ଓଡ଼ିଶା

ମଧୁ ଜୟନ୍ତୀରେ ତାରକସୀ ଓ ପାଇପ ଫିଟର ଦକ୍ଷତା ବିକାଶ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାରକସି କାରିଗର କେବଳ ଦୁର୍ଗା ପୂଜା ମେଢ ନୁହେଁ ସମଗ୍ର ବିିଶ୍ୱରେ ବିକ୍ରି କରିବା ପାଇଁ ପାଇବ ସୁଯୋଗ – ଧର୍ମେନ୍ଦ୍ର ପ୍ରଧାନ

– ହଜାରେ ବର୍ଷର ପୁରୁଣା କଟକ ଦୁଇ ନଦୀ ମଝିରେ ଏକ ଟାପୁ ନୁହେଁ ଓଡିଆ ଜନଜୀବନର ପେଣ୍ଠ ସ୍ଥଳୀ
– ବାଲି ଯାତ୍ରା କେବଳ ଦହିବରା- ଆଳୁଦମ ପାଇଁ ନୁହେଁ ବିଶ୍ୱର ବ୍ୟବସାୟିକ ମାନଚିତ୍ରରେ ଓଡିଶାକୁ ଏକ ଗୁରୁତ୍ୱପୂର୍ଣ ସ୍ଥାନ ଦେବାର ସଂକଳ୍ପ
– କଟକର ତାରକସୀ, ସିଙ୍ଗ କାମ, ମାଟିର କାରୁକାର୍ଯ୍ୟ, ଖଣ୍ଡୁଆପାଟ, ମାଣିଆବନ୍ଧ ଶାଢୀ କିଣିବାର କେନ୍ଦ୍ର କଟକରେ ହେଲେ କଟକ ଓ ଓଡିଶା ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ହେବ
– ରାଜ୍ୟ ସରକାର କଟକରେ ୨୫ ଏକର ଭୂମି ଯୋଗାଇ ଦେଲେ ପ୍ରତିଷ୍ଠିତ ହେବ ପ୍ରଶିକ୍ଷଣ ସହ ବ୍ୟବସାୟିକ କେନ୍ଦ୍ର
– ଏହି ପ୍ରକଳ୍ପ କଟକକୁ କରିବ ସମୃଦ୍ଧ – ଭର୍ତ୍ତୃହରି

କଟକ, ୨୮ ଏପ୍ରିଲ (ଓଡ଼ିଆ ପୁଅ) – କଟକର ତାରକସି କାରିଗର ମାନଙ୍କର କାମ କେବଳ ଦୁର୍ଗା ପୂଜା ସମୟରେ ମା ଙ୍କ ମେଢ ତିଆରିରେ ସୀମିତ ହେବ ନାହିଁ ବରଂ ବିଶ୍ୱର ସବୁ ବଡ ବଡ ଦେଶରେ ବିକ୍ରୀ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି କଟକର ତାରକସି କାରିଗର ମାନଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦ୍ଘାଟନ ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାରକସି ଦକ୍ଷତା କେନ୍ଦ୍ର, ସାଧାରଣ ସୁବିଧା କେନ୍ଦ୍ର ଓ ଗେଲର ଉର୍ଜା ଗଙ୍ଗା ପାଇପଲାଇନ ଓ ପାଇପ ଫିଟର – ସିଟି ଗ୍ୟାସ ବିତରଣ ପାଠ୍ୟକ୍ରମର ଶ୍ରୀ ପ୍ରଧାନ ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଭାରତ ସରକାରଙ୍କର ବରିଷ୍ଠ ଅଧିକାରୀ ତଥା ଏହି କ୍ଷେତ୍ରର ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ।

ମଧୁବାବୁଙ୍କ କର୍ମଭୂମି କଟକରୁ ସେ ଶହେ ବର୍ଷ ପୂର୍ବରୁ ସ୍ୱାଭିମାନ ସହ ଜୀବିକା ଅର୍ଜନ ପାଇଁ ଯେଉଁ ଉଦ୍ୟମ କରିଥିଲେ ତାଙ୍କର ପଦାଙ୍କ ଅନୁସରଣ କରି ଆଜିର ତାରକସି ଓ ପାଇପ କାମ ପାଇଁ ପ୍ରଶିକ୍ଷଣ ପ୍ରକଳ୍ପ ଓଡିଆ ମାନଙ୍କୁ ସ୍ୱାଭିମାନ ସହ ଜୀବନ ଜୀବିକା ଦେବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ହଜାରେ ବର୍ଷର ପୁରୁଣା କଟକ ଦୁଇ ନଦୀ ମଝିରେ ଏକ ଟାପୁ ନୁହେଁ ଓଡିଆ ଜନଜୀବନର ପେଣ୍ଠ ସ୍ଥଳୀ। ବାଲି ଯାତ୍ରା କେବଳ ଦହିବରା- ଆଳୁଦମ ପାଇଁ ନୁହେଁ ବିଶ୍ୱର ବ୍ୟବସାୟିକ ମାନଚିତ୍ରରେ ଓଡିଶାକୁ ଏକ ଗୁରୁତ୍ୱପୂର୍ଣ ସ୍ଥାନ ଦେବାର ସଂକଳ୍ପା ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶର ରୂପରେଖ ସମ୍ପର୍କରେ ୧୯୨୧ ମସିହାରେ ବିହାର- ଓଡିଶା ସଂଯୁକ୍ତ ପ୍ରଦେଶର ମନ୍ତ୍ରୀ ଭାବେ ବିଧାନସଭାରେ ଦେଇଥିବା ଉଦବୋଧନସମ୍ପର୍କରେ କାଗଜ ବିହାର ବିଧାନସଭାର ବାଚସ୍ପତି ଦେଇଥିଲେ। ସେତେବେଳେ ମଧୁବାବୁ ପାରାଦୀପ ବନ୍ଦର କିପରି ହେବା ଦରକାର ଓଡିଶାର ହସ୍ତତନ୍ତ, ହସ୍ତକଳା କେମିତି ବିଶ୍ୱ ଦରବାରରେ ଓଡିଶାକୁ ଆର୍ଥିକ ସ୍ୱାବଲମ୍ବନ ଦେଇ ପାରିବ ସେ ସମୟରେ ତାଙ୍କର ଦୂରଦୃଷ୍ଟିର ପରିଚୟ ଦେଇଥିଲେ।

ଓଡିଶାକୁ ପର୍ଯ୍ୟଟକ ଆସିଲେ କଟକ କଣ ସ୍ୱପ୍ନ ଦେଖିବା ଦରକାର ସେ ବିଷୟରେ ଆଲୋଚନା କରିବାର ସମୟ ଆସିଛି। ପୁରୀ, କୋଣାର୍କ, ଧଉଳୀ, ଖଣ୍ଡଗିରି ଦେଖିଲା ପରେ କଟକର ତାରକସୀ, ସିଙ୍ଗ କାମ, ମାଟିର କାରୁକାର୍ଯ୍ୟ, ଖଣ୍ଡୁଆପାଟ, ମାଣିଆବନ୍ଧ ଶାଢୀ କିଣିବାର କେନ୍ଦ୍ର କଟକରେ ହେଲେ କଟକ ଓ ଓଡିଶା ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ହେବ। ରାଜ୍ୟ ସରକାର କଟକରେ ୨୫ ଏକର ସ୍ଥାନ ଯୋଗାଇ ଦେଲେ ମଧୁବାବୁଙ୍କ ସ୍ମୃତିରେ ଅନ୍ତରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ସହ ବ୍ୟବସାୟିକ କେନ୍ଦ୍ର ମାଧ୍ୟମରେ ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର କରିବା ପାଇଁ ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୫୦ ଦେଶ ସାମିଲ ହୋଇଥିବା ଅନ୍ତରାଷ୍ଟ୍ରୀୟ ସୋଲାର ଆଲାୟନ୍ସ ଦିଲ୍ଲୀରେ ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାଷ୍ଟ୍ରର ପ୍ରତିନିଧି ମାନଙ୍କୁ ୧୫ ଇଂଚର ତାରକସୀ କୋଣାର୍କ ଚକ୍ର ଉପହାର ଦେବାକୁ କହିଥିବା ବେଳେ ବିନା ପୂର୍ବ ଯୋଜନାରେ ଦୁଇ- ତିନି ଦିନରେ ଏତେ ସଂଖ୍ୟାରେ ଏହା ମିଳି ନ ଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେଲେ ନିୁଣ କଟକର କାରିଗର ମାନେ ବହୁ କମ ଭଡାରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଉତମ ଗୁଣ ମାନର ତାରକସି କାମ କରି ଲାଭବାନ ହୋଇ ପାରିବେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗେଲ ଗ୍ୟାସ ପାଇପଲାଇନ ଓ ସହରୀ ଗ୍ୟାସ ବିତରଣ ପାଇପଲାଇନ କାମରେ ଓଡିଆ ଲୋକ ମାନଙ୍କୁ ରୋଜଗାର ଦେବା ପାଇଁ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ଓଡିଶାର ଲୋକ ମାନଙ୍କ ପାଖରେ ରୋଜଗାର ପହଂଚାଇବ। ପାଇପଲାଇନ ବିଛାଇବା ଓ ଦୀର୍ଘ ସୂତ୍ରୀ ରକ୍ଷଣା ବେକ୍ଷଣ ପାଇଁ ଏହି ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସାଂସଦ ଭର୍ତ୍ତୃହରି ମହତାବ ହଜାର ହଜାର ବର୍ଷ ପୂର୍ବରୁ ସାଧବ ପୁଅ ବିଦେଶରେ ବ୍ୟବସାୟ କରି ବିଦେଶରେ ଛାଡି ଆସିଥିବା ଓଡିଆ ସଂସ୍କୃତିର ଚିହ୍ନ ଆଜି ମଧ୍ୟ ବିଦ୍ୟମାନ। କଟକରେ ରାଜ୍ୟ ସରକାର ଭୂମି ଯୋଗାଇ ଦେବାରେ ଅସୁବିଧା ହେବ ନାହିଁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାରଙ୍କ ସହଯୋଗର ହାତ ବଢାଇଲେ କଟକର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ହେବ ବୋଲି ଶ୍ରୀ ମହତାବ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top