ମଲ୍ଲୀବନ୍ଧ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ

ତାଳଚେର, ୧୩/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଯୁକ୍ତି ଓ ଥଇଥାନ ଦାବିରେ ମଲ୍ଲୀବନ୍ଧ ଗ୍ରାମବାସୀମାନେ ବୁଧବାର ସକାଳ ୬ଟା ବେଳେ ହିଙ୍ଗୁଳା କୋଇଲା ଖଣି, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ପରିବହନ ରାସ୍ତା ଅବରୋଧ କରିଥିଲେ। ଫଳରେ ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଏମ୍.ସି.ଏଲ ଦ୍ୱାରା ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ମଲ୍ଲୀବନ୍ଧ ଗ୍ରାମର ବାସଗୃହ ସହ ଭୂସଂପତି କୋଲ ବିୟରିଂ ଆକ୍ଟ ଅନୁଯାୟୀ ୧୯୯୪ ଓ ୨୦୧୦ ମସିହାରେ ୨ଟି ପର୍ଯ୍ୟାୟରେ ଅଧିଗ୍ରହଣ ହୋଇଥିଲା। ତେବେ ଏମ୍.ସି.ଏଲ୍ ପକ୍ଷରୁ ମଲ୍ଲୀବନ୍ଧ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଶତକଡା ପଚାଶ ଭାଗ ନିଯୁକ୍ତି ପ୍ରଦାନ କରା ଯାଇଥିବା ବେଳେ ଅବଶିଷ୍ଟ ନିଯୁକ୍ତି ଦେବାକୁ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ନାନା ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। ତେଣୁ ପୂର୍ବ ନିଷ୍ପତି ଅନୁସାରେ ଏମ୍.ସି.ଏଲ୍ ପକ୍ଷରୁ ଅବଶିଷ୍ଟ ଖଣିକ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଯଥାଶିଘ୍ର ଯୋଗ୍ୟତା ଭିତିରେ ଆକଳନ କରି ନିଯୁକ୍ତି ପ୍ରଦାନ କରିବା ଦାବି ନେଇ ଗ୍ରାମ ସଭାପତି ବଗାଧର ଗଡନାୟକଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ବୁଧବାର ଅପରାହ୍ନରେ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପୋଲିସ ଓ ଖଣି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତି ମୁତାବକ ଆସନ୍ତା କାଲିଠାରୁ ମଲ୍ଲୀବନ୍ଧ ଗ୍ରାମବାସୀଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲକୁ ଖଣି କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରି ଆସନ୍ତା ୩ମାସ ମଧ୍ୟରେ ସମ୍ପନ୍ନ କରିବାକୁ ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *