ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପକ୍କା ରାସ୍ତା ଓ ବିଶ୍ରାମାଗାର ନିର୍ମାଣ ଦାବୀ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ମଡେଲ ଡିଗ୍ରୀ କଲେଜ ବୌଦ୍ଧଜିଲାରେ ଏକମାତ୍ର ସଂପୁର୍ଣ୍ଣ ସରକାରୀ କଲେଜ ଭାବରେ ଉଚ୍ଚ ଶିକ୍ଷାର ଭିତିଭୂମି ସୃଷ୍ଟି କରିଛି । ସରକାରଙ୍କ ନିଷ୍ପତି କ୍ରମେ ବୌଦ୍ଧ ବିଧାୟକ ତଥା ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ଉଦ୍ୟମକ୍ରମେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ନିକଟରେ ଏହି କଲେଜ ସ୍ଥାପିତ ହୋଇଛି । ତେବେ ନୂତନ କଲେଜ ଭାବରେ ଏଠାରେ ଛାତ୍ରାବାସ,ପାଚେରୀ କେଣ୍ଟିନ, ସାଇକେଲ ଷ୍ଟାଣ୍ଡ ଆଦି ଅନେକ ଭିତିଭୂମିର ଆବଶ୍ୟକତା ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କ କିଛି ଜରୂରୀ ଆବଶ୍ୟକତା ପୂରଣ କରାଯାଉନଥିବାରୁ ବହୁ ସମସ୍ୟା ସୃଷ୍ଟି ହେବା ସହିତ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜପଥ ଠାରୁ ପ୍ରାୟ ୨୦୦ ମିଟର ଦୂରରେ କଲେଜ ରହିଥିବାବେଳେ ଏଠାରେ କୌଣସି ରାସ୍ତା ନିର୍ମାଣ କରାଯାଇନାହିଁ । ଫଳରେ କଲେଜ ଚାରିପଟେ ଥିବା ବିଲ ଗୁଡିକରେ ବର୍ଷାଜଳ ଭର୍ତ୍ତି ହେବାପରେ ତାହା କଲେଜକୁ ଯାଇଥିବା ମାଟି ରାସ୍ତା ଉପରେ ପ୍ରବାହିତ ହେଉଅଛି । ତେଣୁ ଛାତ୍ରଛାତ୍ରୀମାନେ ବର୍ଷା ଦିନରେ ମାଟି କାଦୁଅ ରାସ୍ତା ଦେଇ କଲେଜକୁ ଯିବା ଆସିବା କରୁଛନ୍ତି । ସେହିପରି ଛାତ୍ରଛାତ୍ରୀମାନେ କଲେଜରୁ ଫେରିବା ସମୟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ କଡରେ ବସ କୁ ଅପେକ୍ଷା କରୁଛନ୍ତି । କିନ୍ତୁ ରାସ୍ତାକଡରେ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମାଗାର ନଥିବାରୁ ଛୋଟ ଛୋଟ ଗଛ ତଳେ ସେମାନେ ଦୀର୍ଘ ସମୟ ଗାଡିକୁ ଅପେକ୍ଷା କରୁଛନ୍ତି । ଏହାବ୍ୟତୀତ ବର୍ଷା ଦିନରେ କଲେଜରୁ ଫେରିଲାବେଳେ ଗାଡିକୁ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡୁଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତିି । ଗାଡିକୁ ଅପେକ୍ଷା କରିଥିବାବେଳେ ଭୀଷଣ ବର୍ଷା ହେଲେ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଅନେକ ଛାତ୍ରଛାତ୍ରୀ ବର୍ଷାରେ ଭିଜି ଭିଜି ଘରକୁ ଫେରୁଥିବାବେଳେ ଗଛତଳେ ଅପେକ୍ଷା ସମୟରେ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି । ଏହି ଦୁଇଟି ପ୍ରମୁଖ ଆବଶ୍ୟକତାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପୂରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

Leave a Reply

Your email address will not be published. Required fields are marked *