ମଧୁମୟ ହେଲା ଦୁଇ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟ : ଲକ୍ଷାଧିକ ଛାତ୍ରଛାତ୍ରୀ ଗାଇଲେ ମେହେର ସଙ୍ଗୀତ

ବରଗଡ଼, (ଓଡ଼ିଆ ପୁଅ)- ୨୬/୮ – ବରଗଡ଼ ଜିଲ୍ଲାରେ ଆଜି ସ୍ୱଭାବକବି ଗଙ୍ଗାଧର ମେହେରଙ୍କୁ ତାଙ୍କ ୧୫୭ତମ ଜୟନ୍ତୀବାସରରେ ଅଭିନବ ଶୈଳୀରେ ସ୍ମରଣ କରାଯାଇଛି। ଏଥିରେ ପ୍ରାୟ ୧ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କବିଙ୍କ ବିଶ୍ୱଦେଖ ମଧୁମୟ ସହିତ ଦୁଇଟି ଜନାଦୃତ କବିତାକୁ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଏକସଙ୍ଗେ ଗାଇଥିଲେ। ସକାଳ ସାଢ଼େ ୮ଟାରୁ ୮ଟା ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଏହି ସଙ୍ଗୀତର ଝଙ୍କାର ଜିଲ୍ଲା ସାରା ସ୍ପନ୍ଦିତ ହୋଇଥିଲା। ଏହା ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିବା ବେଳେ ସାଧାରଣ ଲୋକଙ୍କୁ ସେମାନଙ୍କ ବାଲ୍ୟାବସ୍ଥାକୁ ଫେରାଇ ନେଇଥିଲା। ହେଲେ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଚାକଚକ୍ୟରେ ସ୍ୱଭାବକବିଙ୍କ କବିତାଗୁଡ଼ିକର ମାଧୁର୍ଯ୍ୟ ଆଡ଼କୁ ଆକର୍ଷିତ କରିବାରେ ସହାୟକ ହୋଇଥିଲା। ଜିଲ୍ଳାର ୩୦୦ ହାଇସ୍କୁଲ ସହିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଶାଇ ୨୦୬୦ ସ୍କୁଲର ଏକ ଲକ୍ଷ ଛାତ୍ରଛାତ୍ରୀ ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନୁମାନ କରାଯାଉଛି। ଛୁଟୀ ଦିନ ଲଗାତାର ବର୍ଷା ସତ୍ତ୍ୱେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମେହେର ସଙ୍ଗୀତ ବୋଲିବା ପାଇଁ ନିଜ ନିଜ ବିଦ୍ୟାଳୟକୁ ଆସିବା ଉତ୍ସାହପ୍ରଦ ଏବଂ ଏହା ଆଗକୁ ଏହିଭଳି ଆୟୋଜନ ସକାଶେ ପ୍ରେରଣା ଯୋଗାଇବ ବୋଲି ଉଦ୍ୟୋକ୍ତା ମାନେ ଆଶା କରିଥିଲେ। ଅନ୍ୟପକ୍ଷରେ ଜିଲ୍ଲାର ବରପାଲି ଠାରେ ଥିବା କବିଙ୍କ ଜନ୍ମମାଟି ସହିତ ବିଭିନ୍ନ ସ୍ଥାନରେ ଆଜି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *