ଓଡ଼ିଶା

ମହାନଦୀ କଲମା ଗେଟ୍ ଖୋଲା ନ ହେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୧୯ା୫ (ଓଡ଼ିଆ ପୁଅ) : ଆସନ୍ତା ୨୬ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାଗସ୍ତରେ ଆସି କଟକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜ୍ ବନ୍ଦ ଥିବା ଯୋଗୁଁ ଅଣମୌସୁମୀ ଋତୁରେ ମହାନଦୀରେ ପାଣି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହାଫଳରେ ଓଡ଼ିଶାରେ ପିଇବା ପାଣି ମଧ୍ୟ ମିଳୁନାହିଁ ଏବଂ ଚାଷବାସ ଧ୍ୱଂସ ହୋଇଯିବା ସହିତ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବ୍ୟାହାତ ହୋଇଛି। ବହୁ ଟାଳଟୁଳ ପରେ ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ କଲାପରେ ଗତ ଜାନୁଆରୀ ୨୩ତାରିଖ ଦିନ ମହାନଦୀ ଟ୍ରିବୁନାଲ୍ ପାଇଁ କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଲେ। କିନ୍ତୁ ଏପର୍ଯ୍ୟନ୍ତ ଟ୍ରିବୁନାଲ୍ ର ନିୟମାବଳୀ ପ୍ରକାଶିତ ହେଲାନାହିଁ କିମ୍ବା ଟ୍ରିବୁନାଲ୍ କାର୍ଯ୍ୟକ୍ଷମ ହୋଇନାହିଁ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଏବଂ ଗଣସଂଗଠନଗୁଡ଼ିକ ମହାନଦୀ ପାଣିକୁ ନେଇ ପ୍ରତିବାଦ କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କୁ ସୁହାଇଲା ଭଳି ପଦକ୍ଷେପମାନ ନେଇଚାଲିଛନ୍ତି। କଲମା ବ୍ୟାରେଜ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ମହାନଦୀ ଏକ ମରୁ ନଦୀରେ ପରିଣତ ହୋଇଛି। ତେଣୁ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ କଲମା ଗେଟ୍ ଖୋଲିବା ପାଇଁ ଛତିଶଗଡ଼ ସରକାରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଦାବି କରିଛନ୍ତି। ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ରାଜ୍ୟର ୧୫ଟି ଜିଲ୍ଲାର ୨ କୋଟି ୬୫ ଲକ୍ଷ ଲୋକଙ୍କର ଜୀବନ ଜୀବିକା, ରାଜ୍ୟର ଜୈବ ବିବିଧତା ଓ ପରିବେଶ ମହାନଦୀ ପାଣି ଉପରେ ନିର୍ଭର କରେ। ଛତିଶଗଡ଼ର ମହାନଦୀ ଉପର ମୁଣ୍ଡରେ ଶତାଧିକ ବ୍ୟାରେଜ୍ ଓ ବଡ଼ ବଡ଼ ଡ୍ୟାମ ନିର୍ମାଣ ଯୋଗୁଁ ମହାନଦୀ ଆଜି ମରୁ ନଦୀରେ ପରିଣତ ହେବାକୁ ଯାଉଛି। ଏଭଳିକି ସମଗ୍ର ଦେଶରେ ସ୍ୱାଧୀନତା ପରେ ମହାନଦୀ ଉପରେ ନିର୍ମିତ ହୀରାକୁଦ ନଦୀବନ୍ଧ ଯୋଜନା ଆଧୁନିକ ଭାରତର ମନ୍ଦିର ବୋଲି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ପ୍ରକାଶ କରିଥିଲେ। ଛତିଶଗଡ଼ ସରକାରଙ୍କର ଶିଳ୍ପ ପ୍ରୀତି ଓ କେନ୍ଦ୍ର ସରକାରଙ୍କର ଷଡ଼ଯନ୍ତ୍ର ଯୋଗୁଁ ଆଜି ହୀରାକୁଦ ଜଳଭଣ୍ଡାର ମଧ୍ୟ ଶୁଷ୍କ ହେବାରେ ଲାଗିଛି। ତେଣୁ କଲମା ଗେଟ୍ ଖୋଲିବା ପାଇଁ କୌଣସି ପଦକ୍ଷେପ ନିଆ ନ ଗଲେ ଏବଂ ପ୍ରଧାନମନ୍ତ୍ରୀ ଆବଶ୍ୟକୀୟ ନିର୍ଦ୍ଦେଶ ନଦେଲେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବାକୁ ସମାଜବାଦୀ ପାର୍ଟି ଆହ୍ୱାନ ଦେଇଛି। ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ମହାନଦୀ ପାଇଁ ଆନ୍ଦୋଳନ କରୁଥିବା ଗଣସଂଗଠନମାନେ ଏହି ବିରୋଧରେ ସାମିଲ୍ ହେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top