ଓଡ଼ିଶା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ମୃତ, ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ରାଉରକେଲା ୯-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରବିବାର ରାତ୍ରି ପ୍ରାୟ ସାଢେ ଆଠଟା ସମୟରେ ଜାତୀୟ ରାଜପଥ -୧୪୩ ଫେଟକଲ୍ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବୁଲେଟ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ, ଦୁର୍ଘଟଣାରେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇ ସଙ୍କଟାପନ୍ନ ରହିଛି। ଏହି ଦୁର୍ଘଟଣାରେ ସାରନଗରୀ ଲକ୍ଷ୍ମୀ ମାର୍କେଟର ଅଭିମନ୍ୟୁ ସାହୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ନବକୃଷ୍ଣନଗର ଅଂଚଳର ଅନିମେଶ ଆଚାର୍ଯ୍ୟ ଓ ଆଇଡିଏଲ ନିକଟ କାଳୀମନ୍ଦିର ଠାରେ ରହୁଥିବା ସଂଜୟ ବେହେରା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗୁରୁତର ଭାବେ ଆହତ ଅନିମେଶ ଓ ସଂଜୟଙ୍କୁ ତୁରନ୍ତ ଚିକିତ୍ସାଲାଗି ଆଇଜିଏଚ ପଠାଇଛନ୍ତି। ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବୁଲେଟକୁ ଜବତ କରିଥିବା ବେଳେ, ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ରାଉରକେଲା ଅଂଚଳର ୩ ଜଣ ଯୁବକ ସାଙ୍ଗ ହୋଇ ଏକ ବୁଲେଟ୍ (ନଂ ଓଡ଼ି ୧୪ଏଚ ୭୯୬୪)ରେ ଦେଓଗାଁରୁ ଜାତୀୟ ରାଜପଥ-୧୪୩ ଦେଇ ସାରନଗରୀ ଅଂଚଳକୁ ଫେରୁଥିଲେ। ଫେଟ୍କଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଆଗରେ ଯାଉଥିବା ଏକ ଟ୍ରଲରକୁ ବାଇକ ଚଳାଉଥିବା ଯୁବକ ଜଣଙ୍କ ଓଭରଟେକ କରି ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ବୀପରୀତ ଦିଗରୁ ଲାଠିକଟାରୁ ପାନପୋଷ ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ଟ୍ରକ(ନଂ ଓଡ଼ି ୨୩ ଏ ୭୧୧୭) ଖୁବ ଜୋରରେ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ତିନି ଜଣ ଯୁବକ ରାସ୍ତାରେ ଛିଟିକି ପଡ଼ିବା ସହ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରକର ଚାଳକ ଘଟଣାସ୍ଥଳରୁ ଭୟରେ ପଳାୟନ କରିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥ-୧୪୩ରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଜାତୀୟ ରାଜପଥର ଉଭୟ ପଟେ ଭାରୀଯାନ ଗୁଡ଼ିକ ପାର୍କିଙ୍ଗ କରାଯାଇଥିବାରୁ, ବୀପରୀତ ଦିଗରୁ ଆସୁଥିବା ଟ୍ରକ ରାସ୍ତା କଡ଼କୁ ଓହ୍ଳାଇପାରି ନଥିଲା। ଫଳରେ ବୁଲେଟକୁ ସିଧାସଳଖ ଧକ୍କା ଦେଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top