“ମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ” ସ୍ଥାନାନ୍ତରିତ ନେଇ ଗଣଧାରଣା ପ୍ରକଳ୍ପ ସ୍ଥାନାନ୍ତର ନହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତର ଅମରଗଡ଼ିଆ ଠାରେ ପ୍ରସ୍ତାବିତ “ମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ” ର ସ୍ଥାନାନ୍ତରିକରଣ ନେଇ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପୂର୍ବକ ଘୋର ବିରୋଧ କରାଯାଇଛି। ରାନ୍ଦିଆ ବ୍ୟତୀତ ଗେଲପୁର, ବେତରା ପଞ୍ଚାୟତ ଅଧିନସ୍ଥ ଅମରଗଡ଼ିଆ, ବଳରାମପୁର, ହରିଶଙ୍କରପୁର, ଦେବପୋଖରୀ, ଚାରିଘରିଆ, ନରସିଂହପୁର, ନାରାୟଣପୁର, ପାଣିଛତର ପରି ୭ଟି ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ଆଜି ଆଇନ୍ଜୀବୀ ପ୍ରଫୁଲ୍ଲ କୁମାର ସାମଲ, ବାମନ ଚରଣ ରାଉତ, ପଂଚାନନ ପାତ୍ର, ରେଣୁବାଳା ରାଉତ, ସୁରେନ୍ଦ୍ର ପ୍ରସାଦ ରାଉତ, ଦୀପ୍ତିକାନ୍ତ ମହାପାତ୍ର, ରଂଜନ କୁମାର ସାହୁ, ରଂଜନ କୁମାର ମିଶ୍ର, ନାରାୟଣ ସାମଲ, ପ୍ରତାପ କୁମାର ନାୟକ, ସୁକାନ୍ତ ନାୟକ, ନିରଂଜନ ନାୟକ, ଦୀପକ କୁମାର ପାତ୍ର ନିରାକାର ସ୍ୱାଇଁ, କୃଷ୍ଣଚନ୍ଦ୍ର ସାମଲ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଏହି ଗଣଧାରଣା ସ୍ଥଳର ପ୍ରତିବାଦ ସଭାରେ ଯୋଗଦେଇ ଉପରୋକ୍ତ ପ୍ରସ୍ତାବିତ ପ୍ରକଳ୍ପକ ତୀବ୍ର ବିରୋଧ କରିଥିଲେ। ସେମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ରାନ୍ଦିଆ ଗ୍ରାମପଞ୍ଚାୟତର ଅମରଗଡିଆ ରାଜସ୍ୱ ଗ୍ରାମର ବଳରାମପୁର ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କରାଗଲେ ବନୀକରଣ ଯୋଜନାରେ ୨୫ ବର୍ଷ ତଳୁ ଗ୍ରାମବାସୀଙ୍କ ସହଯୋଗରେ ସୃଷ୍ଟି କରାଯାଇଥିବା ୧୦ ହଜାରରୁ ଉଦ୍ଦ୍ୱର୍ ବୃକ୍ଷର ଗ୍ରାମ୍ୟ ଜଂଗଲ ନଷ୍ଟ ହେବା ସହ ପରିବେଶ ଧ୍ୱଂସ ହେବ। ଏହି ଆବର୍ଜନା ଯୋଗୁଁ ଗ୍ରାମର ଇଷ୍ଟଦେବୀ ମା’ ଚମ୍ପେଇଶୁଣୀଙ୍କ ପବିତ୍ର ପୀଠର ପବିତ୍ରତା ନଷ୍ଟ ହେବା ସହ ୫ ଖଣ୍ଡି ମୌଜାର ଯୁବପିଢି ବ୍ୟବହାର କରୁଥିବା ଖେଳପଡିଆରୁ ବଂଚିତ ହେବେ। ଅନୁରୂପ ଏହି ଅଂଚଳରେ ଗୋଚର ପଡିଆ ନଥିବାରୁ ଗୋସଂପଦଙ୍କ ପାଇଁ ଚାରଣ ଜମିର ଅଭାବ ଦେଖାଦେବ। ଏହା ବ୍ୟତୀତ ଏହି ଜମିର କିଛି ଅଂଶକୁ ଶ୍ମଶାନ ଭାବେ ବ୍ୟବହାର କରୁଥିବା କେତେକ ଗ୍ରାମର ଅଧିବାସୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ନିକଟରେ ଫେକର କୋ୍ରମ ଓ ପାୱାର ପ୍ଲାଣ୍ଟ ଥିବାରୁ ସଂପୃକ୍ତ ଅଞ୍ଚଳରେ ଯେଉଁ ସବୁଜ ବଳୟ ସୃଷ୍ଟି କରାଯାଇଛି ତାହା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। ବିଶେଷକରି ଏହି ପ୍ରକଳ୍ପର ପ୍ରସ୍ତାବ ଗୃହିତ ହେବା ପୂର୍ବରୁ ଭଦ୍ରକ ପୌର ପ୍ରଶାସନ ଓ ତହସିଲ କାର୍ଯ୍ୟାଳୟ ଚଂଚକତା କରି ସ୍ଥାନୀୟ ଜନସାଧାରଣଙ୍କୁ ରାସ୍ତା ନିର୍ମାଣର କଥା କହି ପ୍ରତାରଣା ପୂର୍ବକ ଯେଭଳି ଭାବେ ଦସ୍ତଖତ କରାଇ ଏହି ଜମିଟିକୁ ଅନାବାଦୀ ଜମି ଭାବେ ଏକତରଫା କିସମ ପରିବର୍ତ୍ତନ କରି ପୌର ପ୍ରଶାସନକୁ ହସ୍ତାନ୍ତରିତ କଲେ, ତାହାର ତଦନ୍ତ ହେବା ଆବଶ୍ୟକ। ଏହି ଜମି ହସ୍ତାନ୍ତରିତ ହେବା ପୂର୍ବରୁ ପ୍ରକଳ୍ପ ବାବଦରେ କୌଣସି ବିଧିସମ୍ମତ ଗ୍ର୍ରାମସଭା, ପଲ୍ଲୀସଭା ଓ ଜନ ଶୁଣାଣି କରାନଯାଇ ଗୋଚର ଜମିର କିସମ ପରିବର୍ତ୍ତନରେ ପ୍ରଚଳିତ ବିଧିବିଧାନକୁ ଉପେକ୍ଷା କରାଯାଇଛି, ସେ ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ନହେବାରୁ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଏଭଳି ପନ୍ଥା ବାଛିଛନ୍ତି ବୋଲି ଦର୍ଶାଇଛନ୍ତି। ଏବଂ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଦାବି କରି ଏହା କାର୍ଯ୍ୟକାରୀ ନହେଲେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *