ମହାକାଳପଡା ପଞ୍ଚାୟତ ସିଂହସାହି ; ପିଇବା ପାଣି ପାଇଁ ଆଜିବି ବିରୂପା ନଦୀ ଭରଷା

ଯାଜପୁର-୮/୮(ଓଡିଆ ପୁଅ/ଏ.ରାଉତ) ବରୀ ବ୍ଲକ ମହାକାଳପଡା ପଞ୍ଚାୟତ ନୀଳାପଦା ସିଂହସାହି ଗ୍ରାମବାସୀଙ୍କ ପାଇଁ ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ପିଇବା ପାଣି ସମସ୍ୟା ଲାଗି ରହିଛି। ଆଜିବି ଗ୍ରାମବାସୀ ପିଇବା ପାଣି ପାଇଁ ନିକଟସ୍ଥ ବିରୂପା ନଦୀ ଉପରେ ନିର୍ଭରଶୀଳ। ନଦୀରୁ ପାଣି ଆଣି ତାକୁ ଘରେ ରଖି ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି। କିଛି ଲୋକ ତାକୁ ଫୁଟାଇ ପିଉଥିଲାବେଳେ କିଛିଲୋକ ଏହାକୁ ସେଇଭଳି ବ୍ୟବହାର କରୁଛନ୍ତି। ଏହି ଗ୍ରାମରେ ୫୨ ପରିବାରରେ ୫୬୦ ଜଣ ଲୋକ ବସବାସ କରୁଛନ୍ତି। ଗମନାଗମନରେ ସେଭଳି ସମସ୍ୟା ନଥିଲାବେଳେ ଗ୍ରାମବାସୀ ମାନେ ମଧ୍ୟ ବେଶ ଉନ୍ନତ ଜୀବନ ଯାପନ କରୁଥିବା ଦେଖିବାକୁ ମିଳେ। ଯାଜପୁର ଜିଲା ସୀମାନ୍ତରେ ଏହି ଗ୍ରାମ ଅବସ୍ଥିତ। କେନ୍ଦ୍ରାପଡା ଜିଲା ଓ ଯାଜପୁର ଜିଲାକୁ ବିଭକ୍ତ କରୁଥିବା ମହାନଦୀର ଶାଖା ନଦୀ ବିରୂପା କୂଳରେ ଏହି ଗ୍ରାମ ଅବସ୍ଥିତ। ଗ୍ରାମରେ ୬ଟି ନଳକୂପ ଓ ୭ଟି କୂଅ ରହିଥିଲେ ମଧ୍ୟ ଏହିସବୁ ପାଣି ବ୍ୟବହାର ଯୋଗ୍ୟ ନୁହେଁ। ନଳକୂପ ପାଣିରେ ଲୈାହ ଭାଗ ଅଧିକ ରହିଥିଲାବେଳେ ଏହା ଲୁଣିଆ ଲାଗୁଛି। ଫଳରେ ଏହି ପାଣି ବ୍ୟବହାର ହୋଇ ପାରୁନାହିଁ। ପିଇବାକୁ ଛାଡି ଏହି ପାଣି ରୋଷେଇରେ ମଧ୍ୟ ବ୍ୟବହାର ହୋଇ ପାରୁନାହିଁ। ଏହି ପାଣିରେ ରୋଷେଇ କଲେ ଡାଲି ସିଝୁ ନଥିଲାବେଳେ ଭାତ ମଧ୍ୟ ହେଉନାହିଁ। ଗ୍ରାମରେ ଭୋଜିଭାତ ହେଲେ ଗ୍ରାମବାସୀ ନିକଟସ୍ଥ ଅମଠପୁର ପଞ୍ଚାୟତରୁ ପାଣି ଆଣି ବ୍ୟବହାର କରନ୍ତି ନହେଲେ ନଦୀ ପାଣିକୁ ବ୍ୟବହାର କରନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଠାରୁ ନେଇ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ। ବିଶେଷ କରି ଗ୍ରାମର ମହିଳାମାନେ ଗ୍ରାମଠାରୁ ୨ସହ ମିଟର ଦୂରରେ ଥିବା ନଦୀକୁ ଯାଇ ପ୍ରତିଦିନ ଗରା ଓ ବାଲଟିରେ ପାଣି ଆଣୁଥରବା ଦେଖିବାକୁ ମିଳେ। ଖରାଦିନେ ନଦୀର ପାଣି ନିର୍ମଳ ଥିବାରୁ ଏହା ପିଇବାରେ ବିଶେଷ ଅସୁବିଧା ହୁଏ ନାହିଁ;କିନ୍ତୁ ବର୍ଷା ଦିନେ ନଦୀ ପାଣି ଗୋଳିଆ ହୋଇଯାଉଥରବାରୁ ଏହାକୁ ପିଇବା କଷ୍ଟ ହୋଇଥାଏ। ଏହାକୁ ଘରେ ଆଣି ରଖିରବା ପରେ ଏହାର ପଟୁ ତଳେ ବସିଲେ ଏହାକୁ ବ୍ୟବହାର କରାଯାଏ। ନଦୀରୁ ପାଣି ଆଣିଲା ବେଳେ ବହୁ ସମୟରେ ମଲା ପଶୁପକ୍ଷୀ ଓ ମଣିଷ ଶବ ଭାଷୁଥିଲାବେଳେ ଏହି ମଲାଦେହ ଭାଷିଗଲାପରେ ପାଣି ଆଣୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ବର୍ଷା ଦିନେ ନଦୀ କୂଳ ଅତଡା ଖାଉଥି ସେଠାରୁ ପାଣି ଆଣିବା ମଧ୍ୟ ବହୁ କଷ୍ଟ ହେଉଛି। ବାରୁ ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ନୈରାଶ୍ୟ ଦେଖାଦେଇଛି। ଗତ ପଂଚାୟତ ନିର୍ବାଚନ ସମୟରେ ଗ୍ରାମବାସୀ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ଦାବି କରି ଅଡି ବସିଥିଲେ। ଫଳରେ ଗ୍ରାମନିକଟରେ ଯାଇଥିବା ଦୁଆବ ଘେରିବନ୍ଧ କଡରେ ଏକ ବୋରଫ୍ୱେଲ ଖୋଲାଯାଇଥିବା ଦେଖିବାକୁ ମିଳିଛି। ଏହି ପାଣି ମଧ୍ୟ ଖରାପ ପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରମାବସୀ ହତୋତ୍ସାହିତ ହୋଇ ପଡିଥିଲାବେଳେ ପ୍ରଶାସନ ସିଂହସାହି ଗ୍ରାମବାସୀଙ୍କ ପିଇବା ପାଣି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *