ଜିଲ୍ଲା ପରିକ୍ରମା

ମଙ୍ଗମୋଡିଲା ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ .. ବହୁଦରଡାରେ ହେବ ନୂଆ ଜେଲ୍

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଭଦ୍ରକର ନୂଆ ଜେଲ୍ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି। ପ୍ରଥମେ ଏଥିପାଇଁ ଅମରଗଡିଆରେ ଜମି ଚିହ୍ନଟ ହୋଇଥିଲା। ଯୋଜନା ମୁତାବକ ୨୧.୯୪ ଏକର ସରକାରୀ ଜମି ମଧ୍ୟ ଅଧିଗ୍ରହଣ ହେଲା। ଜେଲ୍ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତର ପରେ ନିର୍ମାଣ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏବେ ସୁଦ୍ଧା ଯୋଜନାର ଯେତିକି ଅଗ୍ରଗତି ଘଟିଥିଲା, ସେତିକି ପଛକୁ ଫେରିଛି। ଉକ୍ତ ସ୍ଥାନ ନୂଆ ଜେଲ୍ ପାଇଁ ଉପଯୁକ୍ତ ହେବନାହିଁ ବୋଲି ରାଜ୍ୟ ଜେଲ୍ ଉଚ୍ଚ କର୍ତ୍ତୃପକ୍ଷ ମନାକରି ଦେବା ପରେ ଯୋଜନା ବିଳମ୍ବିତ ହୋଇଛି। ପୁଣି ପ୍ରଥମରୁ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା। ବହୁଦରଡା ଆରଆଇ ସର୍କଲଅଧୀନସ୍ଥ ୨୩.୫ ଏକର ସରକାରୀ ଜମି (ଗୋଚର) ଅଧିଗ୍ରହଣ ପାଇଁ ଏବେ ଆନୁଷଙ୍ଗିକ ପଦକ୍ଷେପ ଆରମ୍ଭ କରିଛି ଜିଲା ପ୍ରଶାସନ। ଫଳରେ ଜେଲ୍ର କଏଦୀମାନେ ଭୋଗୁଥିବା ସ୍ଥାନାଭାବ ଜନିତ ଦୂରାବସ୍ଥା ଆହୁରି କିଛିଦିନ ଭୋଗିବାକୁ ବାଧ୍ୟହେବେ ବୋଲି ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ ଭଦ୍ରକ ଜେଲ୍ରେ ସ୍ଥାନାଭାବ ସମସ୍ୟାଦୀର୍ଘବର୍ଷ ଧରି ଉତ୍କଟ ହୋଇଥିଲା। ଯେଉଁଠି ସର୍ବାଧିକ ୧୬୦ କଏଦୀ ରହିବା କଥା, ସେଠି ୩୫୦ ରୁ ଅଧିକ କଏଦୀ ଗୁଂଜାଗୁଂଜି ହୋଇ ରହୁଛନ୍ତି। ଜେଲ୍ ପରିସର ପୁଣି ୧ ଏକରରୁ କିଛିଟା ଅଧିକ। ଯେଉଁଠି ସଂପ୍ରସାରଣର ସୁଯୋଗ ବି ନାହିଁ। ପରିସ୍ଥିତି ଏମିତି ଯେ ସବୁବେଳେ ଅଶାନ୍ତ ବାତାବରଣ ରହୁଛି। ଏ ଅବସ୍ଥାର ସମାଧାନ ପାଇଁ ଏକ ନୂଆ ସବ୍ଜେଲ୍ ପ୍ରତିଷ୍ଠା ଲାଗି ସରକାର ୨୦୦୮ ରେ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ ପ୍ରଶାସନ ତୁରନ୍ତ ଭଦ୍ରକ ତହସିଲ ଅନ୍ତର୍ଗତ ଅମରଗଡିଆରେ ୨୧.୯୪ ଏକର ସରକାରୀ ଜମି ଚିହ୍ନଟ କରିଥିଲା। ଜମି ଅଧିଗ୍ରହଣ ମଧ୍ୟ ସରିଥିଲା। ଅଧିଗୃହୀତ ଜମିକୁ ଜେଲ୍ କର୍ତ୍ତୃପକ୍ଷ ଦଖଲକୁ ନେବାକୁ ସରକାର ଚିଠି ନଂ ୪୮୮୮-୭୭/ଆର ୨୦.୧୨.୧୩ ରେ ମଂଜୁରୀ ପ୍ରଦାନ କରିଥିଲେ। ପରେ ଡେପୁ୍ୟଟି ମ୍ୟାନେଜର ଓପିଏଚଏଣ୍ଟ ଡବ୍ଳୁ୍ୟସି ବାଲେଶ୍ୱର ଓ ଏପିଏମ୍ ଏସଏସପିଏଚ୍ / ଡବ୍ଲ୍ୟୁସି ଭଦ୍ରକଙ୍କ ଉପସ୍ଥିତିରେ ଅମରଗଡିଆସ୍ଥ ସରକାରୀ ଜମିର ଡିମାରକେଶନ କରାଯାଇଥିଲା। ତା ପରେ ଆମ୍ଭର ହୋଇଥିଲା ଅମରଗଡିଆରେ ନୂଆ ଜେଲ୍ ନିର୍ମାଣ ପାଇଁ ଆନୁଷଙ୍ଗିକ ପ୍ରକ୍ରିୟା। ହେଲେ ଶେଷବେଳକୁ ଜେଲ୍ ନିର୍ଦ୍ଦେଶାଳୟ ମଙ୍ଗ ମୋଡିଦେଲେ। ଗତ ୭ ତାରିଖ ଦିନ ଚିଠି ନଂ ୨୦୮୦ ରେ କିଛି ଯୁକ୍ତି ଦର୍ଶାଇ ଜେଲ୍ ପ୍ରତିଷ୍ଠା ପାଇଁ ଅମରଗଡିଆର ଉକ୍ତ ସ୍ଥାନଟି ଉପଯୁକ୍ତ ହେବନାହିଁ ବୋଲି ଜିଲା ପ୍ରଶାସନକୁ ଜଣାଇଦେଲେ। ଚିଠିରେ ଦର୍ଶାଯାଇଥିଲା ଯେ ଅମରଗଡିଆ ସ୍ଥିତ ଉକ୍ତ ସ୍ଥାନଟି ସହର ଠାରୁ ୧୦ କିମି ଦୂର ଓ ନିକାଂଚନ ସ୍ଥାନରେ ଅବସ୍ଥିତ। ଅଧିଗ୍ରହଣ ହୋଇଥିବା ଜମିର ଉନ୍ନତିକରଣ ବାବଦରେ ୫ ଲକ୍ଷ ଟଙ୍କା ବ୍ୟୟ ହେବ, ଯାହାକି ସରକାରୀ ଅର୍ଥର ଅପଚୟ ହେବ। ଏହାବ୍ୟତୀତ ଜମିର ଗୋଟିଏ ପାଶ୍ୱର୍ରେ କେନାଲ ଓ ଅନ୍ୟପଟେ ଛୋଟ ନଈ ରହିଛି। ବର୍ଷାଋତୁରେ ବନ୍ୟା ହେଲେ ଜେଲ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ସେମିତି ଅଧିଗୃହୀତ ଜମିଟି ତ୍ରିଭୁଜାକାର ଓ ଅଙ୍କାବାଙ୍କା। ଫଳରେ ଜେଲ୍ ନିର୍ମାଣ କ୍ଷେତ୍ରରେ ଏହା ଅଧିକ ବ୍ୟୟ ସାପେକ୍ଷ ହେବ। ଏହାବାଦ୍ ଉକ୍ତ ଜମିକୁ ସଂଯୋଗ ରାସ୍ତା ନାହିଁ। ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ପାଇଁ ସୁବିଧାଜନକ ବ୍ୟବସ୍ଥା ବି ନାହିଁ। ଫଳରେ ସରକାରଙ୍କ ବ୍ୟୟବରାଦ ରାଶିରେ ଜେଲ୍ ନିର୍ମାଣ ସମ୍ଭବ ନୁହେଁ ବୋଲି ଜେଲ୍ ନିର୍ଦ୍ଦେଶାଳୟ ପ୍ରଶାସନକୁ ରୋକଠୋକ୍ ଜଣାଇଦେଲେ। ଫଳରେ ପୁଣି ଯୋଜନା ପଛକୁ ଫେରି ଜମି ଖୋଜା ଓ ଚିହ୍ନଟରେ ପହଞ୍ଚିଲା। ସାଧାରଣରେ ପ୍ରା୍ନ ଉଠିଛି, ଜେଲ୍ ନିର୍ଦ୍ଦେଶାଳୟ ଏସବୁ ପ୍ରଶ୍ନ ଏତେ ବିଳମ୍ବରେ ଉଠାଇଲେ କାହିଁକି? ଜମି ଚିହ୍ନଟ ପରେ ସରଜମିନ୍ ତଦାରଖ କରିଥିଲେ ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡିନଥାନ୍ତା। ସେମିତି ହୋଇଥିଲେ ଯୋଜନାର ବିଳମ୍ବ ହୋଇନଥାନାନ୍ତା ବୋଲି ସଚେତନ ଲୋକେ ମତ ଦେଇଛନ୍ତି। ଏବେ ବହୁଦରଡାରେ ଯେଉଁ ଜମି ଚିହ୍ନଟ ହୋଇଛି ସେ ଜମିକୁ ଭଦ୍ରକ ଜେଲ୍ ଅଧୀକ୍ଷକ ଗତ ୨୦ ତାରିଖରେ ପରିଦର୍ଶନ କରିଥିଲେ। ଅଧିଗ୍ରହଣ ହେବାକୁ ଥିବା ଏହି ସରକାରୀ ଜମିର ନକ୍ସା ଓ ଅନ୍ୟାନ୍ୟ କାଗଜପତ୍ର ବହୁଦରଡା ଆରଆଇ ପ୍ରଶାସନ ନିକଟରେ ଦାଖଲ କରିଛନ୍ତି। ଫଳରେ ନୂଆ ଜେଲ୍ ଅମରଗଡିଆ ପରିବର୍ତ୍ତେ ବହୁଦରଡାରେ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି। ଏବେ ରାଜସ୍ୱ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି। ହେଲେ ଜେଲ୍ ନିର୍ଦ୍ଦେଶାଳୟ ପ୍ରଥମରୁ ସରଜମିନ୍ ତଦାରଖ ନକରି ପରେ କେଁ ପୁରାଇଲେ ଅଡୁଆ ପୁଣି ବଢିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top