ଲକ୍ଷ୍ନୌ ୧୩-୨ (ଓଡ଼ିଆ ପୁଅ)ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟରେ ତୁଗଲକୀ ଫରମାନ ଜାରି କରାଯାଇଛି। ୧୪ ଫେବୃଆରୀ ଅର୍ଥାତ୍ ଭେଲେଣ୍ଟାଇନ୍ ଡେ ଦିନ ଛାତ୍ରମାନଙ୍କୁ ପରିସରରେ ପ୍ରବେଶ କରିବା ଉପରେ କଟକଣା ଲଗାଇଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ।
କେବଳ ସେତିକି ନୁହେଁ ପରିସରରେ ବୁଲିବା ଦେଖାଗଲେ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ୟ୍ୟାନୁଷ୍ଠାନ କରିବା ପାଇଁ ଚେତାବନୀ ମଧ୍ୟ ଜାରି କରାଯାଇଛି। ବିଶ୍ଵବିଦ୍ୟାଳୟ ପ୍ରଶାସନ ଅଭିଭାବକମାନଙ୍କୁ ମଧ୍ୟ ଛାତ୍ରମାନଙ୍କୁ ବିଶ୍ଵବିଦ୍ୟାଳୟକୁ ନପଠାଇବା ପାଇଁ ଅପିଲ କରିଛନ୍ତି।
୧୪ ଫେବୃଆରୀରେ ଶିବରାତ୍ରି ହୋଇଥିବା କାରଣରୁ ବିଶ୍ଵବିଦ୍ୟାଳୟର ଛୁଟି ରହିବ। କିନ୍ତୁ ଭେଲେଣ୍ଟାଇନ୍ ଡେ ହୋଇଥିବାରୁ ବିଶ୍ଵବିଦ୍ୟାଳୟରେ ହେବାକୁଥିବା ସମସ୍ତ ଏକ୍ସ୍ଟ୍ରା କ୍ଲାସ ଏବଂ ପ୍ରାକ୍ଟିକାଲ ଉପରେ ମଧ୍ୟ ରୋକ ଲଗାଇଦିଆଯାଇଛି। ବିଶ୍ଵବିଦ୍ୟାଳୟର ଏହି ଫରମାନରେ ଛାତ୍ରମାନେ ପ୍ରବଳ ବିରୋଧ କରିଛନ୍ତି।
୧୦ ଫେବୃଆରୀରେ କୁଳପତି ବିନୋଦ ସିଂହ ଦ୍ଵାରା ଜାରି ନୋଟିସରେ ଭେଲେଣ୍ଟାଇନ୍ ଡେ କୁ ପାଶ୍ଚାତ୍ୟ ସଂସ୍କୃତିର ପ୍ରତୀକ ବତାଇ ୧୪ ଫେବୃଆରୀକୁ ବିଶେଷ ବ୍ୟବସ୍ଥା ଲାଗୁ କରିବାର ନିର୍ଦ୍ଦେଶ ଦେଇଥିଲେ।