ଆମ ସଂସ୍କୃତି, କଳା ଓ ଐତିହ୍ୟ

ମହାନଦୀର ପ୍ରାଚୀନତା, ପବିତ୍ରତା

– ଦେବପ୍ରସାଦ ମିଶ୍ର
ପ୍ରାଚୀନ ପୁରାଣ ସାହିତ୍ୟଠାରୁ ଆରମ୍ଭ କରି କେଉଁ ଆବାହନ କାଳରୁ ଏ ଉତ୍କଳ ଭୂଖଣ୍ଡ ଓଡିଶାରେ ମହାନଦୀ ପ୍ରବାହିତ ହେଉଛି, ଏହାକୁ ଓଡିଶାର ଜୀବନ ରେଖା କୁହାଯାଏ। ଏହି ନଦୀ ଉପରେ ଶହ ଶହ କୋଟି କୋଟି ଲୋକ ନିର୍ଭର କରିଥାନ୍ତି। ଆଜି ଏହାର ଉପର ମୁଣ୍ଡରେ ଅନ୍ୟାୟ ଭାବରେ ବଂଧ ପକାଇ ପଡୋଶୀ ରାଜ୍ୟ ଛତିଶଗଡ ପାଣିକୁ ଅଟକାଇବା ଫଳରେ ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଚାରିଆଡେ ଲୋକେ ପାଣି ଟୋପାଏ ପାଇଁ ବ୍ୟାକୁଳ। ଗୋଟାଏ ପଟେ ମହାନଦୀ ଶଯ୍ୟା ଶୁଖିଲା ପଡିଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ୪୦/୫୦ ଫୁଟ ଖୋଳିଲେ ପାଣି ବାହାରୁ ଥିଲା ବର୍ତ୍ତମାନ ସେଠାରେ ଶହେରୁ ଦୁଇଶହ ଫୁଟ ଖୋଳିବାକୁ ପଡୁଛି ଫଳରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ସଂକଟ ହେବାରେ ଲାଗିଛି। ଆଜି ମହାନଦୀ ଶଯ୍ୟା କୁ ଦେଖିଲେ ହୃଦୟ ଫାଟି ଯାଉଛି, ଦିନ ଥିଲା ଏହି ପରମ ପବିତ୍ର, କୀର୍ତ୍ତିଶାଳିନୀ, ବୈଭବଗୌରବିତ ଉତ୍କଳ ଭୂମିରେ ପ୍ରକୃତି ଦେବୀର ସୁନ୍ଦରୀ କନ୍ୟା ମହାନଦୀକୁ ଗଙ୍ଗା, ଯମୁନା, ଗୋଦାବରୀ ଆଦି ଭାରତର ଅନ୍ୟାନ୍ୟ ପ୍ରକ୍ଷାତ ନଦୀ ସହିତ ତୁଳନା କରାଯାଇ ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଉଲ୍ଲେଖ ଥିବା ମହାନଦୀର ପ୍ରାଚୀନତା, ପବିତ୍ରତା ନିମ୍ନରେ ଉଲ୍ଲେଖ କରାଯାଇଛି। କହିବା ବାହୁଲ୍ୟ ଯେ, ଭାରତର ବିଭିନ୍ନ ପବିତ୍ର ନଦୀତାଲିକାରେ ମହାନଦୀର ନାମ ଅନ୍ତର୍ଭୁକ୍ତ। ସୁତରାଂ ପବିତ୍ରତାରେ ମହାନଦୀ ମଧ୍ୟ ଗୌରବିଣୀ।

ବ୍ରହ୍ମପୁରାଣ-

ଅପର୍ଣ୍ଣା ତୁଙ୍ଗଭଦ୍ରାଂ ଚ
କରତୋୟାଂ ମହାନଦୀମ୍।

(ଅଧ୍ୟାୟ-୫୩)

ସରଯୂଶ୍ଚୈବ ଗଙ୍ଗା ଚ
ଗଣ୍ଡକୀ ଚ ମହାନଦୀ।

(ଅଧ୍ୟାୟ-୬୧)

ଶିବପୁରାଣ–
କାବେରୀ କୃଷ୍ଣବର୍ଣ୍ଣା ଚ
ବିତସ୍ତା ଚ ମହାନଦୀ।

(ଅଧ୍ୟାୟ-୧୩)

ଶ୍ରୀମଦ୍ଭାଗବତ-

“ସିନ୍ଧୁରନ୍ଧଃ ଶୋଣଶ୍ଚ ଜଦେ ମହାନଦୀ
ବେଦସ୍ମୃତି ଋଷିକୁଲ୍ୟା”।

(ସ୍କନ୍ଧ-୫)

ଦେବୀ ଭାଗବତ-
ଋଷିକୂଲ୍ୟା ତ୍ରିସାମା ଚ
ବେଦସ୍ମୃତତିମହାନଦୀ।

(ସ୍କନ୍ଧ-୮)

ବରାହପୁରାଣ-

ଶତଦ୍ରୁଂଚ ତତୋ ଗତ୍ୱା
ଦେବିକାଂ ଚ ମହାନଦୀମ୍।

(ଅଧ୍ୟାୟ-୯୭)

ସିନ୍ଧୁଶ୍ଚ ପୁଷ୍କର ଶ୍ଚୈବ
ସରଯୁଶ୍ଚ ମହାନଦୀ।

(ଅଧ୍ୟାୟ-୨୧୪)

ସ୍କନ୍ଧପୁରାଣ

କୃଷ୍ଣବେଣୀ ଭୀମରଥ୍ୟା
ତାମ୍ରପର୍ଣ୍ଣୀ ମହାନଦୀ।

(ବୈଷ୍ଣବଖଣ୍ଡ)

ଶତଭଦ୍ରା ମହାଭାଗା
ସିନ୍ଦୁଶ୍ଚୈବ ମହାନଦୀ।

(ପ୍ରଭାସଖଣ୍ଡ)

ଚନ୍ଦ୍ରଭାଗା ନଦୀ ପୁଣ୍ୟା।
ବାଗ୍ମତୀ ଚ ମହାନଦୀ।

(ଅଧ୍ୟାୟ-୬୮)

ମହାଭାରତ-

ଗଙ୍ଗା ମହାନଦୀ ବେଣା
କୃଷ୍ଣ କାବେରୀ ନର୍ମଦା ତଥା।

(ଅନୁଶାସନ ପର୍ବ)

ନଦୀ ଭୀମରଥା ଚୈବ
ବାହୁଦା ଚ ମହାନଦୀ।

(ଅନୁଶାସନ ପର୍ବ)

ଗୋଦାବରୀଂ ନର୍ମଦାଂ ଚ
ବାହୁଦାଂ ଚ ମହାନଦୀମ୍।

(ଭୀଷ୍ମପର୍ବ)

କାଳିକାପୁରାଣ-
ସାରରୋପି ତଦା ଭାର୍ଯ୍ୟାଂ ଚନ୍ଦ୍ରଭାଗାଂ ମହାନଦୀମ୍।

(ଅଧ୍ୟାୟ-୨୨)

ବାୟୁପୁରାଣ-
ଆହୂତା ତୁ ସରିଚ୍ଛ୍ରେଷ୍ଠା
ଲୋମଶେନ ମହାନଦୀ।

(ଉତ୍ତରଖଣ୍ଡ, ଅଧ୍ୟାୟ-୪୬)

ସ୍ୱଭାବ କବି ଗଙ୍ଗାଧର ମେହେର ରାମଚରିତ ଆଧାର ଉପରେ ସେ ଏକ ଚମକ୍ରାର କାବ୍ୟ ଲେଖିଛନ୍ତି-ତାର ନା “ତପସ୍ୱିନୀ’। ତହିଁରେ ସେ ରାମ-ସୀତାଙ୍କର ଉତ୍କଳଦେଶ ଭ୍ରମଣର ଅନୁଭୂତି ବର୍ଣ୍ଣନା କରିଛନ୍ତି; କିନ୍ତୁ ତାଙ୍କର ଦୃଷ୍ଟିକୋଣ ଏଭଳି ସରସ ଓ ଚିତ୍ତାକର୍ଷକ ଯେ, ମୁଁ ଭାବୁଚି, ଆପଣ ତା’ର ରସ ଉପଲବ୍ଧି କରି ଆନନ୍ଦରେ ଗଦ୍ଗଦ୍ ହୋଇଉଠିବେ।

କବିବର୍ଣ୍ଣା କରିଛନ୍ତି- ଗର୍ଭବତୀ ସୀତା ରାମଙ୍କଠାରୁ ବିଚ୍ଛିନ୍ନ ହୋଇ ବାଲ୍ମୀକି ଆଶ୍ରମରେ କାଳଯାପନ କଲାବେଳେ ଦିନେ ତାଙ୍କର ଅତୀତ କଥା ମନେ ପଡ଼ିଗଲା। ସେ ଭିତରେ ବନବାସ ବେଳେ ଉତ୍କଳର ପବିତ୍ରତମା ମହାନଦୀର ତୀରଭୂମି ତାଙ୍କ ପକ୍ଷରେ କିପରି ଆନନ୍ଦନାୟିନୀ ହୋଇଥିଲା, ସେ କଥା ମଧ୍ୟ ଆସିଗଲା। ସୁତରାଂ ମୌଳିକ କଳ୍ପନାର ବାତାବରଣ ମଧ୍ୟରେ କବି ଗଙ୍ଗାଧର କହିଲେ- “ଦିନେ ସୀତାଙ୍କୁ ଦର୍ଶନ କରିବା ଲାଗି ଉତ୍କଳର ‘ମହାନଦୀ’ ଯାଇ ତାଙ୍କର ମନୋରାଜ୍ୟରେ ପ୍ରବେଶ କଲା ଏବଂ ଯେତେବେଳେ ତାଙ୍କର ସାକ୍ଷାତ୍କାର କରିବାକୁ ଗଲା, ନିଜର ପରିଚୟ ପ୍ରଦାନ ସଂଗେ ସଂଗେ ନିଜ ପ୍ରତି ତାଙ୍କର (ସୀତାଙ୍କର) ଅପୂର୍ବ ସ୍ନେହ କଥା ଉଲ୍ଲେଖ କରି କହିଲା-

କ୍ରିଡ଼ାରେ ରଞ୍ଜିବାରୁ ତୋ ଦିବ୍ୟ ନେତ୍ର
ମୋ ବକ୍ଷ କରିଦେଲୁ ହୀରକ କ୍ଷେତ୍ର।

ଥାଉ ଗିରୀନ୍ଦ୍ରସୂତୀ ସେ ବିଷ୍ଣୁପଦୀ
ତୋ ଦତ୍ତ ଉପାଧିରେ ମୁଁ ମହାନଦୀ।

ଅର୍ଥାତ୍ “ହେ ସୀତେ ! ତୁମେ ଯେତେବେଳେ ପବିତ୍ର ଉତ୍କଳ ଭୂମିରେ ଭ୍ରମଣ କରୁଥିଲ, ମୁଁ ତୁମର ପ୍ରୀତିବର୍ଦ୍ଧନ କରିବାକୁ ମୋର ପ୍ରବାହ ଓ ତୀର ଭୂମିର ବିବିଧ ଦୃଶ୍ୟ ପ୍ରଦର୍ଶନ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିଥିଲି। ଐଶ୍ୱର୍ଯ୍ୟଶାଳୀ ଲୋକମାନେ ତାଙ୍କର ସେବକର କାର୍ଯ୍ୟରେ ଯଦି ଖୁସି ହୁଅନ୍ତି, ତେବେ ସେମାନେ ସ୍ନେହସ୍ୱୀକୃତିର ଚିହ୍ନ ସ୍ୱରୂପ ବକ୍ସିସ୍ ବା ପ୍ରୀତ୍ୟୁପହାର ଦେଇଥାଆନ୍ତି। ହେ ଐଶ୍ୱର୍ଯ୍ୟଶାଳିନି, ମହାଦେବୀ ସୀତେ ! ମୋ ଉପରେ ତୁମେ ଏଭଳି ସନ୍ତୁଷ୍ଟ ହେଲ ଯେ, ପ୍ରୀତିର ଉପହାର ଦେଇ ମୋର ବକ୍ଷପ୍ରଦେଶକୁ ହୀରାଖଣ୍ଡମାନଙ୍କରେ ପୂର୍ଣ୍ଣ କରିଦେଲ। (ସେହି ଦିନରୁ ହୁଏତ ‘ହୀରା’ ଶବ୍ଦ ଯୁକ୍ତ ‘ହୀରାକୁଦ’ ସମ୍ବଲପୁର ପ୍ରତି ସାରା ଭାରତର ଦୃଷ୍ଟି ଆକର୍ଷଣ କରିଛି।)’’

ଦେବପ୍ରସାଦ ମିଶ୍ର, ବରିଷ୍ଠ ସାମ୍ବାଦିକ,
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top