ମହାନଦୀରେ ନିଖୋଜ ଥିବା ଯୁବକଙ୍କ ଶବ ଉଦ୍ଧାର

ତିର୍ତ୍ତୋଲ୨୬/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଡ଼ବଜାର ଛକ ମହାନଦୀ ଘାଟରେ ଗତକାଲି ସକାଳ ୬ଟାରେ ଗାଧୋଇଯାଇ ପାଣିରେ ବୁଡ଼ିଯାଇ ନିଖୋଜ ଥିବା ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ରାହାମା ନିକଟସ୍ଥ ବଡ଼ବଜାରରେ ଥିବା ପ୍ରଫୁଲ ସ୍ୱାଇଁଙ୍କ ଫର୍ଣ୍ଣିଚର ପ୍ଲାଜା ଦୋକାନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଭୂବନ ଥାନା ଅନ୍ତର୍ଗତ ସୁରବରଦାପୁର ଗ୍ରାମର ବଂଶୀ ପଣ୍ଡାଙ୍କ ପୁଅ ସୁବାଷ ପଣ୍ଡା(୩୫) ଗତକାଲି ନଦୀରେ ବୁଡ଼ିଯାଇ ନିଖୋଜ ଥିଲେ। ଗତକାଲି ତିର୍ତ୍ତୋଲ ଅଗ୍ନିଶ୍ରମ କର୍ମଚାରୀ, ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ, କୁଜଙ୍ଗ ଅଗ୍ନିଶ୍ରମ କର୍ମଚାରୀ, ଜଗତସିଂହପୁର ଓ କଟକ ଓଡ଼୍ରାଫ ଟିମ୍ ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀଘସମୟ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଥିବା ସୁବାଷଙ୍କର କୌଣସି ପତ୍ତା ପାଇନଥିଲେ। ଆଜି ପୁନର୍ବାର ଜଗତସିଂହପୁର ଓଡ଼୍ରାଫ ଟିମ୍, ତିର୍ତ୍ତୋଲ ଅଗ୍ନିଶ୍ରମ କର୍ମଚାରୀମାନେ ସକାଳେ ମହାନଦୀର ନିଖୋଜ ଥିବା ସ୍ଥାନରେ ପାଣିଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘସମୟ ଖୋଜିଲାପରେ ଦିନ ୧୦.୨୦ମିନିଟ୍ରେ ସୁବାଷର ମୃତ୍ୟୁ ଶରୀରକୁ ପାଣିଭିତରୁ ଉଦ୍ଧାର କରାଯାଇଥିଲା। ଶବଟିକୁ ପୋଲିସ୍ ଜବତକରି ବ୍ୟବଛେଦ ପାଇଁ ଜଗତସିଂହପୁରକୁ ପଠାଇଥିଲା। ରେଡ଼କ୍ରସ ପାଣ୍ଠିରୁ ମୃତଙ୍କ ପରିବାରକୁ ୧୦ ହଜାର ଟଙ୍କା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *