ଭେଣ୍ଡିଂ ଜୋନ୍ ନିର୍ମାଣ ଓ ଥଇଥାନ ପୂର୍ବରୁ ପୁଲିସ୍ ଛାଉଣି ମଧ୍ୟରେ ଉଚ୍ଛେଦ ହେଲା ଉଠାଦୋକାନ ଜିଲାପାଳଙ୍କ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦୁଇପାଶ୍ୱର୍ରେ ଥିବା ଉଠାଦୋକାନ ଗୁଡିକୁ ମାଜିଷ୍ଟ୍ରେଟ୍ ଓ ପୁଲିସ୍ଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ତେବେ ଦୀର୍ଘବର୍ଷ ହେବ ଉଠାଦୋକାନ କରି ନିଜର ଜୀବିକା ନିର୍ବାହ କରିଆସୁଥିବା ଏହି ଶତାଧିକ ସାଧାରଣ ଗରିବ ବ୍ୟବସାୟୀମାନେ ଉଚ୍ଛେଦ ପୂର୍ବରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରି ଥଇଥାନ କରିବା ଦାବିନେଇ ଗତକାଲି ଜିଲା ପ୍ରଶାସନ ନିକଟରୁ ଯେଉଁ ପ୍ରତିଶ୍ରୁତି ପାଇଥିଲେ, ତାହା ଆଜି ପାଣିର ଗାର ହୋଇଛି। ଏହି ବ୍ୟବସାୟୀମାନଙ୍କୁ ଗତ ଦୁଇଦିନ ଧରି ତରବରିଆ ଭାବେ ଉଚ୍ଛେଦ ନୋଟିସ୍ ତହସିଲଦାରଙ୍କ ପକ୍ଷରୁ ଜାରି କରାଯାଇଥିଲା। ମାତ୍ର ସେମାନଙ୍କୁ ୪/୫ ଦିନ ସମୟ ନଦେଲେ ପରିବାର ସହ ଏମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଥିଲେ। ଉଠାଦୋକାନୀ ସଂଘର ସଭାପତି ବରିଷ୍ଠ ଆଇନ୍ଜୀବୀ ଦିବ୍ୟସିଂହ ନାୟକ ଓ ଗେଲପୁର ପଞ୍ଚାୟତ ଅଧୀନରେ ଥିବା “ସାମରାଇପୁର ବଣିକ ସଂଘ” ପକ୍ଷରୁ ଗତକାଲି ତହସିଲଦାର ଓ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଦାବି ପତ୍ର ମୂଳେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବ୍ୟବସାୟ କରିଆସୁଥିବା ଏହି ବ୍ୟବସାୟୀମାନଙ୍କୁ ପୂର୍ବରୁ ଉଚ୍ଛେଦ କରିବା ନେଇ ଜିଲା ପ୍ରଶାସନର ଘୋଷଣା ପରେ ସେମାନେ ଯେଉଁ ଆନ୍ଦୋଳନ କରିଥିଲେ, ତାହାର ଫଳସ୍ୱରୂପ ପ୍ରଶାସନ ପକ୍ଷରୁ ସେମାନଙ୍କ ଥଇଥାନ ଦିଗରେ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ ହଠାତ୍ କୌଣସି ସମୟ ନଦେଇ ଟ୍ରାଫିକ୍ ସମସ୍ୟା ଆଳରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ (ସର୍ବସାଧାରଣ ନୋଟିସ୍ ମାଧ୍ୟମରେ ) ଦୋକାନ ଗୁଡିକ ଅପସାରଣ କରିବାକୁ କୁହାଯାଇଥିଲା। ଯେଉଁଥିପାଇଁ ଏହି ବ୍ୟବସାୟୀମାନେ ଗେଲପୁର ସରପଞ୍ଚଙ୍କ ପ୍ରତିନିଧି ସୁବ୍ରତ ରାଉତ, ପୂର୍ବତନ ସରପଞ୍ଚ ସୁଜିତ୍ ନାୟକ, ସମିତି ସଭ୍ୟ ଅଶୋକ କୁମାର ପରିଜା, ସିଟୁ ନେତା ଦିବ୍ୟସିଂହ ନାୟକ, ଭଦ୍ରକ ପୌରପାଳିକା ୧୩ ନଂ ୱାର୍ଡ ବିଜେଡି ସଭାପତି ସୁକାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଯାଇ ତହସିଲଦାରଙ୍କୁ ସାକ୍ଷାତ କରି ରାସ୍ତାର ଦୁଇପାଶ୍ୱର୍ରେ ୧୦୦ ଫୁଟ୍ର ଅଧିକ ଓସାରିଆ ସ୍ଥାନ ଥିବାରୁ ସେଠାରେ କୌଣସି ଟ୍ରାଫିକ୍ ସମସ୍ୟା ଦେଖାଯାଉନଥିବାରୁ ଉଠିଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି ବାଢିଥିଲେ। ଏବଂ ସହରରେ ଟ୍ରାଫିକ୍ ସମସ୍ୟା ଲାଗି ରହୁଥିବା କଚେରୀ ବଜାର ଓ ବିଶେଷ କରି ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ସମ୍ମୁଖ ରାସ୍ତା ଉପରେ ଜବରଦଖଲକାରୀ ବ୍ୟବସାୟୀଙ୍କୁ ନଉଠାଇ ସେମାନଙ୍କ ଭଳି ଗରିବ ଲୋକଙ୍କୁ ଉଚ୍ଛେଦ କରିବା ଅନ୍ୟାୟ ବୋଲି କହିଥିଲେ। ତେବେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖ ରାସ୍ତା ଉଚ୍ଛେଦ ପ୍ରକ୍ରିୟାକୁ ସେମାନେ ସ୍ୱାଗତ କରିଆସୁଥିଲେ ମଧ୍ୟ ଥଇଥାନର ଲିଖିତ ପ୍ରତିଶ୍ରୁତି ପରେ ସେମାନଙ୍କୁ ୪/୫ ଦିନ ସମୟ ଦେବାକୁ ଯେଉଁ ଅନୁରୋଧ କରିଥିଲେ ଜିଲାପାଳ ତାହାକୁ ସମ୍ମାନ ଦେଇ ପ୍ରଥମ ପର୍ଯ୍ୟାୟରେ ତାଙ୍କ ଅଫିସ୍ ସମ୍ମୁଖ ଦୋକାନଗୁଡିକୁ ଉଚ୍ଛେଦ କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ହଠାତ୍ ରାସ୍ତାର ଉଭୟପାଶ୍ୱର୍ରେ ଥିବା ସମସ୍ତ ଦୋକାନଗୁଡିକୁ ଯେଭଳି ଭାବେ ଉଚ୍ଛେଦ କରାଯାଇଥିଲା ଜଣେ ମହିଳା ରାସ୍ତାରେ ଶୋଇ ତାର ପ୍ରତିବାଦ କରିଥିଲା। ମାତ୍ର ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନକୁ ଭଂଗାଯିବା ପରେ ରାସ୍ତାରୁ ମାତ୍ର ୫ ଫୁଟ୍ ଛାଡି ତାରବାଡ ବସାଯିବାର ଯେଉଁ ପ୍ରସ୍ତାବ ରହିଛି, ତାହା ତାରବାଡ ବହୁ ପଛରେ ଥିବା ବଡ ବଡ ବ୍ୟବସାୟ ପ୍ରତିଷ୍ଠାନକୁ ଅହେତୁକ ଅନୁକମ୍ପା ବୋଲି ଉଠାଦୋକାନୀ ସଂଘର ସଭାପତି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି। ଏବଂ ପ୍ରଶାସନର ଏହି ନିଷ୍ପତ୍ତି “ଝିଣ୍ଟିକା ମାରି ବଣି ପୋଷିବା” ସଦୃଶ ବୋଲି ସୂଚାଇଛନ୍ତି।

Leave a Reply

Your email address will not be published. Required fields are marked *