ଜିଲ୍ଲା ପରିକ୍ରମା

ମଧ୍ୟାହ୍ନ ଭୋଜନ ଚାଉଳ ହଡପ ଘଟଣା : ବିଇଓଙ୍କ ନାମରେ ଏତଲା

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାମନଗର ବ୍ଲକ୍ରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଘଟଣାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଧାମନଗର ବୁଦ୍ଧିଜୀବୀ ବିଚାର ମଂଚ ପକ୍ଷରୁ ଧାମନଗର ଥାନାରେ ବିିଇଓଙ୍କ ନାମରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ପରେ ଘଟଣା ରୋଚକ ମୋଡକୁ ଆସିଛି। ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଏହି ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଘଟଣାରେ ଆମର କୌଣସି ସଂପୃକ୍ତି ନାହିଁ ବୋଲି ବିଇଓ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଧାମନଗରରେ ବିବାଦ ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି। ଚଳିତ ମାସ ୬ ତାରିଖ ଧାମନଗର-ଭଦ୍ରକ ରାସ୍ତାର ପଳିକିରି ଠାରେ ଥିବା ମା’ ରାଇସ୍ ମିଲ୍ରେ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ହେଉଥିବା ଅଭିଯୋଗ ନେଇ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲା ଯୋଗାଣ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ପହଞ୍ଚି ଚଢଉ କରିଥିଲା। ଚଢଉ ବେଳେ ୨୬୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଟ୍ରକ୍ରେ ଅନ୍ଲୋଡିଂ ହେଉଥିବାବେଳେ ଏହି ଟିମ୍ ଜବତ କରିଥିଲା। ଏହି ଚାଉଳ ବଳଜିତପଡାରୁ ଚାନ୍ଦବାଲି ବ୍ଲକ୍କୁ ଯିବାକୁ ଥିବାବେଳେ ରାଇସ୍ ମିଲ୍ରେ ଅନ୍ଲୋଡିଂ ହେଉଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏନେଇ ଭଦ୍ରକ ଜିଲା ଶିକ୍ଷାଧିକାରୀ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସଂପୃକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କରି ଚାଉଳ ଜବତ କରିଥିଲା। ଥାନାରେ କେଶ୍ ନଂ ୧୩୩/୧୮ ରେ ଏକ ମାମଲା ରୁକୁ କରାଯାଇ ସଂପୃକ୍ତ ମିଲ୍ ମାଲିକ ଓ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଉଥିବା ସଂପୃକ୍ତ ଡିଲର ଅଭୟ ଜେନାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ତା ପରଦିନ ଅର୍ଥାତ୍ ୭ ତାରିଖ ରାଧାବଲ୍ଲଭପୁର ପଂଚାୟତ ଝାଟିଆସାହି ଠାରେ ଏକ ଘରୋଇ ଗୋଦାମରେ ୩୧୯ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ମହଜୁତ ଥିବା ଅଭିଯୋଗ ପାଇଁ ବିଇଓ ପବିତ୍ର ମୋହନ ବାରିକ ସେଠାରେ ପୁଲିସ୍ ସହିତ ପହଞ୍ଚି ଉକ୍ତ ଚାଉଳକୁ ଜବତ କରିଥିଲେ। ଏନେଇ ବିଇଓଙ୍କ ଥାନାରେ ଅଭିଯୋଗ କ୍ରମେ ପୁଲିସ୍ କେଶ୍ ନଂ ୧୩୪/୧୮ ରେ ଏକ ମାମଲା ଅଭୟ ଜେନା, ପୁରୁସ୍ତମ ପଣ୍ଡା, ପ୍ରଦୀପ କର ଓ ବିଜୟ ସାମଲଙ୍କ ନାମରେ ମାମଲା ରୁଜୁ କରି ପୁଲିସ୍ ଚୁପ୍ ହୋଇ ବସିରହିଛି। ଘଟଣା ଘଟିବାର ଦୀର୍ଘ ୧୩ ଦିନ ପରେ ଧାମନଗର ବୁଦ୍ଧିଜୀବୀ ବିଚାର ମଂଚ ପକ୍ଷରୁ ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ ଓ ସୁରଥ ସେଠୀ, ପୂର୍ବତନ ସରପଞ୍ଚ ଅତିଶ ରଂଜନ ନନ୍ଦ, ପୂର୍ବତନ ସମିତିସଭ୍ୟ ସନ୍ତୋଷ ଦାସ, ଉମେଶ ମହାନ୍ତି, ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ମଧ୍ୟାହ୍ନ ଭୋଜନ ଦୁର୍ନୀତିର ବିଇଓ ପବିତ୍ର ମୋହନ ବାରିକ ଓ ଏବିଇଓ ପିତାମ୍ବର ବାରିକ ସଂପୃକ୍ତ ଥିବା ନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top