ଓଡ଼ିଶା

ମତ୍ସ୍ୟଜୀବୀଙ୍କୁ ୬୧ ଦିନ ସମୁଦ୍ର ମନା ୧୪ ରାତିରୁ କଇଁଛ କଟକଣା, ୧ ଲକ୍ଷ ମତ୍ସ୍ୟଜୀବୀ ବେକାର

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାରା ଦେଶରେ ସାମୁଦି୍ରକ ମତ୍ସ୍ୟ ସଂପଦ କମିଯାଉଥିବାରୁ ଗତ ୬ ବର୍ଷ ତଳୁ ଆରମ୍ଭ ହୋଇଥିବା ମାଛଧରା ମନା ସମୟ ପୂର୍ବ ପରି ଏପ୍ରିଲ ୧୫ ରୁ ଆରମ୍ଭ ହୋଇଛି। ଏହା ସହିତ ଏବେ ଯୋଡିହୋଇଯାଇଛି ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପର୍ବ। ବୈଜ୍ଞାନିକମାନଙ୍କ ମତକୁ ନେଇ ସରକାର ଏପ୍ରିଲ ୧୫ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ମାଛମାନଙ୍କ ଗର୍ଭଧାରଣ ଓ ଅଣ୍ଡାଦାନ ସମୟ ରୂପେ ନିର୍ଘଣ୍ଟ କରିଛନ୍ତି। ଏହି ଅବଧି ମଧ୍ୟରେ ଯଦି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବେ ଅଣ୍ଡା ବା ଗର୍ଭଧାରଣ କରିଥିବା ମାଛ (ବିହନ ଥିବା ମାଛ) ଜାଲରେ ପଡିବେ। ତେଣୁ ମାଛ ବଂଶ ବିସ୍ତାର ପରିବର୍ତ୍ତେ ଲୋପ ପାଇଯିବ। ଆଗାମୀ ଦିନରେ ସାମୁଦି୍ରକ ମାଛ ବଂଶ ବିସ୍ତାର କରିବା ପାଇଁ ସରକାର ଏହି ୬୧ ଦିନିଆ ମାଛ ଧରା ବନ୍ଦ ନୀତି ନିର୍ଦ୍ଧାରଣ କରିଛନ୍ତି। ମାଛ ଧରା ବନ୍ଦ ହେଲେ ମତ୍ସ୍ୟଜୀବୀମାନେ କାଳେ ଜୀବିକା ହରାଇବେ, ସେଥିଲାଗି କେନ୍ଦ୍ର ସରକାର ପ୍ରତି ମତ୍ସ୍ୟଜୀବୀ ପିଛା ୨୦୦୦ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଥିଲେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟଜୀବୀଙ୍କୁ ଏହି କ୍ଷତିପୂରଣ ଯୋଜନା ୨୦୦୬ ରୁ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଏହାକୁ ବିଳମ୍ବ କରୁଥିଲେ। ଅଧିକ ହୋ ହାଲ୍ଲା ଓ ଆନ୍ଦୋଳନ ହେବାରୁ ୨୦୧୧-୧୨ ମସିହାରେ ମତ୍ସ୍ୟଜୀବୀ ପରିବାରଙ୍କୁ ଠାବ କରି ସେମାନଙ୍କୁ ଏପିଏଲ୍ ଖାତାରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ସମୁଦ୍ରକୁ ମାଛ ଧରିବାକୁ ଓ ମାଛଧରା କାର୍ଯ୍ୟରେ ନିୟୋଜିତ ଥିବା ମତ୍ସ୍ୟଜୀବୀ ପରିବାରକୁ ମାସିକ ୨୫ କେଜି ୧ ଟଙ୍କିଆ ଚାଉଳ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଯୋଜନା ପୁଣି ୪ ବର୍ଷ ହେଲା ବନ୍ଦ ହୋଇଯାଇଛି। ସରକାର ଭଦ୍ରକ ଜିଲାର ସମୁଦ୍ର କୂଳରେ ଥିବା ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ର ୨୬ଟି ପଞ୍ଚାୟତ ସରପଞ୍ଚମାନଙ୍କୁ ଚିଠି କରିଥିଲେ। ତୁମ ପଞ୍ଚାୟତରେ କେତେ ମତ୍ସ୍ୟଜୀବୀ ପରିବାର ଅଛନ୍ତି, ତାହା ଚିହ୍ନଟ କରି ଜଣାଅ। ସରପଞ୍ଚମାନଙ୍କ ଚିଠା ପାଇଲା ପରେ ଏହି ୧ ଟଙ୍କିଆ ଚାଉଳ ୨୦୧୩ ଠାରୁ ଦେବା ଆରମ୍ଭ କରିଥିଲେ। କିନ୍ତୁ ୨୦୧୨ ଠାରୁ ପୁଣି ବନ୍ଦ କରି ଦେଲେ। ଚଳିତବର୍ଷ ଭଦ୍ରକ ଜିଲାର ଧାମରା, ଚନ୍ଦିନିପାଳ, ଚୂଡାମଣି, କଷିଆ, ଇରମ ଆଦି ସମୁଦ୍ର କୂଳରେ ନିୟୋଜିତ ଥିବା ମତ୍ସ୍ୟ ସଂପ୍ରଦାୟ ଏପ୍ରିଲ ୧୪ ରାତି ଠାରୁ ସମୁଦ୍ରକୁ ମାଛ ମାରିବାକୁ ନଯାଇ ହାତ ବାନ୍ଧି ବସିବେ। ଧାମରା ମତ୍ସ୍ୟଜୀବୀ ସଂଘ ଅଧୀନରେ ୧୫୦ ଟ୍ରଲର, ୮୦ ଗିଲ୍ନେଟର, ୨୦୦ ଭୁଟୁଭୁଟି ଓ ୨୦୦ ଦେଶୀ ଡଙ୍ଗା ମାଧ୍ୟମରେ ମାଛଧରା କାର୍ଯ୍ୟରୁ ନିବୃତ ରହିବେ। ସାମୁଦ୍ରିକ ମାଛଧରା କାର୍ଯ୍ୟରେ ନିୟୋଜିତ ଥିବା ଏହି ଟ୍ରଲର ଓ ବୋଟ୍ ଗୁଡିକ ବନ୍ଦ ହୋଇଯିବା ପରେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ୧ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଭୋକିଲା ରହିବେ। ଯଥା ଏହି ଟ୍ରଲର ଓ ବୋଟ ଗୁଡିକରେ କର୍ମଚାରୀଭାବେ କାର୍ଯ୍ୟ କରୁଥିବା ଲୋକଙ୍କ ବ୍ୟତୀତ ବରଫ କଳର କର୍ମଚାରୀ, ମାଛଧରା ଝୁଡି ବୁଣିବା କର୍ମଚାରୀ, ଶୁଖୁଆ ଚାଷୀ, ମାଛ ଧୋଇବା, ବରଫ କୁଟିବା, ଲୋଡିଂ ଓ ଅନଲୋଡିଂ କରିବା ଶ୍ରମିକ, ମାଛ ଗୁଣ୍ଡ ଛିଣ୍ଡାଇ ପ୍ରୋସେସିଂ କରୁଥିବା ମହିଳା ଶ୍ରମିକ ଏହି ମାଛଧରା ବନ୍ଦ ଯୋଗୁଁ ବେକାର ହୋଇଯିବେ। ଏପ୍ରିଲ ୧୫ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ୬୧ ଦିନ କାଳ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ସେମାନଙ୍କୁ ବର୍ଷ ବର୍ଷ ହେଲା ମିଳୁନାହିଁ। ଏହି ନିଷେଧାଜ୍ଞା ବଳବତ୍ତର ଥିବାବେଳେ ଯଦି କୌଣସି ମତ୍ସ୍ୟଜୀବୀ ନିଜ ପେଟ ପୁରାଇବା ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି, ସେମାନଙ୍କ ବୋଟ୍ ଜବତ କରାଯିବା ସହିତ ଜେଲ୍ ଜରିମାନା ମଧ୍ୟ କରାଯାଉଛି। ଅଥଚ କେନ୍ଦ୍ର ସରକାର ଦେଉଥିବା କ୍ଷତିପୂରଣ ସେମାନଙ୍କୁ ଦିଆଯାଉନାହିଁ। ଏହି ୬୧ ଦିନ କାଳ ମାଛ ଧରା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ କେମିତି ବଂଚିବେ, ତାହା ସରକାର ବୁଝିବା ଆବଶ୍ୟକ। ତିହିଡି ବ୍ଲକ୍ର ସୟା ମାଟିଆସାହି, ବାହାବଳପୁର ଓ ସାହାପୁର ପଂଚାୟତ, ଚାନ୍ଦବାଲି ବ୍ଲକ୍ର ଧାମରା, ଜାଗୁଳା, ବାଂଶଡା, ଦୋସିଙ୍ଗା, କଇଥଖୋଲା, କରଂଜମାଳ, କରଣପଲ୍ଲୀ, ଚରଦିଆ, ବାଲିଗାଁ, ଓରାସାହି, ବିଜୟନଗର, ନଳଗୋହିରା ଓ ନାଲଗୁଣ୍ଡା ସହିତ ବାସୁଦେବପୁର ବ୍ଲକ୍ର ୧୦ ଟି ପଞ୍ଚାୟତ ସରପଞ୍ଚମାନଙ୍କୁ ତୁରନ୍ତ ସର୍ଭେ କରି ଧୀବର ପରିବାର ଠାବ କରିବାକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ତାହା ଫାଇଲ୍ ଭିତରେ ରହିଯାଇଛି। ତେଣୁ ଧୀବର ପରିବାର ଏବେ ଚିନ୍ତାରେ ପଡିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top