ଓଡ଼ିଶା

ମହରମ : ସମ୍ବଲପୁରର ୭ଟି ସ୍ଥାନରୁ ତାଜିଆ ଶୋଭାଯାତ୍ରା

ସମ୍ବଲପୁର, ୨୧/୯ (ଓଡ଼ିଆ ପୁଅ) – ସମ୍ବଲପୁର ସହରରେ ଧର୍ମୀୟ ଭାବନା ଓ ଉଦ୍ଦୀପନାର ସହିତ ପବିତ୍ର ମହରମ ପର୍ବ ପାଳନ କରାଯାଇଛି। ମୁଦିପଡ଼ାରୁ ହିନ୍ଦୁ ପରିବାରର ତାଜିଆ ଶୋଭାଯାତ୍ରା ସହିତ ସହରର ବିଭିନ୍ନ ସ୍ଥାନରୁ ୭ଟି ତାଜିଆ ପଟୁଆର ବାହାରିଥିଲା। ମୋତିଝରଣ, ଦଳେଇପଡ଼ା, ବଡ଼ବଜାର, ପେନସନପଡ଼ା, ଭୂତାପଡ଼ା, କୁମ୍ଭାରପଡ଼ା ପ୍ରଭୃତି ସ୍ଥାନରୁ ଭିନ୍ନ ଭିନ୍ନ କମିଟୀର କର୍ମକର୍ତ୍ତାମାନେ ମହରମ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ରାସ୍ତାରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଲୋକେ ପାରମ୍ପରିକ ଆଖଡ଼ାରେ ଅଂଶଗ୍ରହଣ କରିଥିଲେ। ଗୋଲବଜାର, ଲକ୍ଷ୍ମୀଟକିଜ ଛକ, ଭିଏସ୍ଏସ୍ ମାର୍ଗ, ପେନସନପଡ଼ା ଛକ ପ୍ରଭୃତି ସ୍ଥାନରେ ଶୋଭାଯାତ୍ରାକୁ ସମ୍ବଦ୍ଧିତ କରାଯାଇଥିଲା।

ମୁଦିପଡ଼ାରେ ପଢ଼ିଆରୀ ପରିବାର ପକ୍ଷରୁ ମହରମ ପାଇଁ ବାହାର କରାଯାଇଥିବା ଶୋଭାଯାତ୍ରା ଏଥର ୩୫୫ ବର୍ଷରେ ପହଞ୍ଚିଛି। ୧୬୬୪ ମସିହାରୁ ଏହି ପରିବାର ତାଜିଆ ଶୋଭାଯାତ୍ରା କରିଆସୁଛନ୍ତି। ପରିବାରର ପୂର୍ବଜ ଜୟଦେବ ପଢ଼ିଆରୀ ମକ୍କା ଯାତ୍ରା କରିଥିଲେ। ସେ ୧୬୬୪ ମସିହା ବେଳକୁ ଅର୍ଥାତ୍ ଯାତ୍ରାର ୨ ବର୍ଷ ପରେ ଦୁଇଜଣ ମୁସଲମାନ ଧର୍ମଯାଜକଙ୍କ ସହ ଲକ୍ଷ୍ନୌ ବାଟ ଦେଇ ସମ୍ବଲପୁରରେ ପହଞ୍ଚିଥିଲେ। ସେହିବର୍ଷ ଠାରୁ ପଢ଼ିଆରୀ ପରିବାର ତାଜିଆ ବାହାର କରୁଥିବା ଜନଶ୍ରୁତି ରହିଛି। ଏଠାରେ ମୌଲବୀମାନେ ନମାଜ ପାଠ କରୁଥିଲେ ମଧ୍ୟ ସ୍ଥାନୀୟ ରୀତିନୀତି ମଧ୍ୟ ଅନୁସରଣ କରାଯାଏ। ସେହିଭଳି ସହରର ବିଭିନ୍ନ ସ୍ଥାନରୁ ବାହାରିଥିବା ଆକର୍ଷଣୀୟ ତାଜିଆ ଦେଖିବା ପାଇଁ ରାସ୍ତା ଓ କୋଠାମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥିଲା। ମହରମରେ ଶାନ୍ତିଶୃଙ୍ଖଳା ରଡ଼ା ସକାଶେ ମାଜିଷ୍ଟ୍ରେଟଙ୍କ ସହ ଏସ୍ପି ସଞ୍ଜୀବ ଆରୋରା ଉପସ୍ଥିତ ଥିଲେ। ଗତ ବର୍ଷ ଭଳି ଏଥର ମଧ୍ୟ ଲାଠି ବ୍ୟତୀତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କିମ୍ବା ଖେଳ ଦେଖିବାକୁ ମିଳିନଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top