ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ମୃତ ୪ ଗୁରୁତର

ସମ୍ବଲପୁର, ୨୧/୮ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ପରମାଣପୁରରୁ ହାତୀବାଡ଼ି ନିକଟସ୍ଥ ଶୈବପୀଠ କଳ୍ପେଶ୍ୱରକୁ ସୋମବାର ଦର୍ଶନ ପାଇଁ ଆସି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସଦର ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା କରାଯିବା ପରେ ବୁର୍ଲା ଭିମସାରକୁ ପଠାଯାଇଛି। ପରମାଣପୁରର ବିଭିନ୍ନ ପଡ଼ାର ୧୩ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ୧୪ ଜଣ ଓଡ଼ି-୧୫ଇ- ୨୦୩୦ ନମ୍ବର ମହିନ୍ଦ୍ରା ମ୍ୟାକ୍ସିମୋ ଗାଡ଼ିରେ କଳ୍ପେଶ୍ୱରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଝାଙ୍କରପାଲି ପଞ୍ଚାୟତର ଭବାନୀପାଲି ଛକରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ବିପରୀତ ଦିଗରୁ ଆସୁଥିବା ଓଡ଼ି-୦୫ଏଏ-୩୮୨୭ ନମ୍ବର ବିଶିଷ୍ଟ ଏକ ୧୦ ଚକିଆ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ତିନି ଜଣ ଡ୍ରାଇଭର ସିଟ୍ ପାଖରେ ଗାଡ଼ିର ସାମ୍ନାରେ ବସିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଅନ୍ତର୍ଭୁକ୍ତ। ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଅଣାଯିବା ପରେ ସମ୍ବଲପୁର ସଦର ଡାକ୍ତରଖାନା ଓ ଭିମସାରରେ ୩ ଜଣ ଲେଖାଏଁ ଅର୍ଥାତ୍ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ସଦର ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ଅଣାଯାଇଥିବା  ଦୁଇଜଣ ମହିଳା ଓ ୨ ଜଣ ଶିଶୁଙ୍କୁ ଅର୍ଥାତ୍ ୪ ଜଣଙ୍କୁ ବୁର୍ଲା ଭିମସାରକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମୃତକମାନେ ହେଲେ ଦାମୋଦର ବଢ଼େଇ(୪୫), ତାଙ୍କ ପତ୍ନୀ ସରସ୍ୱତୀ ବଢ଼େଇ (୪୦), ସତ୍ୟଭାମା ନାଥ(୫୦), ତାଙ୍କ ଝିଅ ଚଞ୍ଚଳା ନାଥ(୩୦), ଯମୁନା ନାଥ (୬୦), ଯଶୋବନ୍ତୀ ବଢ଼େଇ (୫୦), ନିମେଇ ବଢ଼େଇ (୪୫), ଦୁଲଣା ନାଥ (୫୦),  ଅନୁସ୍ୱୟା ନାଥ (୩), ଡ୍ରାଇଭର ଯୋଗେଶ ବେହେରା (୨୨)। ଆହତମାନେ ହେଲେ ସାହେବାଣୀ, ପୁଷ୍ପଲତା, ପ୍ରୟୋଗ ନାଥ ଓ ନରେଶ ଜୁଆଡ଼ି।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ସମ୍ବଲପୁର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ସକାଶେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍ତି। ଦୁର୍ଘଟଣାର ଖବର ପାଇଁ ଜିଲ୍ଲାପାଳ ଏବଂ ଏସ୍ପି ମଧ୍ୟ ଭିମସାରରେ ପହଞ୍ଚିଥିଲେ। ରେଡ଼କ୍ରସ ପ୍ରକ୍ଷରୁ ମଧ୍ୟ ସାହାଯ୍ୟ ଘୋଷଣା କରାଯାଇଛି।
ମାକ୍ସିମାର ଚକ ଫାଟିବା ଯୋଗୁଁ ଦୁର୍ଘଟଣା!
ମହିନ୍ଦ୍ରା ମାକ୍ସିମା ଗାଡ଼ିର ଚକ ଫାଟିଯିବା ଯୋଗୁଁ ଗାଡ଼ି ଅନିୟନ୍ତ୍ରିତ ହୋଇ ଟ୍ରକ୍ ସହ ପିଟି ହେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ଭାବରେ ଜଣାପଡ଼ୁଥିବା ଏସ୍ପି ସଞ୍ଜୀବ ଆରୋରା ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ କହିଛନ୍ତି। ତେବେ ଉଭୟ ଗାଡ଼ିକୁ ରଖାଯାଇଛି ତଥା ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ବିସ୍ତୃତ ଯାଞ୍ଚ ପରେ ସଠିକ୍ ଭାବରେ ଦୁର୍ଘଟଣାର କାରଣ ଜାଣିହେବ ବୋଲି ଏସ୍ପି କହିଛନ୍ତି।

Leave a Reply

Your email address will not be published. Required fields are marked *