ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି

– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି
– ରାଜ୍ୟ ସରକାର କେବଳ ହୀନ ରାଜନୀତି କରୁଛନ୍ତି
ଭୁବନେଶ୍ୱର, ତା୨୮/୦୪ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର ହେବାକୁ ହେଲେ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ତାରକସି ଶିଳ୍ପକୁ ସମଗ୍ର ବିଶ୍ୱର ପ୍ରତିଷ୍ଠା କରିବା ପାଇଁ ମଧୁବାବୁ ପ୍ରଥମେ ଉଦ୍ୟମ କରିଥିଲେ। ଯାହା ଫଳରେ ତାରକସି ଶିଳ୍ପ କଟକ ସହରରେ ବିକଶିତ ହୋଇଥିଲା। ଏଥି ସହ ସମଗ୍ର ବିଶ୍ୱରେ ତାରକସି କାମ ପାଇଁ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୌଶଲ ବିକାଶ ବିଭାଗର ଦାୟୀତ୍ୱ ନେବା ପରେ ଆଜିର ଦିନରେ ତାରକସି କାମରେ ସୁଧାର ଆସିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଘରେ ଘରେ ଗ୍ୟାସ ସଂଯୋଗୀକରଣ ପାଇଁ ପାରାଦୀପରୁ ହଳଦିଆ ଜଗଦୀଶପୁର ପର୍ଯ୍ୟନ୍ତ ଏବଂ ଧାମରାରୁ ବୋକାରୋ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ବିଛାଯାଉଛି। ଏଥିପାଇଁ ଅନେକ ଦକ୍ଷ ଲୋକଙ୍କର ଆବଶ୍ୟକତା ରହିଛି। ପାଇପ ଲାଇନ ୱେଲଡିଂ ଅବା ପାଇପ ଲାଇନର ରକ୍ଷଣାବେକ୍ଷଣ ପାଇଁ ଅନେକ ଦକ୍ଷ ଯୁବକ ନିୟୋଜିତ ହେବେ। ସେମାନଙ୍କର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍ପର। ରାଜ୍ୟରେ କିପରି ଶିକ୍ଷିତ ଯୁବକ ଯୁବତୀମାନେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବଦ୍ଧ ପରିକର।

ରାଜ୍ୟରେ କୌଶଳ ବିକାଶ ମେଳା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗରୁ ୫୦ ଲକ୍ଷ ଟଙ୍କା ରାଜ୍ୟସରକାରଙ୍କୁ ଅନୁଦାନଭାବେ ଦିଆଯାଇଥିଲା। ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ମେଳା କରିପାରିଲେ ନାହିଁ। ଆଜି କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶର ପ୍ରଶିକ୍ଷଣ ଅନୁଷ୍ଠାନ ଖୋଲିବା ପରେ ରାଜ୍ୟସରକାର ସେହି କ୍ଷେତ୍ରରେ ସହେଯାଗ ନକରି ଗୋଟିଏ ମେଳା ପ୍ରଦର୍ଶନୀ ପଡିଆରେ ଏବଂ କଟକର ଇନଡୋର ଷ୍ଟାଡିୟମରେ କରୁଛନ୍ତି। ରାଜ୍ୟସରକାର ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକାଶ ଦିଗରେ ନେବା ପାଇଁ ଚାହୁଁନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ ସରକାର ସହେଯାଗର ହାତ ବଢାଇ ତାରକସି ଶିଳ୍ପ ଓ ପାଇପଲାଇନ ଶିଳ୍ପ ପାଇଁ ଗୋଟିଏ ଉତ୍ସବ କରିବାର ଥିଲା। କିନ୍ତୁ ଶେଷ ମୁହୂର୍ତରେ ମଧୁବାବୁଙ୍କ ଜୟନ୍ତୀକୁ ଗୌଣ ଭାବି ଅଲଗା ଅଲଗା ମେଳା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ହୀନ ରାଜନୀତି ବ୍ୟତୀତ ଆଉ କିଛି ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *