ଭୁବନେଶ୍ୱର ମହିଳା ଥାନାରେ ୩ ବର୍ଷରେ ୬୧୮ ମାମଲା : ଗୋଟିଏରେ ବି ଦଣ୍ଡବିଧାନ ହୋଇନାହିଁ

ଭୁବନେଶ୍ୱର, ୦୯ା୧୨(ଓଡ଼ିଆ ପୁଅ): ଭୁବନେଶ୍ୱର ମହିଳା ଥାନାରେ ୩ ବର୍ଷ ମଧ୍ୟରେ ୬୧୮ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ଗୋଟିଏ ହେଲେ ଘଟଣାରେ ବି ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇପାରିନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ପରିସଂଖ୍ୟାନ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ମହିଳା ଥାନାରେ ୨୦୧୫ ବର୍ଷରେ ୩୪୭ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୨୮୩ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ଏବଂ ଏହି ବର୍ଷରେ ଗୋଟିଏ ହେଲେ ମାମଲାରେ ଦଣ୍ଡବିଧାନ ହୋଇନାହିଁ। ସେହିପରି ୨୦୧୬ ବର୍ଷରେ ଭୁବନେଶ୍ୱରର ମହିଳା ଥାନାରେ ୧୯୨ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୧୫୧ଟିରେ ଅଭିଯୋଗ ଫର୍ଦ୍ଦା ଦାଖଲ ହୋଇଛି ଏବଂ ଉକ୍ତ ବର୍ଷରେ ଗୋଟିଏ ମାମଲାର ବି ଦଣ୍ଡବିଧାନ ହୋଇପାରିନଥିବା ବେଳେ ଆଉ ଗୋଟିଏ ମାମଲାର ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଛି। ତେବେ ୨୦୧୭ ବର୍ଷର ଗତ ନଭେମ୍ବର ୨୫ ତାରିଖ ସୁଦ୍ଧା ଭୁବନେଶ୍ୱର ମହିଳା ଥାନାରେ ୭୯ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୩୮ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ଓ କୌଣସିଟିରେ ବି ଦଣ୍ଡବିଧାନ ହୋଇନାହିଁ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ଜୟପୁରଠାରେ ୬ଟି ମହିଳା ଥାନା ରହିଛି। ଏଥିରୁ କଟକ ଓ ଭୁବନେଶ୍ୱର ମହିଳା ଥାନା ପାଇଁ ମଞ୍ଜୁରୀପ୍ରାପ୍ତ ପଦବୀ ଠାରୁ ଢେର୍ ଅଧିକ ସଂଖ୍ୟକ ପୋଲିସ କର୍ମ·ରୀ ରହିଛନ୍ତି। ବ୍ରହ୍ମପୁର ଓ ରାଉରକେଲାରେ କେତେକ ପଦବୀ ଖାଲି ରହିଛି।

Leave a Reply

Your email address will not be published. Required fields are marked *