ମହାନଦୀ ଲଢେଇ ଟ୍ରିବ୍ୟୁନାଲରେ ହେବ ନା ରାଜରାସ୍ତାରେ?: ବିଶ୍ୱଭୂଷଣ

– ବିଜେପି ସବୁ ସମୟରେ ଓଡିଶା ମା’, ମାଟି ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି
– ବିଜେଡି ମହାନଦୀ ପାଇଁ ମହାସଂଗ୍ରାମ କରିବା କେବଳ ଭୋଟ ବ୍ୟାଙ୍କ ରାଜନୀତି
– ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଚରମ ଦାୟୀତ୍ୱହୀନତାର ପରିଚୟ ଦେଇଛନ୍ତି
– ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା, ଦୂରଦୃଷ୍ଟିହୀନତା, ଦାୟୀତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁଁ ୧୮ ବର୍ଷ ଭିତରେ ଗୋଟିଏ ଜଳପ୍ରକଳ୍ପ ହୋଇପାରିଲା ନାହିଁ
– ୨୦୦୦ ମସିହାରୁ ୮ଟି ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରିଲା ନାହିଁ
– ରାଜ୍ୟସରକାର ମହାସଂଗ୍ରାମ ନାଟକ ନକରି ଟ୍ରିବ୍ୟୁନାଲରେ ଲଢେଇ କରି ମହାନଦୀର ଜଳ ଉପରେ ଓଡିଶାର ଅଧିକାରକୁ ସାବ୍ୟସ୍ତ କରନ୍ତୁ

ଭୁବନେଶ୍ୱର, ତା ୦୩/୦୬ (ଓଡ଼ିଆ ପୁଅ) : ବିଜେପି ସବୁ ସମୟରେ ଓଡିଶା ମା’, ମାଟି ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି ଏବଂ ଭବିଷ୍ୟତରେ ମଧ୍ୟ କରିବ। ଏଥିରେ କୈଅଣସି ପ୍ରକାରର ସାଲିସ କରାଯିବ ନାହିଁ। ଶାସକ ବିଜେଡି ଭଳି ପ୍ରତାରଣା କରି ବିଜେପି ଶସ୍ତା ରାଜନୀତି କରେନି। ମହାନଦୀ ବିବାଦର ଆଲୋଚନା ମାଧ୍ୟମରେ ସମାଧାନ କରିବା ପରିବର୍ତେ ପ୍ରଥମ ଦିନରୁ ଶାସକ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିଥିଲା। ଏବେ ଟ୍ରିବ୍ୟୁନାଲରେ ମହାନଦୀ ପ୍ରସଙ୍ଗ ଥିବାବେଳେ ମିଥ୍ୟା ତଥ୍ୟ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରି ରାଜରାସ୍ତାରେ ଆନ୍ଦୋଳନ କରିବାର ଯଥାର୍ଥତା କେତେ ରହିଛି ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଚରମ ଦାୟୀତ୍ୱହୀନତାର ପରିଚୟ ଦେଇଛନ୍ତି। ଶାସକ ବିଜେଡି ଆପୋଷ ବୁଝାମଣାରେ ମହାନଦୀ ବିବାଦର ସମାଧାନ କରିନଥିଲା। ମାନ୍ୟବର ସୁର୍ପିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ ମହାନଦୀ ପ୍ରସଙ୍ଗରେ ଶେଷ ରାୟ ଶୁଣାଇ ପାରିବେ, ଆନ୍ତରିଣ ରହିତାଦେଶ ଜାରି କରିପାରିବେ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିପାରିବେ। ଏହା ସତ୍ୱେ ଶାସକ ବିଜେଡି ଟ୍ରିବ୍ୟୁନାଲରେ ଉପଯୁକ୍ତ ତଥ୍ୟ ରଖି ଓଡିଶାର ହକ୍କୁ ଛଡାଇ ନଆଣି କୋଟି କୋଟି ଅର୍ଥ ଅଯଥାରେ ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାଇ ରାଜରାସ୍ତାରେ ଚିତ୍କାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପରେ ଶାସକ ବିଜେଡି ନ୍ୟାୟିକ ପ୍ରକ୍ରିୟାରେ ନଲଢି, ବିକ୍ଷୋଭ ଶୋଭାଯାତ୍ରା କରି, ରଣ ହୁକାଂର ଛାଡି ଲୋକଙ୍କୁ ଭୁତେଇବା ପାଇଁ ଏଭଳି ନାଟକବାଜୀ କାହିଁକି କରୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି।

ଦୀର୍ଘ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ମହାନଦୀ ସମେତ ଅନ୍ୟ କୈାଣସି ନଦୀମାନଙ୍କରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବ୍ୟାରେଜ ନିର୍ମାଣ କରିପାରିଲେ ନାହିଁ। ଏବେ କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାଇବା ପାଇଁ ତଳ ମୁଣ୍ଡରେ ୭ଟି ବ୍ୟାରେଜ ଏବଂ ୨୨ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଘୋଷଣା କରି ଲୋକଙ୍କୁ କେବଳ ବୋକା ବନାଇବା ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟ ସରକାରଙ୍କ ଜୀବନକାଳ ସରି ଆସିବା ବେଳକୁ ତାଙ୍କର ବର୍ତମାନ ଜ୍ଞାନ ଉଦୟ ହେଉଛି। ମାତ୍ର ଏ ସ୍ୱପ୍ନ ପାଇଁ ଆଉ ରାତି ନାହିଁ। ମହାନଦୀ ପାଇଁ ମହାସଂଗ୍ରାମର ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ଦୋ ମୁହାଁ ନୀତିକୁ ଦର୍ଶାଉଛି। ଏହା କେବଳ ଭୋଟ ବ୍ୟାଙ୍କ ରାଜନୀତି ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

୨୦୧୧ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି ଯେ, ଛତିଶଗଡ ଯେତେ ବ୍ୟାରେଜ ନିର୍ମାଣ କଲେ ବି ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଗତ ବିଧାନସଭା ଅଧିବେଶନରେ ହୀରାକୁଦକୁ ଆସୁଥିବା ଜଳ ପ୍ରବାହ ଅବ୍ୟାହତ ରହିଛି ବୋଲି ରାଜ୍ୟସରକାର ଉତର ରଖିଛନ୍ତି। ବୁର୍ଲା ଓ ଚିପିଲିମାର ଜଳ ବିଦ୍ୟୁତ କେନ୍ଦ୍ରରେ ଉତ୍ପାଦନ ବଢିଛି ବୋଲି ରାଜ୍ୟସରକାର ତାଙ୍କ ମତ

ରଖିଛନ୍ତି। ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଖୋଦ୍ ସ୍ୱୀକାର କରିଛନ୍ତି। ମହାନଦୀର ଜଳକୁ ସଂରକ୍ଷିତ ରଖିବା ପାଇଁ ଗୋଟିଏ ବ୍ୟାରେଜ ନିର୍ମାଣ ନକରି ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟର ସମସ୍ତ ନଦୀର ଜଳ ସଂପୂର୍ଣ୍ଣଭାବେ ପ୍ରଦୁଷିତ ହୋଇଯାଇଛି ବୋଲି ଖୋଦ୍ ରାଜ୍ୟସରକାର ମାନିଛନ୍ତି। ରାଜ୍ୟ ସରକାର ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରି କୃଷିର ବିକାଶ କରିପାରିଥାନ୍ତେ। ୨୦୦୦ ମସିହାରୁ ୮ଟି ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ କେବଳ ମହାନଦୀ ନୁହେଁ ରାଜ୍ୟର କୌଣସି ନଦୀରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିନାହାଁନ୍ତି। ଗତ ୨୦ ବର୍ଷ ଧରି ଲୋରଇନ୍ଦ୍ର ବୃହତ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ତାହା ଶେଷ ହୋଇପାରିନାହିଁ। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ଦୂରଦୃଷ୍ଟିହୀନତା, ଦାୟୀତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁଁ ୧୮ ବର୍ଷ ଭିତରେ ଗୋଟିଏ ଜଳପ୍ରକଳ୍ପ ହୋଇପାରିଲା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାର ମହାସଂଗ୍ରାମ ନାଟକ ନକରି ଟ୍ରିବ୍ୟୁନାଲରେ ଲଢେଇ କରି ମହାନଦୀର ଜଳ ଉପରେ ଓଡିଶାର ଅଧିକାରକୁ ସାବ୍ୟସ୍ତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ଓ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *