ମଧ୍ୟାହ୍ନ ଭୋଜନରେ କେଚିଣ୍ଡା! ଦୁଇ କିମି ଚାଲି ଚାଲି ବିଇଓଙ୍କ ପାଖରେ ଫେରାଦ ହେଲେ ଛାତ୍ର

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ କେଚିଣ୍ଡା। ପିଲାଙ୍କ ଖାଦ୍ୟରେ ଅଖାଦ୍ୟ। ପିଲାମାନେ ଖାଉଥିବା ଥାଳିରୁ ଏହି କେଚିଣ୍ଡା ବାହରିଛି। ଜଣେ ଛାତ୍ରୀର ଖାଇବା ଥାଳିରୁ ଏହି କେଚିଣ୍ଡା ବାହାରିବା ପରେ ପିଲାମାନେ ଆଉ ଖାଦ୍ୟ ଖାଇ ନଥିଲେ। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରତିବାଦ ସୂରୁପ କେତେକ ଛାତ୍ର ବିଦ୍ୟାଳୟରୁ ପ୍ରାୟ ଦୁଇ କିମି ଖରାରେ ଚାଲି ଚାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ଫେରାଦ ହୋଇଛନ୍ତି। ଛାତ୍ରୀର ଖାଇବା ଥାଳିରୁ ଛୋଟ କେଚିଣ୍ଡା ବାହାରିବା କଥାକୁ ସ୍ୱୀକାର କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ତ୍ରିପାଠୀ। ଏପରି ଘଟଣା ଏହି ଜିଲାର ବାସୁଦେବପୁର ପୌରପାଳିକାସ୍ଥିତ ବାଲିନଗର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ବାଲିନଗର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିଥିବା ଖାଦ୍ୟ ପିଲାମାନେ ଖାଉଥିବା ବେଳେ କେଚିଣ୍ଡା ବାହାରିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସୂଚନାରେ, ୧୦ଟା ୧୦ ମିନିଟରେ ଖାଦ୍ୟ ଗାଡି ପହଞ୍ଚି ଥିଲା। ପିଲାମାନଙ୍କ ଉପସ୍ଥାନ ଅନୁସାରେ ଗାଡି ପାଖରୁ ଖାଦ୍ୟ ନେଇ ବିଦ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିଲା। ଖେଳଛୁଟିରେ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା। କିଛିପିଲା ଏହି ଖାଦ୍ୟ ଖାଇ ସାରିଥିଲେ। ସପ୍ତମ ଶ୍ରେଣୀର ଛାତ୍ରୀ ସୁଲୋଚନା ବାରିକ ଅଧା ଖାଇଥିବା ବେଳେ ତା’ ଥାଳିରୁ କେଚିଣ୍ଡା ବାହାରି ଥିଲା। ଏହି ଘଟଣା ଦେଖି ଖାଉଥିବା ଅନ୍ୟ ପିଲାମାନେ ଖାଦ୍ୟକୁ ଫୋପାଡି ଦେଇଥିଲେ। ଏପଟେ ମିଳୁଥିବା ଖାଦ୍ୟର ମାନ ଠିକନୁହେଁ, କେଚିଣ୍ଡା ବାହରୁଛି ବୋଲି ପିଲାମାନେ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ଖାଦ୍ୟରୁ କେଚିଣ୍ଡା ବାହରିଥିଲା। ଏହି ଘଟଣାକୁ ବ୍ଲକ ଶିକ୍ଷା ବିଭାଗକୁ ପ୍ରଧାନ ଶିକ୍ଷୟିତ୍ରୀ ଅବଗତ କରାଇଥିଲେ। ଏପରିକି ପିଲାମାନେ ଖାଦ୍ୟ ଖାଇବାକୁ ମନା କରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଦୁଇ ତିନି ଦିନ ଖାଦ୍ୟ ଗ୍ରହଣ କରି ନଥିଲେ। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀ(ଏବିଇଓ) ବୁଝାସୁଝା କରିବା ପରେ ପିଲାମାନେ ଖାଦ୍ୟ ଖାଇଥିଲେ। ପିଲାମାନଙ୍କ ମନରୁ ଏହି ଘଟଣା ଲିଭି ନଥିବା ବେଳେ ପୁଣି ଛାତ୍ରୀର ଖାଇବା ଥାଳିରୁ କେଚିଣ୍ଡା ବାହାରିଛି। ଏହାର ପ୍ରତିବାଦରେ ୧୫ ଜଣ ଛାତ୍ର ବିଦ୍ୟାଳୟରୁ ଖରାରେ ଦୁଇ କିମି ଚାଲି ଚାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଫାଟକରେ ନାରାବାଜି କରିଥିଲେ। ଶେଷରେ ଘଟଣାକୁ ନେଇ ଶିକ୍ଷା କାର୍ଯ୍ୟାଳୟରେ ଫେରାଦ ହୋଇଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇଛି ବ୍ଲକ ଶିକ୍ଷା ବିଭାଗ। ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାରାୟଣ ମଲ୍ଲିକ। ଏପଟେ ପିଲାମାନେ ବିଦ୍ୟାଳୟରୁ ବାହାରି ଦୁଇ କିମି ଆସିବା ଘଟଣା ବେଶ ଗୁରୁତ୍ୱ ବହନ କରିଛି। କାହିଁକି ନା’ ବାଟରେ କିଛି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠୁଛି। ପାଚେରୀ ନଥିବା ଓ ଆମେ ଆକଟ କରିବା ପରେ ବି କେତେକ ପିଲା ଚାଲିଆସିଥିଲେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ପିଲାମାନେ ନିମ୍ନମାନର ଖାଦ୍ୟ ଓ ପିଲାଙ୍କ ଖାଦ୍ୟରେ ଅଖାଦ୍ୟ ପଡୁଥିବା ଅଭିଯୋଗ ହୋଉଥିଲେ ବି କାହିଁକି ଶିକ୍ଷା ବିଭାଗ ଚୁପ ରହୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *