ମହାକାଳପଡା ବ୍ଲକରେ ଇନ୍ଦିରା ଆବାସରେ ବ୍ୟାପକ ଜାଲିଆତି ଅଭିଯୋଗ

କେନ୍ଦ୍ରାପଡା୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ଇନ୍ଦିରା ଆବାସ ଯୋଜନାରେ ୨୦୧୪- ୧୫ ଆର୍ଥିକ ବର୍ଷରେ ବ୍ୟାପକ ଜାଲିଆତି ହୋଇଥିବା ମଙ୍ଗଳବାର ଜିଲ୍ଲାପାଳ ରଘୁଜୀଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ବଡକୂଳ ଗ୍ରାମପଞ୍ଚାୟତରେ ୨୨ଜଣ ହିତାଧିକାରୀଙ୍କ ନାମରେ ୩୨ଟି ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ଏ ସମ୍ପର୍କରେ କିଛି ଜାଣିନଥିବା ବିଷୟ ଏବେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ଗରୀବ ଶ୍ରେଣୀର ଏହି ହିତାଧିକାରୀଙ୍କ ନାମରେ ଅତ୍ୟନ୍ତ ଚଞ୍ଚକତାକରି ଇନ୍ଦିରା ଆବାସ କାର୍ଯ୍ୟାଦେଶ ବ୍ଲକରୁ ହାସଲକରିବା ସହିତ ଏବାବଦରେ ସମସ୍ତ ସରକାରୀ ଅର୍ଥ ତୋଷରପାତ କରାଯାଇଥିବା ସୂଚନା ଅଧିକାର ଆଇନରେ ହାସଲ କରିଥିବା ତଥ୍ୟରୁ ଜଣାପଡିଛି । ଏହି ୨୨ଜଣଙ୍କ ମଧ୍ୟରୁ ୬ଜଣ ହିତାଧିକାରୀଙ୍କ ନାମରେ ୨ରୁ୩ଟି କରି ଇନ୍ଦିରା ଆବାସ କାର୍ଯ୍ୟାଦେଶ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ନିଆଯାଇ ସେହି ଅର୍ଥକୁ ତୋଷରପାତ କରାଯାଇଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ୨୨ଜଣ ହିତାଧିକାରୀଙ୍କ ମଧ୍ୟରୁ ବଡକୂଳ ଗ୍ରାମର ସୁରଥ ଓଝା ଓ ସୁରେନ୍ଦ୍ର ସାହୁ ଦୁଇଜଣ ବିପିଏଲ କାର୍ଡଧାରି ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଘରଟିଏ ପାଇବା ପାଇଁ ଜିଲ୍ଲାପାଳ ରଘୁଜୀଙ୍କୁ ଦରଖାସ୍ତ କରିଥିଲେ । ସେ ଦୁଇଜଣଙ୍କ ଦରଖାସ୍ତକୁ ଜିଲ୍ଲାପାଳ ମହାକାଳପଡା ବିଡିଓଙ୍କ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଠାଇ ଦେଇଥିଲେ । ବିଡିଓଙ୍କ ନିର୍ଦେଶରେ ବଡକୂଳ ପଞ୍ଚାୟତର ନିର୍ବାହୀ ଅଧିକାରୀ ତଦନ୍ତ କରିବାରୁ ଜଣାପଡିଥିଲା ଯେ ଏହି ଦୁଇଜଣ ୨୦୧୪-୧୫ବର୍ଷରେ ଇନ୍ଦିରା ଆବାସ ପାଇଛନ୍ତି । ତେଣୁ ସେମାନେ ଆଉ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ବୋଲି ଉଭୟଙ୍କୁ ବ୍ଲକ ପକ୍ଷରୁ କୁହାଗଲା । କିନ୍ତୁ ସେମାନେ କହିଲେ ଯେ ଏହି କାର୍ଯ୍ୟାର୍ଦେଶ ସେମାନେ ନେଇନାହାନ୍ତି । ଏଭଳି ଭାବରେ ଦୁର୍ନିତି ହୋଇଥିବା କଥା ବାହାରେ ଆଲୋଚନା ହେବାରୁ ଏହାକୁ ନେଇ ସୂଚନା ଅଧିକାର ଆଇନ ଅନୁଯାଇ ବ୍ଲକରୁ ସେହି ପଞ୍ଚାୟତର ସମସ୍ତ ତଥ୍ୟ ମଗାଯିବାରୁ ଜଣାପଡିଲା ଯେ ଇନ୍ଦିରା ଆବାସ ପ୍ରଦାନରେ ବଡକୂଳ ପଞ୍ଚାୟତରେ ବିରାଟ ଘୋଟାଲା ହୋଇଛି ଓ ଏଥିରେ ପ୍ରାୟ ୨୧ଲକ୍ଷରୁ ଅଧିକ ସରକାରୀ ଅର୍ଥ ତୋଷରପାତ କରାଯାଇଛି । ଆହୁରି ମଧ୍ୟ ଜନାପଡିଛି ଯେ ଗୋଟିଏ ବିପିଏଲ ନମ୍ବରକୁ ବ୍ୟବହାର କରି ସମ୍ପୃକ୍ତ ବିପିଏଲରେ ଥିବା ନାମକୁ ଟିକିଏ ବଦଳାଇ ଦେଇ ଏକାଧିକ ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସେହି ଅର୍ଥକୁ ଲୁଟ କରାଯାଇଛି । ଏହିପରି ଭାବେ ମିଳିଥିବା ସରକାରୀ ତଥ୍ୟରୁ ଜଣାପଡେ ଯେ ମହାକାଳପଡା ବ୍ଲକର ଆଇତପୁର ଗ୍ରାମର ସ୍ୱେତ ଦାସଙ୍କ ନାମରେ ୩ଟି,ଆଶ୍ରମ ବାଲିକୁଦା ଗ୍ରାମର ପରିକ୍ଷିତ ନାଥଙ୍କ ନାମରେ ୨ଟି,ପୂର୍ଣ୍ଣଚନ୍ଦ୍ର ନାଥଙ୍କ ନାମରେ ୩ଟି,ଅଖିଳ ନାଥଙ୍କ ନାମରେ ୨ଟି,ବାବାଜୀ ନାଥଙ୍କ ନାମରେ ୨ଟି ଓ କରମକୂଳ ଗ୍ରାମର ନାରଣ ସାମନ୍ତରାୟଙ୍କ ନାମରେ ୨ଟି ଇନ୍ଦିରା ଆବାସ କାର୍ଯ୍ୟାର୍ଦେଶ ଦିଆଯାଇ ସେହି ଅର୍ଥକୁ ହଡପ କରାଯାଇଛି । ସେହିଭଳି ଆଶ୍ରମ ବାଲିକୁଦା ଗ୍ରାମର ଖୁଲଣା ନାଥ,ବଡକୂଳ ଗ୍ରାମର ସୁରଥ ଓଝା,ସୁରେନ୍ଦ୍ର ସାହୁ,ପବିତ୍ର ନାଥ,ଅରକ୍ଷିତ ନାଥ,ହେମ ଲେଙ୍କା,ସୁନ୍ଦରୀ ବେୱା,ପ୍ରମୋଦ କୁମାର ଲେଙ୍କା,ବେନୁପାଳ ଗ୍ରାମର ଭାରତୀ ରାଉତ,ନବଘନ ସାମଲ,ଗେହ୍ଲେଇ ଦେଇ,ଶାନ୍ତିଲତା ପ୍ରଧାନ,ଗୁଲ ମଲ୍ଲିକ,ଗୋପିନାଥପୁର ଓ କରମକୂଳ ଗ୍ରାମର ଅରୁଣ ମହାପାତ୍ର,ବଳରାମ ସାମନ୍ତରାୟ,ଭାରତି ମଲ୍ଲିକ,ଚନ୍ଦ୍ରମଣି ମଲ୍ଲିକ ଓ ରଞ୍ଜନ ସେନାପତିଙ୍କ ନାମରେ ଗୋଟିଏ କରି ଇନ୍ଦିାରା ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସେହି ଅର୍ଥକୁ ହଡପ କରାଯାଇଛି ।ଏ ସମ୍ପର୍କରେ ସେହି ହିତାଧିକାରୀମାନେ କୈାଣସି ସୂଚନା ପାଇ ନଥିବା ଜଣାପଡିଛି । ଏତଦ ବ୍ୟତିତ ସମସ୍ତ ସରକାରୀ ନୀତି ଓ ନିୟମକୁ ଉଲଙ୍ଘନ କରାଯାଇ ମହାକାଳପଡା ବ୍ଲକର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବାପାଙ୍କ ନାମରେ ୩ଟି,ସମ୍ପର୍କୀୟ ଭାଇ ରନôାକର ସାହୁଙ୍କ ନାମରେ ୩ଟି,ସୁରେନ୍ଦ୍ର ନାଥ ସାହୁଙ୍କ ନାମରେ ୩ଟି ଓ ତାଙ୍କ ଭାଉଜଙ୍କ ନାମରେ ଗୋଟିଏ ଇନ୍ଦିରା ଆବାସ ଗୃହର କାର୍ଯ୍ୟାଦେଶ ହାସଲ କରି ସେହି ଅର୍ଥକୁ ଲୁଟ କରିବାରେ ସମର୍ଥ ହୋଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଏ ସମ୍ପର୍କରେ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ରଞ୍ଜନ କୁମାର ଦାସ,ମୃତୁ୍ୟଞ୍ଜୟ ତ୍ରିପାଠୀ,ପ୍ରମୋଦ ଚନ୍ଦ୍ର ସ୍ୱାଇଁ,ଶୁଭେନ୍ଦ୍ର ପ୍ରସାଦ ରାୟ,ହିତାଧିକାରି ସୁରଥ ଓଝା,ସୁରେନ୍ଦ୍ର ସାହୁ,ଭାରତି ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବ୍ଲକର ଗୋଟିଏ ପଞ୍ଚାୟତରେ ଏଭଳି ଇନ୍ଦିରା ଆବାସ ଦୂର୍ନିତି ଘଟିଥିବା ବେଳେ ସମ୍ପୂର୍ଣ୍ଣ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ତଦନ୍ତ କରାଗଲେ ମହାକାଳପଡା ବ୍ଲକର ଇନ୍ଦିରା ଆବାସ ମହାଦୂର୍ନିତି ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *