ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ପୌରାଞ୍ଚଳରେ ଉଭୟ ହିନ୍ଦୁ-ମୁସଲିମ୍ ସଂପ୍ରଦାୟର ମହରମ୍ ପର୍ବ ଉପଲକ୍ଷେ ତାଜିଆ ଓ କାଫିଲା ଶୋଭାଯାତ୍ରା ସହ ବୁଢା ଗଣେଶ ଓ ଟୋକା ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ପ୍ରଶାସନର ଅଂକୁଶ ରହିଥିବାରୁ ସେଥିପାଇଁ ଅନୁମତି ଦେବା ଲକ୍ଷ୍ୟରେ ଆଜି ଜାତୀୟ ସଦ୍ଭାବନା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ଚଉଦ ମହଲା ମୁସ୍ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ସମାଜସେବୀ ସଂଜୀବ ମଲ୍ଲିକ, ପବନ କୁମାର ବାଗିଡିଆ, ଭଦ୍ରକ ଓକିଲ ସଂଘର ସଭାପତି ବିଷ୍ଣୁମୋହନ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟାପିକା ରାଧାରାଣୀ ମହାପାତ୍ର, ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, କାଉନ୍ସିଲର ତଥା ଜିଲା ବିଜେପିର ଉପସଭାପତି ଶରତ ପଢିହାରୀ, ବିଶିଷ୍ଟ ଆଇନ୍ଜୀବୀ ରାୟ ରାମାନନ୍ଦ ମହାପାତ୍ର, ବିଦ୍ୟାଧର ସାହୁ, ଜିଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁଧାକର ରାଉତ, ରବିନାରାୟଣ ଘୋଷ, କାଉନ୍ସିଲର ଦିଲ୍ଲୀପ ନାୟକ, ଆଇନ୍ଜୀବୀ ଅତିଶ ବେହେରା ପ୍ରମୁଖ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ମୂଳେ ଭଦ୍ରକରେ ଉଭୟ ସଂପ୍ରଦାୟର ଦାୟିତ୍ୱବାନ ନାଗରିକ ମାନେ ସହରର ଭାଇଚାରାକୁ ବଜାୟ ରଖିବାରେ ଦୀର୍ଘ ଦଶନ୍ଧି ଧରି ମିଳିମିଶି ଚଳିଆସୁଛନ୍ତି । ଏବଂ ସେମାନେ ଉଭୟ ସଂପ୍ରଦାୟର ପର୍ବପର୍ବାଣି ଓ ଶୋଭାଯାତ୍ରାକୁ ସମ୍ମିଳିତ ଭାବେ ପାଳନ କରିଆସୁଛନ୍ତି । ଏହି ପାଳନର ଧାରା କେଉଁ ଆଦିକାଳରୁ ଚାଲିଆସୁଥିବାବେଳେ କୌଣସି ପ୍ରକାର ବାଧାବିଘ୍ନ ବା ଅପି୍ରତିକର ପରିସ୍ଥିତି ଉପୁଜିନାହିଁ କିମ୍ବା ସେଥିରେ ସମ୍ଭାବନାର ଆଶଙ୍କା ମଧ୍ୟ କରାଯାଇନପାରେ । ମାତ୍ର ଜିଲା ପ୍ରଶାସନ ସହ ଉଭୟ ସଂପ୍ରଦାୟ ଶାନ୍ତି କମିଟିର ବ୍ୟକ୍ତିବିଶେଷଙ୍କ ଆଲୋଚନାରୁ ଯାହା ଜଣାପଡିଛି ଆସନ୍ତା ୨୦ ଓ ୨୧ ତାରିଖରେ ହେବାକୁ ଥିବା ମହରମ ଶୋଭାଯାତ୍ରାର ଅନୁମତି ଜିଲା ପ୍ରଶାସନ ଦେବା ପାଇଁ ଉଚିତ୍ ମନେ କରୁନାହିଁ । ଏଣୁ ବୁଢା ଗଣେଶ ଓ ଟୋକା ଗଣେଶର ଉଦ୍ୟୋକ୍ତା ମାନେ ମୁସ୍ଲିମ୍ ଜମାତଙ୍କ ସହ ମିଶି ପ୍ରଶାସନ ନିକଟରେ ଉଭୟ ସଂପ୍ରଦାୟର ସମସ୍ତ ପର୍ବଗୁଡିକୁ ପୂର୍ବପରି ପାଳନ କରିବା ପାଇଁ ଅନୁମତି ପ୍ରାର୍ଥନା କରିଛନ୍ତି । ଏବଂ କୌଣସି ସଂପ୍ରଦାୟର ଧାର୍ମିକ ଭାବନାକୁ ନିରୁସôାହିତ ନକରି ଶୋଭାଯାତ୍ରା ଗୁଡିକୁ ପାଳନ କରିବା ପାଇଁ ଅନୁମତି ଭିକ୍ଷା କରିଛନ୍ତି । ତେବେ ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ଜିଲାପାଳଙ୍କ ସହ ବିଚାର ବିମର୍ଶ କରି ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
