ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ବିଜେଡ଼ିର ୪ ଘଣ୍ଟିଆ ହରତାଳ

– ୧୦ ତାରିଖ ସକାଳ ୬ଟାରୁ ପୁର୍ବାହ୍ନ ୧୦ ପର୍ଯ୍ୟନ୍ତ ୪ ଘଣ୍ଟିଆ ହରତାଳ
– ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଜିଲ୍ଲାରେ ହରତାଳକୁ ସଫଳ କରିବା ପାଇଁ ଆଜି ଅପରାହ୍ନ ୪ଟାରେ ପଥପ୍ରାନ୍ତ ସଭା, ବାଇକ୍, ରାଲି ଓ ଶୋଭାଯାତ୍ରା
ଭୁବନେଶ୍ଵର, ୯/୬ (ଓଡ଼ିଆ ପୁଅ) :ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତିରେ ମହାନଦୀର ଅବଦାନ ଓ ବିଶେଷତ୍ୱ ସଂପର୍କରେ ପ୍ରତ୍ୟେକ ଓଡ଼ିଆ ସଚେତନ। ମହାନଦୀ କେବଳ ନଦୀ ନୁହେଁ। ଏହା ଓଡ଼ିଆମାନଙ୍କ ଆବେଗର ସ୍ରୋତ, ଜୀବନ ଓ ଜୀବିକାର ସୂତ୍ର। ଏଣୁ ମହାନଦୀ ଉପରେ ଆକ୍ରମଣକୁ ଓଡ଼ିଆ ଜାତି ଉପରେ ଆକ୍ରମଣ ବୋଲି ବିବେଚନା କରାଯାଇପାରେ।

ମହାନଦୀକୁ ନେଇ ଚାଲିଛି ଜଘନ୍ୟ ଷଡ଼ଯନ୍ତ୍ର। ପତ୍ରୋଶୀ ରାଜ୍ୟ ଛତିଶଗଡ଼ର ଅପରିଣାମଦର୍ଶ ପଦକ୍ଷେପ ଓଡ଼ିଶା ପାଇଁ କାଳ ହୋଇଛି। ଓଡ଼ିଶା ମାଟିରେ ପ୍ରବାହିତ ମହାନଦୀକୁ ଶୁଖେଇବା ପାଇଁ ଛତିଶଗଡ଼ ତା’ର କାର୍ଯ୍ୟକ୍ରମ ଜାରି ରଖୁଛି। ସଂଘୀୟ ଗଣତାନ୍ତ୍ରୀକ ବିଧି ବ୍ୟବସ୍ଥାର ଉଲଙ୍ଘନ କରି କେନ୍ଦ୍ର ସରକାର, ଛତିଶଗଡ଼କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ କରିଛି। କେନ୍ଦ୍ରରେ ଶାସନ କରୁଥିବା ବିଜେପିର ରାଜ୍ୟ ନେତୃତ୍ୱ ମଣ୍ଡଳୀଙ୍କର ରାଜ୍ୟର ସ୍ୱାର୍ଥ ବିରୋଧୀ ଅଭିମୁଖ୍ୟ ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ଛତିଶଗଡ଼ର ଷଡ଼ଯନ୍ତ୍ର ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ଜାଗ୍ରତ ପ୍ରହରୀ ବିଜୁ ଜନତା ଦଳ କ୍ରମାଗତ ଦୃଷ୍ଟି ଆକର୍ଷଣ କରି ଚାଲିଛି।

ସମସ୍ତ ଆଇନଗତ ଓ ବ୍ୟବସ୍ଥାଗତ ପ୍ରକ୍ରିୟାରେ ଓଡ଼ିଶା ତା’ର ହକ୍ କୁ ଉପସ୍ଥାପିତ କରିଆସୁଛି। ମହାନଦୀକୁ ନେଇ ବିଜେଡ଼ି ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହିତ ଜନ ଆନ୍ଦୋଳନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଢ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସଂକଳ୍ପବଦ୍ଧ ଆଭିମୁଖ୍ୟ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପରିପ୍ରେକ୍ଷୀରେ ସଚେତନ ଓଡ଼ିଶାବାସୀଙ୍କର ଲଢ଼େଇ ଆହୁରି ଗତିଶୀଳ ହୋଇପାରିଛି। ବିଜୁ ଜନତା ଦଳର ଏହି ଲଢ଼େଇ ଜାରି ରହିବ ଓ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। ରାଜ୍ୟର ସ୍ବାର୍ଥ ବିରୋଧୀ ଶକ୍ତିମାନଙ୍କୁ ବରଦାସ୍ତ କରାଯିବ ନାହିଁ ଓ ରାଜ୍ୟର ସ୍ବାର୍ଥ ସହ କଦାପି ସାଲିସ୍ କରାଯିବ ନାହିଁ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି।

ଛତିଶଗଡ଼ ସରକାର ସମସ୍ତ ନିୟମ କାନୁନ୍‌କୁ ଭଲ୍ଲଙ୍ଘନ କରି ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ମହାନଦୀର ପାଣିକୁ ନିଜ ରାଜ୍ୟ ମଧ୍ୟରେ ବିଭିନ୍ନ ଉପାୟରେ ରୋକିଦେବା ପରେ ଓଡ଼ିଶାରେ ପାନୀୟ ଜଳ ସଂକଟ, ଜଳସେଚନ ଘୋର ବାଧାପ୍ରାପ୍ତ ହୋଇଛି। ସାଧାରଣ ଚାଷା ଓ ମସ୍ଥ୍ୟ ଜୀବୀମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ସଂପର୍କରେ ରାଜ୍ୟ ସରକାର ଛତିଶଗଡ଼ ସରକାର, କେନ୍ଦ୍ରୀୟ ଜଳ ଆୟୋଗୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସଂର୍ପକରେ ହସ୍ତକ୍ଷେପ କରିବାକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କୌଣସି ଉଦ୍ୟମ ହେଲା ନାହିଁ।

ମହାନଦୀରେ ଜଳ ପ୍ରବାହିତ ନହେବା ଫଳରେ ଓଡ଼ିଶାର ଜନଜୀବନ ଘୋର ପ୍ରଭାବିତ ହୋଇଛି। ମହାନଦୀ ପ୍ରସଂଗରେ ଆପୋଷ ସମାଧାନ ଓଡ଼ିଶା ଚାହେଁ। କେନ୍ଦ୍ର ଜଳ ସଂପଦ ବିଭାଗ ଦ୍ଵାରା ଦିଲ୍ଲୀ ଠାରେ ଆହୁତ ତ୍ରିପାକ୍ଷୀକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାନଦୀ ପ୍ରସଂଗରେ ରାଜ୍ୟର ଦାବି ଉପସ୍ଥାପିତ କରିଥିଲେ। ସେ ଦର୍ଶାଇଥିଲେ ଯେ ମହାନଦୀ ସମସ୍ୟାର ଚୁଡ଼ାନ୍ତ ସମାଧାନ ହେବା ପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କ ଦ୍ଵାରା ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ଓ ବ୍ୟାରେଜ୍ ବନ୍ଦ କରାଯାଉ।

ମାତ୍ର କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁକି ପ୍ରଧାନମନ୍ତ୍ରୀ ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଲେ ନାହିଁ। ଓଡ଼ିଶା ପ୍ରତି ଏଭଳି ଅବିଚାର ସୀମା ଲଙ୍ଗି ଯାଇଛି। ଓଡ଼ିଶାବାସୀ ଆଉ କେତେ ଦିନ ଏହା ବରଦାସ୍ତ କରିବେ ?

ଓଡ଼ିଆ ଜାତି ପ୍ରତି ଏହି ଅନ୍ୟାୟ ବିରୋଧରେ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ଓ ପ୍ରତିରୋଧ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥର ପ୍ରହରୀ। ଓଡ଼ିଆ ଜାତିର ଏହି ଉଦବେଳନକୁ ଯଥାର୍ଥ ଭାବେ ଉପସ୍ଥାପିତ କରିବା ବିଜୁ ଜନତା ଦଳର କର୍ତବ୍ୟ ଅଟେ। ତେଣୁ ସାମ୍ପ୍ରତିକ ପରିସ୍ଥିତିରେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଏହି ଓଡ଼ିଶା ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ଓଡ଼ିଶାର ଜନସାଧାରଣଙ୍କ କ୍ରୋଧ ଓ ପ୍ରତିବାଦକୁ ପ୍ରତିଫଳନ କରିବା ପାଇଁ କୃତ୍ରିମ ଜଳସଂକଟ ଦ୍ବାରା ସିଧାସଳଖ ପ୍ରତିଘାତ ପାଉଥିବା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଜିଲ୍ଲାରେ ଆସନ୍ତାକାଲି (୧୦/୬/ ୨୦୧୭) ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ଜିଲ୍ଲା ବ୍ୟାପୀ ଶାନ୍ତିପୂର୍ଣ୍ଣ ହରତାଳ ପାଇଁ ଆହ୍ଲାନ ଦେଇଛି। ଏହି ହରତାଳରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ଆଜି ଅପରାହ୍ନ ୪ଟାରେ ସଂପୃକ୍ତ ଜିଲ୍ଲାରେ କେନ୍ଦ୍ର ଓ ଛତିଶଗଡ଼ର ଓଡ଼ିଶା ପ୍ରତି ଏହି ଅବିଚାର ବିରୋଧରେ ଯଥା ପ୍ରାନ୍ତ ସଭା, ବାଇକ, ଭାଲି ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ସଂପୃକ୍ତ ଜିଲ୍ଲାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ପକ୍ଷରୁ ନିବେଦନ କରାଯାଇଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *