ଅନୁଗୁଳ

ମଲ୍ଲୀବନ୍ଧ ଗ୍ରାମବାସୀଙ୍କ ଦ୍ୱାରା ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ

ତାଳଚେର୧୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ପ୍ରଦାନ ସହ ୫ ଦଫା ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ମଲ୍ଲୀବନ୍ଧ ଗ୍ରାମବାସୀମାନେ ଆଜି ସକାଳେ ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ବନ୍ଦ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ହିଙ୍ଗୁଳା ଟାଇମ୍ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଶାଳବଣିଆସ୍ଥିତ କୋଇଲା ପରିବହନ ରାସ୍ତା ଅବରୋଧ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ, ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲା ଖଣି ଦ୍ୱାରା ମଲ୍ଲୀବନ୍ଧ ଗ୍ରାମଟି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଅଦ୍ୟବଧି ନିଯୁକ୍ତି ଓ ଥଇଥାନ କରାଯାଇନାହିଁ। ଏ ସମ୍ପର୍କରେ ଗ୍ରାମବାସୀମାନେ ଖଣି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି ଆପତି କଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତାହା ସହିତ ବାସଗୃହଗୁଡିକର ଉପଯୁକ୍ତ ମୂଲ୍ୟାଙ୍କନ କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା କ୍ଷତିପୂରଣ ପ୍ରଦାନ ପାଇଁ ଖଣି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି ପାଳନରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଉତ୍ପାଦିତ କୋଇଲା ସବକୁୁ ଏକାଠି ଜମା କରି କୋଇଲାଷ୍ଟକରେ ରଖୁଥିବାରୁ ସେଥିରେ ମଧ୍ୟ ପ୍ରବଳ ଖରା ଯୋଗୁଁ ଆପେ ଆପେ ନିଆଁ ଲାଗିଯାଉଛି। ଫଳରେ ଲକ୍ଷ ଲକ୍ଷ ଟଙ୍କାର ଜାତୀୟ ସମ୍ପତି ଅଯଥା ପୋଡି ଯାଇ ନଷ୍ଟ ହୋଇଯାଉଥିବା ବେଳେ କୋଇଲାନିଆଁରୁ ନିର୍ଗତ ବିଷାକ୍ତ ଧୂଆଁ ସହିତ ଧୂଳି ମିଶି ପରିବେଶ ବିଷାକ୍ତ ହୋଇପଡିଛି। ଯାହାଦ୍ୱାରା ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏସମ୍ବଦ୍ଧରେ ସେମାନେ ଖଣି କର୍ତ୍ତୃପକ୍ଷକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ଉପରୋକ୍ତ ସମସ୍ୟାଗୁଡିକର ସମାଧାନ ପାଇଁ ଖଣି କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବାରୁ ଏହାର ପ୍ରତିବାଦରେ ଗ୍ରାମ ସଭାପତି ବଗାଧର ଗଡନାୟକଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣିରେ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଆନ୍ଦୋଳନ କରାଯାଇଛି। ଖବର ଲେଖା ହେଲା ବେଳକୁ ପ୍ରଶାସନ କିମ୍ବା ଖଣି ଅଧିକାରୀ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ଏବଂ ସନ୍ଧ୍ୟା ୭ଟା ସୁଦ୍ଧା ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top