ଓଡ଼ିଶା

ଭୁବନେଶ୍ୱର ସହରରେ ସରକାରୀ ଜମି ଜବରଦଖଲକାରୀଙ୍କୁ ହଟାଇବା ଅଭିଯାନ ଏକ ପ୍ରହସନରେ ପରିଣତ ହୋଇଛି

ଭୁବନେଶ୍ୱର, ୧୭.୪ (ଓଡ଼ିଆ ପୁଅ) : ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଏକର ମୂଲ୍ୟବାନ ଜମିକୁ ବହୁ ପ୍ରଭାବଶାଳୀ ଲୋକ, ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଜବର ଦଖଲ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥିଲେ ମଧ୍ୟ ଉକ୍ତ ଜମିଗୁଡ଼ିକୁ ଫେରାଇ ଆଣିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଛି। ଗତ ୨୦୧୫ ମସିହାରେ ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ ସାଧାରଣ ପ୍ରଶାସନ ବିଭାଗକୁ ସୂଚନା ଆଇନ୍ ବଳରେ ଭୁବନେଶ୍ୱରର ଜବର ଦଖଲ ହୋଇଥିବା ଜମିର ପରିମାଣ ଏବଂ ଜବର ଦଖଲ ହଟେଇବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ମାଗିଥିଲେ। ସେହି ସମୟରେ ସାଧାରଣ ପ୍ରଶାସନ ବିଭାଗର ଜନ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ ନ କରିବାରୁ ଶ୍ରୀ ପ୍ରଦୀପ ପ୍ରଧାନ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅପିଲ୍ କରିଥିଲେ। ଉକ୍ତ କେସ୍ର ଶୁଣାଣୀ କରି ସୂଚନା କମିଶନ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୨.୨.୧୮ ଏବଂ ୨୩.୨.୧୮ରିଖରେ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ପ୍ରଦାନ କରିଥିଲେ।

ତଥ୍ୟ ଅନୁଯାୟୀ, ଜବରଦଖଲ ହୋଇଥିବା ଜମିକୁ ଫେରାଇ ଆଣିବା ଏବଂ ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାର ୧୫.୯.୨୦୧୪ରେ ସେଣ୍ଟ୍ରାଲ ଏନ୍ଫୋର୍ସମେଣ୍ଟ ମନିଟରିଙ୍ଗ କମିଟି ବା ସି.ଆଇ.ଏସ୍.ସି. ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ବିଡ଼ିଏର ଉପାଧ୍ୟକ୍ଷା ଥିଲାବେଳେ ପୋଲିସ୍ କମିଶନର, ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ ନିର୍ଦ୍ଦେଶକ, ବି.ଏମ୍.ସି.ର କମିଶନର, ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ସମ୍ପାଦକ ସଦସ୍ୟ ଅଛନ୍ତି। ଉକ୍ତ କମିଟି ଅଧୀନରେ ଜବର ଦଖଲ ହଟାଇବା ପାଇଁ ୬ଟି ସ୍କ୍ୱାର୍ଡ଼ ମଧ୍ୟ ଗଠନ ହୋଇଛି। ଇତି ମଧ୍ୟରେ ୨୦୧୪-୧୫ରେ ଉକ୍ତ କମିଟି ଦ୍ୱାରା ୮୪୧.୯୩୬ ଏକର ଜମି ଜବର ଦଖଲ ହୋଇଥିବାର ଚିହ୍ନଟ ହୋଇଥିଲା ବେଳେ ମାତ୍ର ୩୨.୬୪୫ ଏକର ସରକାରଙ୍କ ଅଧୀନକୁ ଅଣାଯାଇ ପାରିଥିଲା। ସେହିପରି ୨୦୧୫-୧୬ରେ ୩୨୨.୭୦୭ ଏକର ଜବରଦଖଲ ହୋଇଥିବା ଜଣାପଡ଼ିଥିଲା ବେଳେ ମାତ୍ର ୪୫.୦୬୩ ଏକର ଜବର ଦଖଲ ହଟାଯାଇ ପାରିଥିଲା। ସେହିପରି ୨୦୧୬-୧୭ରେ ୧୩୧୮.୮୫୬ ଏକର ଜମି ଜବରଦଖଲ ହୋଇଥିଲା ବେଳେ ୧୩୪.୩୫୪ ଏକର ଜମି ଜବରଦଖଲକାରୀଙ୍କୁ ହଟାଯାଇଥିଲା। ଏହା ସ୍ପଷ୍ଟ ଯେ, ରାଜ୍ୟ ସରକାର ମାତ୍ର ୫ରୁ ୧୦ଭାଗ ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବାରେ ସକ୍ଷମ ହୋଇଛନ୍ତି। ଜବରଦଖଲକାରୀମାନେ ପ୍ରଭାବଶାଳୀ ହୋଇଥିବାରୁ ଏବଂ ରାଜ୍ୟ ଅମଲାମାନଙ୍କ ସହିତ ତାଙ୍କର ଅସାଧୁ ମେଣ୍ଟ ଥିବାରୁ, ଜବରଦଖଲ ଜମି ସରକାରୀ ଖାତାକୁ ଆସିପାରୁ ନାହିଁ ବୋଲି ଶ୍ରୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ଉକ୍ତ ଜମିଗୁଡ଼ିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top