ମଣିସାହି ମା’ ସରସ୍ୱତୀଙ୍କ ମେଢ ଭସାଣି ଉତ୍ସବ, ଭାଙ୍ଗଡା ଓ ମାଦଳ ବାଜାରେ ଦୁଲୁକିଲା ସହର

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ସହରାଞ୍ଚଳସ୍ଥିତ ୯ ନଂ ୱାର୍ଡ ମଣିସାହି ଗ୍ରାମର ମା’ ସରସ୍ୱତୀଙ୍କ ଭସାଣି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଗ୍ରାମର ମହିଳାମାନେ ମା’ଙ୍କୁ ବିଦାୟୀ ବନ୍ଦାପନା କରିଥିବାବେଳେ ସମସ୍ତ ଗ୍ରାମବାସୀ ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରିଥିଲେ। ତା’ ପରେ ମା’ ଙ୍କ ସମେତ ପାର୍ଶ୍ୱ ମୂର୍ତ୍ତିଙ୍କୁ ମଧ୍ୟ ଗ୍ରାମ ପରିକ୍ରମା କରାଯାଇଥିଲା। ମା’ଙ୍କୁ ଘଣ୍ଟ, ହୁଳହୁଳି, ମାଦଳ ଓ ଭାଙ୍ଗଣ୍ଡା ବାଜା ସହ ସହର ପରିକ୍ରମା କରାଯାଇ ଶେଷରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ଭସାଣି ଉତ୍ସବରେ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଅଂଶଗ୍ରହଣ କରିଥିଲେ। ଭସାଣି ଉତ୍ସବରେ ମାଦଳା ଓ ଭାଙ୍ଗଡା ବାଜାରେ ସ୍ଥାନୀୟ ସହର ପ୍ରକମ୍ପିତ ହୋଇଉଠିଥିଲା। ଏହି ଉତ୍ସବକୁ ଦେଖିବା ଲାଗି ବହୁ ଜନସାଧାରଣଙ୍କ ଭିଡ ଲାଗିଥିବାର ପରିଲକ୍ଷିତ ହୋଇଥିଲା। ଏଥିରେ ଛୋଟରୁ ବଡ ସମସ୍ତେ ମିଶି ବାଜାର ତାଳେ ତାଳେ ନାଚର ଆନନ୍ଦ ଉପଭୋଗ କରିଥିଲେ। ସବୁଠାରୁ ଆନନ୍ଦର କଥା ହେଲା ଏହି ଉତ୍ସବରେ ପୁରୁଷମାନଙ୍କ ସମେତ ଝିଅମାନଙ୍କର ନୃତ୍ୟ ବେଶ୍ ମନୋରମ ହୋଇଥିଲା। କୁନି କୁନି ଝିଅ ଓ ପୁଅମାନଙ୍କର ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା। ଏହି ଭସାଣି ଉତ୍ସବ ଦିନ ୧୨ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ସମୟରେ ସମାପ୍ତ ହୋଇଥିଲା। ତା’ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ମା’ଙ୍କର ପୂଜା ଗତ ୨୨ ତାରିଖରୁ ଆରମ୍ଭ ହୋଇ ୭ଦିନ ଧରି ପୂଜା ପାଇଆସୁଥିବାବେଳେ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି। ଏହି ମା’ ସରସ୍ୱତୀଙ୍କ ପୂଜା ମଣିସାହି ଗ୍ରାମରେ ଦୀର୍ଘବର୍ଷ ଧରି ଚାଲିଆସୁଥିବାବେଳେ ଏହା ସମସ୍ତ ଗ୍ରାମବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିରଖିଛି।

Leave a Reply

Your email address will not be published. Required fields are marked *