ମହାନଦୀ -ଇବ୍ -ବ୍ରାହ୍ମଣୀ ନଦୀ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମିତ ବେଆଇନ୍ ବ୍ୟାରେଜ୍ ବନ୍ଦ କରିବା ଦାବିରେ ଗଣବିକ୍ଷୋଭ : ସମାଜବାଦୀ ପାର୍ଟି

ସମ୍ବଲପୁର, ତା ୪ା୫ (ଓଡ଼ିଆ ପୁଅ) : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁରଙ୍କ ଦପ୍ତର ସମ୍ମୁଖରେ ମହାନଦୀ-ଇବ୍ – ବ୍ରାହ୍ମଣୀ ନଦୀ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣ ହେଉଥିବା ବେଆଇନ୍ ଡ୍ୟାମ ଓ ବ୍ୟାରେଜ୍ କୁ ବନ୍ଦ କରିବା ଦାବି ନେଇ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସମାଜବାଦୀ ପାର୍ଟିର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଶତାଧିକ କର୍ମୀ କଚେରୀ ହାଟରୁ ଜଳ କଳସୀ ମୁଣ୍ଡାଇ ସମ୍ବଲପୁର ସହର ପରିକ୍ରମା କରିବା ପରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କ ସମେତ ରାଜ୍ୟ ଛାତ୍ରସଭାପତି ପ୍ରଦୀପ ମିଶ୍ର, ପାର୍ଟିର ସମ୍ବଲପୁର ଜିଲ୍ଲା ସଭାପତି ଅନୀଲ ଯାଦବ, ଝାରସୁଗୁଡା ଜିଲ୍ଲା ସଭାପତି ମହମ୍ମଦ ଅଖତର, ସୁନ୍ଦରଗଡ଼ ସଭାପତି ମିଲନ ମହାନ୍ତ ଓ କୃଷକ ନେତା ବିଜୟ ବେହେରାଙ୍କ ନେତୃତ୍ୱରେ ଶହ ଶହ ଦଳୀୟ କର୍ମୀ କଚେରୀ ଘାଟରୁ ମହାନଦୀ ପାଣି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଥାଉକି ଛତିଶଗଡ଼ ସରକାର ମହାନଦୀ ଓ ଇବ୍ ନଦୀ ଉପରେ ୨୪୬୭ଟି ଛୋଟଛୋଟ ବ୍ୟାରେଜ୍ ଓ ୬ଟି ବଡ଼ ଡ୍ୟାମ୍ ନିର୍ମାଣ କରିବା ଫଳରେ ମହାନଦୀକୁ ଅଣମୌସୁମୀ ଋତୁରେ ପାଣି ଆସିବା ସମ୍ପୂର୍ଣ୍ଣ କମିଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି ଯେ, ଗତବର୍ଷ ଜୁନ୍ ମାସ ସୁଦ୍ଧା ଶତକଡ଼ା ୭୯ ଭାଗ ଜଳ ପ୍ରବାହ ମହାନଦୀକୁ କମିଯାଇଛି। ଏବର୍ଷ ଡିସେମ୍ବର ସୁଦ୍ଧା ମହାନଦୀକୁ ୪୨ଭାଗ ପାଣି କମିବା ସହିତ ଆସନ୍ତା ଜୁନ୍ ମାସ ସୁଦ୍ଧା ଏହା ପାଖାପାଖି ୮୦ ଭାଗରେ କମିବାର ଆଶଙ୍କା ଦେଖାଦେଇଛ। ଯାହାଫଳରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉତ୍କଟ ପାନୀୟ ଜଳସଂକଟ ଦେଖାଦେବା ସହିତ ବିଦ୍ୟୁତ୍ ଉତ୍ପାଦନ ଆଜିସୁଦ୍ଧା ଶତକଡ଼ା ୨୦ ଶତାଂଶ କମିଯାଇଛି। ଏହି ଧାରା ଲାଗି ରହିଲେ ସ୍ୱାଧୀନୋତ୍ତର ଭାରତ ବଷର ପ୍ରଥମ ଜଳ ବିଦ୍ୟୁତ୍ ପ୍ରକଳ୍ପ ହୀରାକୁଦ ଜଳଭଣ୍ଡାର ଶୁଷ୍କ ହେବା ସହିତ ମହାନଦୀ ଏକ ମରୁ ନଦୀରେ ପରିଣତ ହେବ ଏବଂ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ ମରୁଭୂମି ହେବା ଆଶଙ୍କାଙ୍କୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେହିଭଳି ଛତିଶଗଡ଼ ପକ୍ଷରୁ ଇବ୍ ନଦୀ ଉପରେ ନିର୍ମାଣ କରାଯାଉଥିବା ଦିଲ୍ଲୀପ୍ ସିଂହ ଜୁଦେଓ ବ୍ୟାରେଜ୍ ଯୋଗୁଁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପିଇବା ପାଇଁ ଟୋପାଏ ପାଣି ମିଳିବ ନାହିଁ। ଝାଡଖଣ୍ଡ ସରକାରଙ୍କର ଦ୍ୱାରା କୋଏଲ ଓ ଶଙ୍ଖ ନଦୀ ଉପରେ ନିର୍ମାଣଧିନ ଥିବା ବ୍ୟାରେଜ୍ ଓ ଜଳବିଦ୍ୟୁତ୍ ପ୍ରକଳ୍ପ ଯୋଗୁଁ ବ୍ରାହ୍ମଣୀ ନଦୀକୁ ଅଣମୌସୁମୀ ଋତୁରେ ପାଣି ଆସିବା ବନ୍ଦ ହୋଯାଇଛି। ଏହାଫଳରେ ରାଉରକେଲା ଶିଳ୍ପାଞ୍ଚଳ ସମେତ ବଣେଇ ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ଧାରା ଅବ୍ୟାହତ ରହିଲେ ବ୍ରାହ୍ମଣୀ ଅବବାହିକାରେ ଥିବା ତାଳଚେର, କଳିଙ୍ଗନଗର ଏବଂ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପିଇବା ପାଣି ସମସ୍ୟା ଉତ୍କଟ ହେବ। ରାଜ୍ୟ ସରକାର କେନ୍ଦ୍ର ବିଜେପି ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଛତିଶଗଡ଼ ଓ ଝାଡଖଣ୍ଡ ସରକାରଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଓଡ଼ିଶାର ସ୍ୱାର୍ଥ ପ୍ରତି ଆଖି ବୁଜିଦେଇଛି। କେନ୍ଦ୍ର ଜଳସମ୍ପଦ ବିଭାଗ ଓ କେନ୍ଦ୍ରୀୟ ଜଳକମିଶନଙ୍କ ନିରବତା ଯୋଗୁଁ ଆଜି ଚିଲିକା ଓ ସାତକୋଶିଆ ଗଣ୍ଡର ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। ଓଡ଼ିଶାର ୪ କୋଟି ୨୦ ଲକ୍ଷ ଲୋକଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଦୃଢ ଦାବି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଟି୍ରବୁନାଲ୍ ଗଠନ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାକୁ ଅଣଦେଖା କରାଯାଇ ଓଡ଼ିଶାର ସ୍ୱାର୍ଥକୁ ବିଜେପି ପରିଚାଳିତ କେନ୍ଦ୍ର ସରକାର ଓ ବିଜେପି ଶାସିତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ଅଣଦେଖା କରିଚାଲିଛନ୍ତି। ଏହାକୁ ଆମ୍ଭେ ତୀବ୍ର ଭାବେ ନିନ୍ଦାହ କରୁଛୁ। ତୁରନ୍ତ ପ୍ରଧାନମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦପ୍ତର ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *