମଧ୍ୟରେ ଗୋଟିଏ ବି ବନ୍ଧ କରି ନାହାଁନ୍ତି
– ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗୋଟିଏ ପ୍ରତିଶୃତିକୁ ପାଳନ କରିନାହାଁନ୍ତି

ଭୁବନେଶ୍ୱର, ତା ୧୮/୦୫ : ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୧୮ ବର୍ଷର ଶାସନ ମଧ୍ୟରେ ୧୬୮ଟି ନଦୀବନ୍ଧରୁ ଗୋଟିଏ ବି ବନ୍ଧ ହୋଇପାରିଲା ନାହିଁ। ମେଗା ପ୍ରୋଜେକ୍ଟ ୮ଟି ହୋଇପାରିଲା ନାହିଁ। ବହୁ ବର୍ଷଧରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଥିବା ଜଳ ସଂପଦ ବିଭାଗର ବିକାଶ ହୋଇପାରିଲା ନାହିଁ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜଳ ସଂପଦର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ଘୋଷଣା କରିଥିବା ପ୍ରକଳ୍ପ କାମ ଆରମ୍ଭ ହୋଇନଥିବା ସମୟରେ ଏବେ ପୁଣି ଟଙ୍କା ଘୋଷଣା କରିବା କେତେ ଯୁକ୍ତିଯୁକ୍ତ। ଏହି ଅର୍ଥ ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଶ୍ନ ପଚାରିଛନ୍ତି।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୫ ପ୍ରତିଶତ ଜମିକୁ ଜଳସେଚିତ କରିବୁ ବୋଲି କହିଥିଲେ। ୨୫ ପ୍ରତିଶତ ଜଳସେଚିତ ହୋଇସାରିଛି ଏବଂ ଆହୁରି ୨୫ ପ୍ରତିଶତ ଜମିକୁ ଜଳସେଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ ୨୦୦୪ ମସିହାରେ ଘୋଷଣା କରିଥିଲେ। ୨୦୦୯ ମସିହା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତି ବ୍ଲକର ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚିତ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଘୋଷଣା କରିଥିଲେ। ସେହିପରି ୨୦୧୪ ମସିହାରେ ରାଜ୍ୟସରକାର ଓଡିଶାର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଅନ୍ୟ ପକ୍ଷରେ ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ନିଜ ନିର୍ବାଚନୀ ଇସ୍ତହାରରେ ଓଡିଶାର ୭ଲକ୍ଷ ଜମିକୁ ଜଳସେଚିତ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ଗତ କିଛିଦିନ ପୂର୍ବରୁ ଜଳ ସେଚନ ବିଭାଗ ପ୍ରେସ ଇସ୍ତାହାର ୧୭ ବର୍ଷ ଶାସନ ମଧ୍ୟରେ ୧୩ ଲକ୍ଷ ୨୬ ହଜାର ହେକ୍ଟର ଜମି ଜଳସେଚିତ କରାଯାଇଛି ବୋଲି ଦର୍ଶାଇଥିଲେ। ରାଜ୍ୟସରକାର ଗତ ୨୦୧୪ରୁ ୨୦୧୭ ମସିହା ୩ ବର୍ଷ ମଧ୍ୟରେ ୪ ଲକ୍ଷ ହେକ୍ଟର ଜମିରୁ ଜଳସେଚିତ କରିଛୁ ବୋଲି କହିଥିଲେ। ଯଦି ଏହି ସବୁ କାମ କରାଯାଇଛି ତେବେ ରାଜ୍ୟର ଚାଷୀ ଜମିକୁ ପାଣି ନଯୋଗାଇପାରି ଆତ୍ମହତ୍ୟା କରନ୍ତା ନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗୋଟିଏ ପ୍ରତିଶୃତିକୁ ପାଳନ କରିନାହାଁନ୍ତି। ୨୦୦୮ ମସିହାରେ ଗୋଟିଏ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମହେନ୍ଦ୍ରତନୟା ପ୍ରକଳ୍ପ ପାଇଁ ଏବଂ ଆନ୍ଧ୍ରପ୍ରଦେଶ ସରକାର ନୈରିଡି ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ। ନୈରିଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ମହେନ୍ଦ୍ରତନୟା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମହାନଦୀ ସମସ୍ୟାକୁ ବିକ୍ରି କରି ବିଜେଡି ରାଜନୀତି କରିବାର ଅପଚେଷ୍ଟା ଚଲାଇଛି। ମୁଖ୍ୟମନ୍ତ୍ରୀ କେବେବି ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରିବେ ନାହିଁ। ବିଜେଡି ମହାନଦୀକୁ ନେଇ ରାଜନୀତି କରିବା ବନ୍ଦ କରୁ। ଭବିଷ୍ୟତରେ ମହାନଦୀକୁ ନେଇ ଯଦି କିଛି ସମସ୍ୟା ଉଠେ ତା ପାଇଁ କେବଳ ବିଜେଡି ଏବଂ ନବୀନ ପଟ୍ଟନାୟକ ହିଁ ଦାୟୀ ରହିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସଚିବ କହିଥିଲେ ଯେ, ଛତିଶଗଡରେ ୧୦୦ଟି ଡ୍ୟାମ ହେଲେ ବି ରାଜ୍ୟର ପାଣିର ଅଭାବ ରହିବ ନାହିଁ କି କୌଣସି କ୍ଷତି ହେବ ନାହିଁ। ଏବେ ନିଜ କଥାରୁ ଓହରି ଅନ୍ୟକୁ ଦାୟୀ କରିବା ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସେହି ଦିନ ମୁଖ୍ୟମନ୍ତ୍ରୀ ମହାନଦୀର ତଳ ମୁଣ୍ଡରେ ୭ ଟି ଡ୍ୟାମ କରିବେ ବୋଲି କହି କାମ ଆରମ୍ଭ କରିଥାନ୍ତେ ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତି। ଏବେ ଶାସନର ଶେଷ ବର୍ଷରେ ମୁଖ୍ୟମନ୍ତ୍ରୀ ଏପରି ନାଟକ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବସ୍କିପାତ୍ର କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top