ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ କଏଦୀମାନଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କାରାଗାରର କଏଦୀମାନଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନିମ୍ନଲିଖିତ ଶ୍ରେଣୀର କଏଦୀମାନଙ୍କୁ ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବ ଏବଂ ସେମାନଙ୍କୁ ତିନୋଟି ପର୍ଯ୍ୟାୟରେ ମୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ବନ୍ଦୀମାନଙ୍କୁ ୨ ଅକ୍ଟୋବର, ୨୦୧୮ (ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ)ରେ ମୁକ୍ତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ କଏଦୀମାନଙ୍କୁ ୧୦ ଏପ୍ରିଲ ୨୦୧୯ (ଚମ୍ପାରଣ ସତ୍ୟାଗ୍ରହର ବର୍ଷପୂର୍ତ୍ତୀ)ରେ ମୁକ୍ତ କରାଯିବ। ତୃତୀୟ ପର୍ଯ୍ୟାୟରେ କଏଦୀମାନଙ୍କୁ ୦୨ ଅକ୍ଟୋବର, ୨୦୧୯ (ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ)ରେ ମୁକ୍ତ କରାଯିବ।

୧. ମହିଳା କଏଦୀ ଯେଉଁମାନଙ୍କର ଆୟୁ ୫୫ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ ଏବଂ ଯିଏ ନିଜ ୫୦ ପ୍ରତିଶତ ବାସ୍ତବିକ ଦଣ୍ଡାଦେଶ ଅବଧି ପୂରଣ କରିସାରିଥିବେ।

୨. ସେପରି କିନ୍ନର କଏଦୀ ଯେଉଁମାନଙ୍କ ବୟସ ୫୫ ବର୍ଷ କିମ୍ବା ତତୋଧିକ ହୋଇଥିବ ଏବଂ ଯେଉଁମାନେ ନିଜ ୫୦ ପ୍ରତିଶତ ବାସ୍ତବିକ ଦଣ୍ଡର ଅବଧି ପୂରଣ କରିସାରିଥିବେ।

୩. ସେପରି ପୁରୁଷ କଏଦୀ ଯେଉଁମାନଙ୍କର ବୟସ ୬୦ ବର୍ଷ କିମ୍ବା ତତୋଧିକ ହୋଇଥିବ ଏବଂ ସେ ନିଜର ୫୦ ପ୍ରତିଶତ ବାସ୍ତବିକ ଦଣ୍ଡ ଅବଧି ପୂରଣ କରିସାରିଥିବେ।

୪. ସେପରି ଦିବ୍ୟାଙ୍ଗ/ଶାରୀରିକ ଭାବେ ୭୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଅକ୍ଷମତା କଏଦୀ ଯେଉଁମାନେ ନିଜ ୫୦ ପ୍ରତିଶତ ବାସ୍ତବିକ ଦଣ୍ଡ ଅବଧି ପୂରଣ କରିନେଇଥିବେ।

୫. ସେପରି ଦୋଷୀ ସାବ୍ୟସ୍ତ କଏଦୀ ଯିଏକି ନିଜ ଦୁଇ ତୃତୀୟାଂଶ (୬୬%) ଦଣ୍ଡ ଅବଧି ସମ୍ପୂର୍ଣ୍ଣ କରିସାରିଥିବେ।

ମୃତ୍ୟୁଦଣ୍ଡ ସଜା ଭୋଗୁଥିବା କିମ୍ବା ମୃତ୍ୟୁଦଣ୍ଡ କୋହଳ କରାଯାଇ ଆଜୀବନ କାରାବାସରେ ପରିଣତ କରାଯାଇଥିବା କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦିଆଯିବ ନାହିଁ। ଏହାବ୍ୟତୀତ ଯୌତୁକ ମୃତ୍ୟୁ, ବଳାକ୍ରାର, ମାନବ ଚାଲାଣ ଏବଂ ପୋଟା, ୟୁଏପିଏ, ଟାଡା, ଏଫଆଇସିଏନ, ପୋସ୍କୋ ଆକ୍ଟ, ବେଆଇନ ଅର୍ଥ କାରବାର, ଫେମା, ଏନଡିପିଏସ, ଦୁର୍ନୀତି ନିରାକରଣ ଅଧିନିୟମ ଆଦିର ଦୋଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ନାହିଁ।

ଗୃହ ମନ୍ତ୍ରଣାଳୟ ସମସ୍ତ ଯୋଗ୍ୟ କଏଦୀଙ୍କ ମାମଲାରେ ଚିହ୍ନଟ ଲାଗି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ପରାମର୍ଶ ଜାରି କରିବ। ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନକୁ ଏହି ମାମଲାରେ ଯାଂଚ ଲାଗି ଏକ ସମିତି ଗଠନ କରିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ଏହି ସମିତିର ସୁପାରିସକୁ ରାଜ୍ୟପାଳଙ୍କ ନିକଟକୁ ବିଚାର ଏବଂ ସମ୍ବିଧାନର ଧାରା ୧୬୧ର ଅନ୍ତର୍ଗତ ମଞ୍ଜୁରି ଲାଗି ପଠାଇବେ। ମଞ୍ଜୁରି ମିଳିବା ପରେ କଏଦୀମାନଙ୍କୁ ୦୨ ଅକ୍ଟୋବର ୨୦୧୮, ୧୦ ଏପ୍ରିଲ ୨୦୧୯ ଏବଂ ୦୨ ଅକ୍ଟୋବର ୨୦୧୯ରେ ମୁକ୍ତ କରାଯିବ।

Leave a Reply

Your email address will not be published. Required fields are marked *