ଭୋଗବେରିଣୀ ପଂଚାୟତ ପ୍ରତି ଏନ୍.ଟି.ପି.ସି ଥର୍ମାଲର ବୈମାତୃକ ମନୋଭାବ; ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ଅଂଚଳବାସୀ

ଅନୁଗୋଳ, ୧୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନର ସଂଲଗ୍ନ ଭୋଗବେରିଣୀ ପଂଚାୟତକୁ ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ। ଫଳରେ ଅଂଚଳବାସୀ ସମସ୍ତ ପ୍ରକାର ସୁବିଧାସୁଯୋଗରୁ ବଂଚିତ ହେବାସହ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଗ୍ରାମ ପଂଚାୟତ ତାଳଚେର ଥର୍ମାଲଠାରୁ ଶୂନ୍ୟ କି.ମି ଦୂରରେ ଅବସ୍ଥିତ ରହିଥିଲେ ସୁଦ୍ଧା ଏହାର କର୍ତ୍ତୃପକ୍ଷ ଅଂଚଳବାସୀଙ୍କୁ କୈାଣସି ପ୍ରକାର ସହଯୋଗର ହାତ ବଢ଼ାଉନାହାନ୍ତି। ସରକାରଙ୍କ ନିୟମାନୁସାରେ ପ୍ରତ୍ୟେକ ଶିଳ୍ପାଚଳର ୭କି.ମି ଦୂରତ୍ୱ ମଧ୍ୟରେ ଥିବା ଅଂଚଳ ଗୁଡ଼ିକୁ ତାର ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନା ଗମନ ନିମନ୍ତେ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା କଥା କିନ୍ତୁ ତାଳଚେର ଥର୍ମାଲ କର୍ତ୍ତୃପକ୍ଷ ଉକ୍ତ ପଂଚାୟତକୁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ପ୍ରସଙ୍ଗକୁ ନେଇ ପଂଚାୟତବାସୀଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟତଃ ଭୋଗବେରିଣୀ ପଂଚାୟତକୁ ଏନ୍.ଟି.ପି.ସି ତାଳଚେର ଥର୍ମାଲର ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ୧୯୯୫ ମସିହାରୁ ଏନ୍.ଟି.ପି.ସି ତାଳଚେର ଥର୍ମାଲ କର୍ତ୍ତୃପକ୍ଷ ଅନ୍ୟ ସମସ୍ତ ନିକଟସ୍ଥ ପଂଚାୟତକୁ ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ଭୋଗବେରିଣୀ ପଂଚାୟତକୁ ଏଥିରେ ସାମିଲ କରାଯାଇନି। ପ୍ରକାଶ ଥାଉକି, ଉକ୍ତ ପଂଚାୟତରେ ଭୋଗବେରିଣୀ, କେନ୍ଦୁପଲ୍ଲୀ, ପାଣିଓଳା, ଖାମଣା, କୁସପଙ୍ଗି, ନାରଣଚନ୍ଦ୍ରପୁର, ନିରାକାରପୁର, ବାସୁଦେବପୁର ଆଦି ଗ୍ରାମ ରହିଛି। ପଂଚାୟତର ଜନସଂଖ୍ୟା ୭ହଜାରରୁ ଅଧିକ ହେବ। ଆଗରୁ ଏହାର ଅନେକ ଅଂଚଳ ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାଇଁ ଅଧିଗୃହୀତ ହୋଇସାରିଛି। ପୂର୍ବରୁ ଏହି ପଂଚାୟତର ଶତାଧିକ ବ୍ୟକ୍ତି ଏନ୍.ଟି.ପି.ସି ତାଳଚେର ଥର୍ମାଲରେ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇ ସାରିଛନ୍ତି। ବର୍ତମାନ ମଧ୍ୟ ଅନେକ ପଂଚାୟତବାସୀ ପ୍ଲାଂଟରେ କର୍ମଚାରୀ ଏବଂ ଠିକା ଶ୍ରମିକଭାବେ କାର୍ଯ୍ୟରତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ପଂଚାୟତକୁ ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରୁ ବାଦ ଦିଆଯାଇଛି। ଉକ୍ତ ବୈଠକରେ ଭୋଗବେରିଣୀ ପଂଚାୟତ ସରପଂଚ ସନ୍ଧ୍ୟାରାଣୀ ଭୋଇ, ଗ୍ରାମ୍ୟ ସଭାପତି ସୁରେଶ ଚନ୍ଦ୍ର ଧର, ଗୋବିନ୍ଦ ରାୟଗୁରୁ, ଦୂର୍ଗାଚରଣ ଧର, ପ୍ରକାଶ ଚରଣ ଧର, ପୂର୍ଣ୍ଣଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ସାମଲ, ୱାର୍ଡ଼ ସଭ୍ୟା ସୁଲୋଚନା ପରିଡ଼ା, ଚିତରଞ୍ଜନ ଭୂତିଆ, ଅଭୟ ଧର, ସନ୍ତୋଷ କୁମାର ମିଶ୍ର, ସମାଜସେବୀ ଜଗଦୀଶ ମିଶ୍ର, କାର୍ତିକେଶ୍ୱର ମିଶ୍ର, ରଶ୍ମିରଞ୍ଜନ ବରାହ, ଅମରେନ୍ଦ୍ର ଦାସ, ବାପୁ ସାହୁ, ମାନସ ରଞ୍ଜନ ମିଶ୍ର, ସନାତନ ନାଏକ, ଉମାକାନ୍ତ ନାଏକ, କୃପାସିନ୍ଧୁ ନାଏକ, ମନୋଜ କୁମାର ମିଶ୍ର, ବିଭୁତି ଭୂଷଣ ନାଏକ, ମାଧବ ସାହୁ, ମନୋଜ କୁମାର ଦାସ, ବିଶ୍ୱଜିତ ସାହୁ, ଅଲେଖ ଦାସ, ପ୍ରିୟରଞ୍ଜନ ଦାସ, ଟିକନ ସାହୁ, କାର୍ତିକେଶ୍ୱର ସାହୁ, ଆଦିତ୍ୟ ସାହୁ, ବସନ୍ତ ମହାନ୍ତି, ପ୍ରକାଶ ଚନ୍ଦ୍ର ନାଏକ, ଦାସ ନାଏକ, ଅଭୟ ଧର, ଅନନ୍ତ ସାହୁ, ଟିକନ ଦାସ, ଭୀମସେନ ନାଏକ, ତୀର୍ଥବାସୀ ସାହୁ, ବିଜୟ ଦାସ, ଗଣେଶ୍ୱର ଦାସ, ପ୍ରଭାତ ଧର ଏବଂ ବହୁ ଅଂଚଳବାସୀ ଯୋଗ ଦେଇ ଏନ୍.ଟି.ପି.ସି ତାଳଚେର ଥର୍ମାଲ କର୍ତ୍ତୃପକ୍ଷଙ୍କ ଏକପାଖିଆ ନିଷ୍ପତି ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ମତପ୍ରକାଶ କରିଥିଲେ। ସେହିପରି ପଂଚାୟତ ପ୍ରତି ତାଳଚେର ଥର୍ମାଲର ଏପରି ଟାଳଟୁଳ ନୀତି ସମ୍ପର୍କରେ ଏକ ସ୍ମାରକପତ୍ର ଗତ୧୫ ତାରିଖରେ ଅନୁଷ୍ଠିତ ଆରପିଡିଏସି ବୈଠକ ଅବସରରେ ଉତରାଂଚଳ ରାଜସ୍ୱ କମିଶନର, ସମ୍ବଲପୁର, ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ବିଧାୟକ, ତାଳଚେର ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏନ୍.ଟି.ପି.ସି/ଟି.ଟି.ପି.ଏସ ଜିଏମ୍ ଙ୍କୁ ପ୍ରଦାନ କରାଯିବାସହ ପଂଚାୟତକୁ ଯଥାଶୀଘ୍ର ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି। ଯଦି ଏନ୍.ଟି.ପି.ସି ତାଳଚେର ଥର୍ମାଲ ଏ ସମ୍ପର୍କରେ କୈାଣସି ପଦକ୍ଷେପ ନ ନିଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପଂଚାୟତ ବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *