ଓଡ଼ିଶା

ମହାନଦୀ, ବ୍ରାହ୍ମଣୀ ଓ ପୋଲାଭରମ୍ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ତଥ୍ୟ ନାହିଁ

ଭୁବନେଶ୍ୱର, ୧୧ା୯ (ଓଡ଼ିଆ ପୁଅ) : ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ନେଇ ଚାଲିଛି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାସଂଗ୍ରାମ। ଛତିଶଗଡ଼ ବନ୍ଧ ବାନ୍ଧିବା ଫଳରେ ମହାନଦୀ ଶୁଖିଲା ପଡ଼ୁଛି, ଜଳ ବିଦ୍ୟୁତ୍ ଉତ୍ପାଦନ କମୁଛି ଓ ଏହା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବି ତଥା କୃଷକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି। ତେବେ ବିଧାନସଭାରେ ଏ ସଂକ୍ରାନ୍ତରେ କିନ୍ତୁ ସରକାରଙ୍କ ନିକଟରେ କିଛି ତଥ୍ୟ ନାହିଁ।

ବ୍ରାହ୍ମଣୀ, ମହାନଦୀ ଓ କୋଲାବ୍ ସମେତ ଓଡ଼ିଶାରେ ପ୍ରବାହିତ କେଉଁ ସବୁ ନଦୀର ଉପର ଓ ତଳ ମୁଣ୍ଡରେ କେଉଁ ପଡ଼ୋଶୀ ରାଜ୍ୟ କେଉଁଠି କେତୋଟି କରି ବନ୍ଧ ବାନ୍ଧିଛନ୍ତି ଓ ଆଉ କେତୋଟି ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ଏଥିଯୋଗୁ ଓଡ଼ିଶାର କ’ଣ ଲାଭ କ୍ଷତି ହେଉଛି ସେ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲେ। ଏହାଛଡ଼ା ରାଜ୍ୟରେ ପ୍ରବାହିତ କେଉଁ ନଦୀର କେଉଁଠାରେ ରାଜ୍ୟ ସରକାର କେବେ ବ୍ୟାରେଜ୍/ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେଉଁ ନଦୀ ଉପରେ ବନ୍ଧ ନିର୍ମାଣ ଲାଗି ପ୍ରସ୍ତାବ ରହିଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ “ତଥ୍ୟ ସଂଗ୍ରହ କରାଯାଉଅଛି’ ବୋଲି ତିନୋଟି ଶବ୍ଦ ସମ୍ବଳିତ ତଥ୍ୟ ରଖିଛନ୍ତି। ବିଧାୟକ ଶ୍ରୀ ରାୟ ଅଗଷ୍ଟ ୨୪ ତାରିଖରେ ଏହି ପ୍ରଶ୍ନ ସରକାରଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବେଳେ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ସରକାରଙ୍କ ନିକଟରେ କିଛି ତଥ୍ୟ ନ ଥିବା ବିଧାନସଭା ଉତ୍ତରରୁ ଜଣାପଡ଼ିଛି।

ଏଠାରେ ଉଲ୍ଲେଖନୀୟ ଯେ କୋଲାବ୍ ନଦୀର ତଳ ମୁଣ୍ଡରେ ଆନ୍ଧ୍ରପ୍ରଦେଶରେ ପୋଲାଭରମ୍ ପ୍ରକଳ୍ପ ଚାଲିଥିବା ବେଳେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଓ ବ୍ରାହ୍ମଣୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ଅନେକ ନଦୀବନ୍ଧ ପ୍ରକଳ୍ପ କରିବା ଫଳରେ ଓଡ଼ିଶାର ବିପୁଳ କ୍ଷତି ଘଟୁଥିବା ଘେନି ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏ ପ୍ରସଙ୍ଗରେ ଅଦାଲତୀ ଲଢ଼େଇ ଚାଲିବା ସହିତ ରାଜରାସ୍ତାରେ ଆନ୍ଦୋଳନ ବି ହେଉଛି। ଅଥଚ ଏ ଘଟଣାରେ ତଥ୍ୟ ସଂଗ୍ରହ କରାଯାଉଥିବା ଘେନି ମନ୍ତ୍ରୀ ଉତ୍ତର ରଖୁଛନ୍ତି।

ପୂର୍ବରୁ ଅନ୍ୟତମ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ମହାନଦୀ ସମେତ କେତେକ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହିପରି ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ମନ୍ତ୍ରୀ ମଧ୍ୟ ପୂର୍ବରୁ ଅନ୍ୟ ଏକ ଉତ୍ତରରେ ସ୍ୱୀକାର କରିଛନ୍ତି ଯେ ଛତିଶଗଡ଼ ବ୍ୟାପକ ସଂଖ୍ୟକ ନଦୀବନ୍ଧ ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରିବା ସତ୍ତ୍ୱେ ରାଜ୍ୟରେ କୌଣସି ପାନୀୟ ଜଳ ପ୍ରକଳ୍ପ ପ୍ରଭାବିତ ହୋଇନାହିଁ।

ସେହିପରି ବିଦ୍ୟୁତ୍ ଉତ୍ପାଦନ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ମହାନଦୀର ହୀରାକୁଦ ଓ ଚିପିଲିମାରେ ଥିବା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୨୦୧୭-୧୮ ବର୍ଷରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ୨୦୧୬-୧୭ ବର୍ଷରେ ହୀରାକୁଦ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୫୦୬ ମିଲିୟନ୍ ୟୁନିଟ୍ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଥିବା ବେଳେ ୨୦୧୭-୧୮ରେ ତାହା ୫୮୪.୩ ମିଲିୟନ୍ ୟୁନିଟ୍ ହୋଇଥିଲା। ସେହିପରି ୨୦୧୬-୧୭ ବର୍ଷରେ ଚିପିଲିମାରେ ୧୯୭ ନିୟୁତ ୟୁନିଟ୍ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଥିବା ବେଳେ ଗତବର୍ଷ ତାହା ୨୧୪.୫୧ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଥିଲା। ପୂର୍ବରୁ ଅନ୍ୟ ଏକ ଉତ୍ତରରେ ଓଡ଼ିଶାରେ ନଦୀ ମାଛ ଉତ୍ପାଦନ ୫ ବର୍ଷ ଭିତରେ ୨ ଗୁଣରୁ ଅଧିକ ବଢ଼ିଥିବା ବି ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି।

ପଡ଼ୋଶୀ ରାଜ୍ୟଙ୍କ ନଦୀବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର କ’ଣ ଲାଭ କ୍ଷତି ହେଉଛି ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏ ପ୍ରସଙ୍ଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏମିତିକି ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ବନ୍ଧ ଓ ବ୍ୟାରେଜ୍ ସଂକ୍ରାନ୍ତରେ ସରକାରଙ୍କ ନିକଟରେ ତଥ୍ୟ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ବିଧାନସଭାରେ ଏ ସମ୍ବନ୍ଧିତ ସତ୍ୟ ଓ ତଥ୍ୟ ଉପସ୍ଥାପନ କରିବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top