ଭୋଟରଙ୍କୁ ପ୍ରଲୋଭନ ଦେଖାଇ ଭୋଟ ମାଗୁଥିବା ଅଭିଯୋଗରେ ଅରୁଣ ସାହୁଙ୍କୁ ବିଜେପୁରରୁ ତଡିପାର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି

– ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବିପତ୍ର ସହ ଅରୁଣ ସାହୁଙ୍କ ଭାଷଣର ସିଡିକୁ ଉପସ୍ଥାପିତ କଲା ବିଜେପି
– ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳର ରାଜ୍ୟ ସାଧାରଣ ସଂପାଦକ ଓ ବିଧାୟକ ଅରୁଣ ସାହୁ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଖୋଲା ସଭାରେ ବିଜେଡିକୁ ଅଧିକ ଭୋଟ୍ ଦେଲେ ଅଧିକ ଆର୍ଥିକ ପୁରସ୍କାର ଦିଆଯିବ ସହିତ ବିଭିନ୍ନ ସରକାରୀ ଯୋଜନାର ଲାଭ ଯୋଗାଇ ଦିଆଯିବାର କରିଛନ୍ତି ଘୋଷଣା
– ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ନିର୍ବାଚନ ପାଇଁ ଥିବା ଆଦର୍ଶ ଆଚରଣ ବିଦ୍ଧିର ଖୋଲା ଉଲଙ୍ଘନ
– ଅରୁଣ ସାହୁ କହିଲେ, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୁଁ ଘୋଷଣା କରୁଛି ଯେଉ ଗାଁ ଯେତିକି ଅଧିକ ଭୋଟ ବିିଜୁ ଜନତା ଦଳକୁ ଦେବ ସେଇ ଗାଁକୁ ଅଧିକ ପୁରସ୍କାର ଦିଆଯିବ”
– ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ବିଜେପୁରରୁ ତଡିପାର କରିବା ସହ ଜନ ପ୍ରତିନିଧି ଆଇନ୍ ଅନୁସାରେ ନିୟମର ଉଲ୍ଲ୍ଂଘନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି

ଭୁବନେଶ୍ୱର, ତା.୦୮/୦୨(ଓଡ଼ିଆ ପୁଅ): ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜୁ ଜନତା ଦଳ ସରକାରୀ କ୍ଷମତାର ଦୁରୂପଯୋଗ କରୁଛି। ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳର ରାଜ୍ୟ ସାଧାରଣ ସଂପାଦକ ଓ ବିଧାୟକ ଅରୁଣ ସାହୁ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଖୋଲା ସଭାରେ ବିଜେପୁର ଉପନିର୍ବାଚନରେ ବିଜେଡିକୁ ଅଧିକ ଭୋଟ୍ ଦେଲେ ଅଧିକ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏପରିକି ଶାସକ ବିଜେଡି ପ୍ରାର୍ଥୀକୁ ଭୋଟ ଦେଲେ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ଯୋଗାଇ ଦିଆଯିବ ଭଳି ଶ୍ରୀ ସାହୁ ପ୍ରଲୋଭନ ଦେଉଛନ୍ତି। ଏହା ଦ୍ୱାରା ଶ୍ରୀ ସାହୁ ନିର୍ବାଚନ ପାଇଁ ଥିବା ଆଦର୍ଶ ଆଚରଣ ବିଦ୍ଧିର ଖୋଲା ଉଲଙ୍ଘନ କରିଛନ୍ତି ବୋଲି ଆଜି ରାଜ୍ୟ ବିଜେପି ମୁଖ୍ୟ ନିର୍ବାଚନ ଅଧୀକାରିଙ୍କ ପାଖରେ ଅଭିଯୋଗ କରିଛି।

ସମ୍ପୃକ୍ତ ନେତା ଶ୍ରୀ ସାହୁଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେପୁରରୁ ତଡିପାର କରିବା ସହ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରାଯାଇଛି।

ଦଳ ପକ୍ଷରୁ ନିର୍ବାଚନ ଅଧୀକାରଙ୍କ ପାଖରେ ଶାସକ ବିଜୁ ଜନତା ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ତଥ୍ୟ ସମ୍ବଳିତ ଦାବିପତ୍ର ସହିତ ଅରୁଣ ସାହୁଙ୍କ ଭାଷଣର ଏକ ସିଡି ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି କି, ଗତକାଲି ଫେବୃଆରୀ ୭ ତାରିଖ ଦିନ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବ୍ଲକ୍ର ଚାରପାଲୀ ପଂଚାୟତ ଠାରେ ଶାସକ ବିଜୁ ଜନତା ଦଳ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଜୁ ଜନତା ଦଳର ପା୍ରର୍ଥୀ ରୀତା ସାହୁଙ୍କ ଉପସ୍ଥିତିରେ ଶାସକ ବିଜୁ ଜନତା ଦଳର ଅନେକ ନେତା

ମାନେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ତାଙ୍କ ଭାଷଣରେ ସରକାରଙ୍କ ତରଫରୁ ପ୍ରଲୋଭନ ଦେଖାଇ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିଲେ। ଏହି ଭାଷଣରେ ଶ୍ରୀ ସାହୁ କହିଥିଲେ କି “ସରକାରଙ୍କ ତରଫରୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୁଁ ଘୋଷଣା କରୁଛି ଯେଉ ଗାଁ ଯେତିକି ଅଧିକ ଭୋଟ ବିିଜୁ ଜନତା ଦଳକୁ ଦେବ ସେଇ ଗାଁକୁ ଅଧିକ ପୁରସ୍କାର ଦିଆଯିବ। ରୀତା ଅପାଙ୍କ ତରଫରୁ, ସରକାରଙ୍କ ତରଫରୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଅଧିକ ଭୋଟ୍ ଦେଉଥିବା ଗାଁକୁ ଅଧିକ ଆର୍ଥିକ ପୁରସ୍କାର ଦିଆଯିବ”।

ଶ୍ରୀ ସାହୁ ଏକଥା ମଧ୍ୟ ତାଙ୍କ ଭାଷଣରେ କହିଥିଲେ “ମଉସା ରେସନ୍ କାର୍ଡ କଥା କହୁଥିଲେ, ସରକାର ନିଷ୍ପତି କରିସାରିଲେଣି, ଆସନ୍ତା ବଜେଟ୍ ରେ ସରକାର ଅର୍ଥ ବ୍ୟବସ୍ଥା କରିବେ। ସମସ୍ତଙ୍କୁ ମାଗଣା ଚାଉଳ ମିଳିବ। ଯେଉଁ ୫-୧୦ ପ୍ରତିଶତ ଲୋକ ମାଗଣା ଚାଉଳ ପାଉ ନାହାନ୍ତି ସମସ୍ତଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯିବ।” “ଯାହାକୁ ୬୦ବର୍ଷରୁ ଅଧିକ ହୋଇଛି, ସମସ୍ତଙ୍କୁ ବାର୍ଦ୍ଧକ୍ୟ ଭତା ଯୋଗାଇ ଦିଆଯିବ। ଆସନ୍ତା ବଜେଟ୍ ରେ ସରକାର ବ୍ୟୟ ବରାଦ୍ କରିବା ପାଇଁ ନିଷ୍ପତି ନେଇ ସାରିଛନ୍ତି। ଆପଣ ସମସ୍ତେ ବିଜେଡିକୁ ଭୋଟ୍ ଦିଅନ୍ତୁ। ସମସ୍ତେ ଭତା ପାଇବେ।”

ଅରୁଣ ସାହୁଙ୍କ ସାଧାରଣ ସଭାରେ ଏ ସମସ୍ତ ବକ୍ତବ୍ୟ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ। ଭୋଟରଙ୍କୁ ପ୍ରଲୋଭନ ଦେଖାଇ, ସରକାରୀ ବ୍ୟବସ୍ଥାକୁ ଦୁରୁପୋଯୋଗ କରି ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ ପ୍ରଭାବିତ କରାଯିବା ଦେଶର ନିର୍ବାଚନ ଆଇନର ଖୋଲା ଉଲ୍ଲଂଘନ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଏପରି ପରିସ୍ଥିତିରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ କରୁଥିବା ଶାସକ ଦଳ ନେତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଅତ୍ୟନ୍ତ ଆବଶ୍ୟକ ଓ ଆଇନ୍ ସଙ୍ଗତ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ବିଜେପୁରରୁ ତଡିପାର କରିବା ସହ ଜନ ପ୍ରତିନିଧି ଆଇନ୍ ଅନୁସାରେ ନିୟମର ଉଲ୍ଲ୍ଂଘନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି।

ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *